ପ୍ରେମ ପଖାଳର ସ୍ବାଦ ଓ ସ୍ମୃତି ସବୁବେଳେ ନିଆରା। ” ପ୍ରେମ ପୃଥିବୀର ବନ୍ଧୁମିଳନ ଓ ପ୍ରେମ ପଖାଳ ମହୋତ୍ସବ “
ଭଦ୍ରକ: ପ୍ରେମ ହିଁ ପ୍ରାର୍ଥନା। ପ୍ରେମ ଏକ ମହାଧିକାର। ନିଜକୁ ଅହଂରୁ ମୁକ୍ତ କରି ଅନ୍ୟ ଭିତରେ ଆବିଷ୍କାର ଓ ଅବସ୍ଥାପିତ କରିବା ଏବଂ ଅନ୍ୟ ଜଣକ ଏହି ଆବିଷ୍କରଣ ଓ ଅବସ୍ଥାପନକୁ ସ୍ବୀକାର କରିବା ବା ହିଁ ପ୍ରେମ। ପ୍ରେମରେ ପୃଥିବୀ ଚଳେ, ଜୀବମଣ୍ଡଳ ଜିଏ ବୋଲି ଆରଡି ଛକସ୍ଥିତ ପ୍ରେମ ନଗର ପରିସରରେ ଆୟୋଜିତ ପ୍ରେମ ପୃଥିବୀର ବାର୍ଷିକ ସାରସ୍ବତ ବନ୍ଧୁ ମିଳନ ଓ ପ୍ରେମ ପଖାଳ ମହୋତ୍ସବରେ ବିଶିଷ୍ଟ ବକ୍ତାମାନେ ମତ ବ୍ୟକ୍ତ କରିଛନ୍ତି। ଜୀବନର ମହାର୍ଘ ଅନୁଭବ ପ୍ରେମକୁ ପୁଂଜି କରି ନିରବଚ୍ଛିନ୍ନ ଭାବେ ପ୍ରକାଶ ପାଇଆସୁଥିବା ସାହିତ୍ୟ ପତ୍ରିକା “ପ୍ରେମ ପୃଥିବୀର” ବାର୍ଷିକ ସାରସ୍ବତ ବନ୍ଧୁମିଳନ, ସୃଜନ ସମ୍ମାନ ପ୍ରଦାନ, ପତ୍ରିକା ଉନ୍ମୋଚନ ଏବଂ ମହୋତ୍ସବରେ ପ୍ରେମପଖାଳର ସ୍ମୃତି ଓ ସ୍ବାଦ ସବୁବେଳେ ସ୍ମରଣୀୟ ଓ ନିଆରା। କଥାକାର ପବିତ୍ର ପାଣିଗ୍ରାହୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ ବିଶିଷ୍ଟ ଲେଖକ ଅଧ୍ୟାପକ ବିଶ୍ୱରଂଜନ ମୁଖ୍ୟ ଅତିଥି ଓ କବି ନିରାକାର ଦାସ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ପ୍ରେମ ପୃଥିବୀର ସମ୍ପାଦକ କୈଳାସ ଚନ୍ଦ୍ର ପଣ୍ଡା ସ୍ବାଗତ ଭାଷଣ ରଖିଥିଲେ। ଏହି ଅବସରରେ ପଦ୍ମଶ୍ରୀ ତଥା ‘ପ୍ରେମ ପୁରୁଷ’ ଉପାଧିପ୍ରାପ୍ତ କବି ରମାକାନ୍ତ ରଥଙ୍କ ମହାପ୍ରୟାଣରେ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରି ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା।
ପ୍ରତିଭା ସମ୍ମାନ କ୍ରମରେ ପଦ୍ମଶ୍ରୀ କବି ଡ. ଶ୍ରୀନିବାସ ଉଦଗାତାଙ୍କୁ ପରମ “ପ୍ରେମମୟ ପୁରୁଷ” , ପ୍ରାବନ୍ଧିକ ଡ. ବୈଷ୍ଣବ ଚରଣ ସାମଲଙ୍କୁ “ପ୍ରେମପୁରୁଷ”, କଥାଶିଳ୍ପୀ ଡ. ଅର୍ଚ୍ଚନା ନାୟକଙ୍କୁ “ପ୍ରେମ ପ୍ରକୃତି” ଏବଂ ଡ. ନୀଳାଦ୍ରି ଭୂଷଣ ହରିଚନ୍ଦନ ଓ ମୋନା ହରିଚନ୍ଦନଙ୍କୁ “ସୁଖି ଦମ୍ପତ୍ତି” ସମ୍ମାନ ପ୍ରଦାନ କରାଯାଇଥିଲା। କବି ଅଚ୍ୟୁତ ସାମଲ ଓ କିଶୋର ପାଣିଗ୍ରାହୀଙ୍କୁ “ପ୍ରେମ ପୃଥିବୀ” କବିତା ସମ୍ମାନ ଓ ଗାଳ୍ପିକ ସରୋଜ ବଳଙ୍କୁ”ପ୍ରେମ ପୃଥିବୀ କଥା” ସମ୍ମାନ ଅର୍ପଣ କରାଯାଇଥିଲା
ସମ୍ବର୍ଦ୍ଧନାର ଉତ୍ତରରେ ସମ୍ମାନୀତ ପ୍ରତିଭାମାନେ ସାରଗର୍ଭକ ବକ୍ତବ୍ୟ ରଖିଥିଲେ। ମାନପତ୍ର ପାଠ କରିଥିଲେ ହରମୋହନ କୁଅଁର, ଶିବଚରଣ ଖାମୁରାଇ, ଶରତ ନାୟକ, ଯୋଗ୍ୟଶ୍ରୀ ସାମଲ ଓ ଅଧ୍ୟାପକ ନାସିର ବକ୍ସ।କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟରେ ନମିତା ସାହୁଙ୍କର କବିତା ପୁସ୍ତକ ‘କବିତା ମହକ’ ପାଠକାର୍ପିତ ହୋଇଥିଲା। “ଗୌରୀପ୍ରଭାର” ସମ୍ପାଦକ ଇଂ ପତିତପାବନ ପାଣି ସଭାର ଶେଷ ସ୍ପର୍ଶ ଦେଇଥିଲେ। ପୂର୍ବାହ୍ନରେ ବୈକୁଣ୍ଠନାଥ ବିଶ୍ଵାଳ ଙ୍କ ପରିକଳ୍ପନା ଏବଂ କବି ରମେଶ ଚନ୍ଦ୍ର ସ୍ବାଇଁ ଓ ପ୍ରତିଭା ଖିଲାରଙ୍କ ସଂଯୋଜନାରେ ପ୍ରେମ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା।
ବାସୁଦେବ ବାରିକ୍, ଅବିନାଶ ପଣ୍ଡା, ଅଶୋକ ନାୟକ, ଗୁରୁପ୍ରସାଦ ପଣ୍ଡା, ରାମଚନ୍ଦ୍ର ମହାନ୍ତି, କେଦାର ଭଟ୍ଟାଚାର୍ଯ୍ୟ, ଅର୍ଣ୍ଣ ପୂର୍ଣ୍ଣା ପଣ୍ଡା, ବିବେକ ଭଟ୍ଟାଚାର୍ଯ୍ୟ, ପ୍ରିୟଙ୍କା ପଣ୍ଡା, ଅନୁରାଧା ପଣ୍ଡା, ଅମିତାଭ ପଣ୍ଡା, ମମତା ପଣ୍ଡା,ଶ୍ରୀନିବାସ ସାହୁ, ମୁକ୍ତିକାନ୍ତ ମହାପାତ୍ର ଓ ବାଦଲ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ।
