July 1, 2025
Home » ଜଗତସିଂହପୁର ଜିଲ୍ଲା ସଦର ମହକୁମା ରେ ୭୮ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ

ଜଗତସିଂହପୁର ଜିଲ୍ଲା ସଦର ମହକୁମା ରେ ୭୮ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ

0
WhatsApp Image 2024-08-15 at 5.21.37 PM

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ସଦର ମହକୁମା ସ୍ଥିତ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ରେ ୭୮ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ପାଳିତ ହୋଇଯାଇଅଛି। ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ଶ୍ରୀ ଜେ. ସୋନାଲ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଥିଲେ। ଉପସ୍ଥିତ ଜନତାଙ୍କୁ ସମ୍ବୋଧନ କରି ଦେଶର ସ୍ୱାଧୀନତା ପାଇଁ ନିଜର ନିଃସ୍ଵାର୍ଥପର ତ୍ୟାଗ, ବଳିଦାନ ଓ ଆଦର୍ଶରେ ଅମର ହୋଇଥିବା ମହାନ୍ ଦେଶଭକ୍ତ ଓ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ଉଦ୍ଦେଶ୍ୟ ରେ ନିଜର ପ୍ରଣାମ ଜଣାଇଥିଲେ।ଦେଶର ମହାନ୍ ସ୍ଵାଧୀନ ଚେତା ନେତୃବୃନ୍ଦ ପଣ୍ଡିତ ଜବାହରଲାଲ ନେହେରୁ,ସର୍ଦ୍ଦାର ପଟେଲ,ଲାଲା ଲଜପତ୍ ରାୟ ଙ୍କ ସମେତ ଓଡ଼ିଶାର ବରେଣ୍ୟ ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ, ବୀର ସୁରେନ୍ଦ୍ର ସାଏ, ଧରଣୀ ଧର ଭୂୟାଁ,ବିର୍ସା ମୁଣ୍ଡା ଙ୍କ ପରି ତ୍ୟାଗି ବୀରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବାଣୀକ୍ଷେତ୍ର ଜଗତସିଂହପୁର ର ସୁଯୋଗ୍ୟ ସନ୍ତାନ ଭାଗିରଥି ମହାପାତ୍ର, ଗୋପବନ୍ଧୁ ଚୌଧୁରୀ , ପ୍ରାଣକୃଷ୍ଣ ପଢ଼ିଆରୀ,ମା ରମାଦେବୀ ,ସରଳା ଦେବୀ, ନବକୃଷ୍ଣ ଚୌଧୁରୀ ଓ ଅନ୍ନପୂର୍ଣ୍ଣା ମହାରଣା ଙ୍କ ପରି ଚିର ନମସ୍ୟ ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ନିଜର ଶ୍ରଦ୍ଧା ଅର୍ଘ୍ୟ ଅର୍ପଣ କରିଥିଲେ।

 

ସ୍ବାଧୀନତାର ୭୭ ବର୍ଷ ପରେ ଓଡ଼ିଶାର ଗର୍ବ ଓ ଗୌରବ ଯେ ବିଶ୍ୱ ଦରବାରରେ ବିଦିତ ଏଵଂ କୃଷି, ସ୍ବାସ୍ଥ୍ୟ, ଶିକ୍ଷା,ଗମନାଗମନ, ବାଣିଜ୍ୟ, କ୍ରୀଡ଼ା,ଓ ଶିଳ୍ପ ଆଦି କ୍ଷେତ୍ରରେ ଉଲ୍ଲେଖନୀୟ ଉନ୍ନତି ଓଡ଼ିଶାକୁ ଏକ ସ୍ବତନ୍ତ୍ର ପରିଚୟ ଦେଇଛି ବୋଲି ଜିଲ୍ଲାପାଳ କହିଥିଲେ।ଓଡିଶା ବାସୀ ଙ୍କ ଭାବାବେଗ କୁ ସମ୍ମାନ ଜଣାଇ ଓଡିଶା ସରକାରଙ୍କ ଦ୍ଵାରା ଭକ୍ତ ବୃନ୍ଦ ଙ୍କ ପାଇଁ ଶ୍ରୀ ମନ୍ଦିର ର ଚାରିଦ୍ଵାର ଉନ୍ମୁକ୍ତ ଏବଂ ରତ୍ନ ଭଣ୍ଡାରର ଗଣତି ମଣତି ପାଇଁ ପ୍ରକ୍ରିୟା, ଶ୍ରୀମନ୍ଦିର କର୍ପସ ଫଣ୍ଡ, ଓଡ଼ିଆ ଅସ୍ମିତା ର ପୁନରୁଦ୍ଧାର ସହ ବିକଶିତ ଓଡିଶା ସ୍ଵପ୍ନ କୁ ସାକାର କରିବା ପାଇଁ ଏକ ଭିଜନ୍ ଡକ୍ୟୁମେଣ୍ଟ ୨୦୩୬ ଏବଂ ଭିଜନ ଡକ୍ୟୁମେଣ୍ଟ ୨୦୪୭ ର ପ୍ରସ୍ତୁତି ଓଡିଶା କୁ ସମୃଦ୍ଧି ର ପଥ ରେ ଅଗ୍ରସର କରାଇବ ବୋଲି କହିଥିଲେ। ରାଜ୍ଯ ସରକାର ଓ ଜନସାଧାରଣ ଙ୍କ ମଧ୍ୟରେ ଥିବା ପ୍ରଶାସନିକ ଦୂରତ୍ୱ ହ୍ରାସ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଅଭିଯୋଗ ପ୍ରକୋଷ୍ଠ, କୃଷି ଓ କୃଷକ ସଶକ୍ତିକରଣ ନିମନ୍ତେ ଜଗତସିଂହପୁର ଜିଲ୍ଲା ରେ ପି ଏମ୍ କିଷାନ ଯୋଜନା ର ୧୭ ତମ କିସ୍ତି ବଣ୍ଟନ ସହ ୧,୦୬,୬୨୨ ଜଣ ଚାଷୀଙ୍କୁ ଏ ଯାବତ୍ ପଞ୍ଜୀକୃତ କରାଯାଇଛି , ଏମ୍ ଏସ୍ ପି କୁ ବୃଦ୍ଧି କରାଯାଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ। ମାତୃଶକ୍ତିର ପରାକାଷ୍ଠା ର ନିଦର୍ଶନ ସ୍ଵରୂପ ଜିଲ୍ଲା ରେ ବ୍ୟାପକ ଭାବେ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ, ମହିଳା ମାନଙ୍କ ଉନ୍ନତି ପାଇଁ ସୁଭଦ୍ରା ଯୋଜନା ସହିତ ଶିକ୍ଷା ର ଉନ୍ନତି ନିମନ୍ତେ ବିଭିନ୍ନ ଯୋଜନା ଓ ପି ଏମ୍ ଶ୍ରୀ ଯୋଜନା ପ୍ରସ୍ତାବିତ ରହିଛି। ଚଳିତ ବର୍ଷ ବିଶ୍ୱ ଅଙ୍ଗଦାନ ଦିବସ ଓ ସୂରଜ ପୁରସ୍କାର ଦିବସ ରେ ଜଗତସିଂହପୁର ଜିଲ୍ଲା ର ସ୍ଵର୍ଗତଃ ବିରେନ୍ଦ୍ର ପ୍ରସାଦ ସ୍ଵାଇଁ ଙ୍କ ପରିବାର କୁ ୫ ଲକ୍ଷ ଟଙ୍କା ର ପୁରସ୍କାର ରାଶି ପ୍ରଦାନ କରାଯାଇଛି। ଶିଳ୍ପ ର ବିକାଶ ନିମନ୍ତେ ପାରାଦ୍ଵୀପ ରେ ଶିଳ୍ପ ସଂସ୍ଥା ମାନଙ୍କୁ ଉପଯୁକ୍ତ ସୁଯୋଗ ଉପଲବ୍ଧ କରାଇବା ସହ ପାରାଦ୍ଵୀପ ବନ୍ଦର କୁ ଆନ୍ତର୍ଜାତୀୟ ସ୍ତରର କରି ଗଢିତୋଳିବା,ଯୋଗାଯୋଗ ଓ ପରିବହନ,ଯୁବ ସଶକ୍ତିକରଣ, ସାମାଜିକ ସୁରକ୍ଷା, ପର୍ଯ୍ୟଟନ ର ବିକାଶ, ହସ୍ତତନ୍ତ, ବଡବାଗ ତନ୍ତୁବାୟ ସମିତି ର ପୁନରୁଦ୍ଧାର ଆଦି କ୍ଷେତ୍ରରେ ଜିଲ୍ଲା ର ବ୍ୟାପକ ଅଭିବୃଦ୍ଧି କରାଯିବ ବୋଲି ମୁଖ୍ୟ ଅତିଥି କହିଥିଲେ।ଆରକ୍ଷୀ ଅଧିକ୍ଷକ ଶ୍ରୀ ରାହୁଲ ପି.ଆର୍ ମୁଖ୍ୟ ଅତିଥି ଙ୍କୁ ପତାକା ସ୍ତମ୍ଭ ନିକଟକୁ ପାଛୋଟି ଆଣିଥିଲେ। ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ଜଗତସିଂହପୁର ର ଛାତ୍ରୀ ସୋନାଲିକା ତ୍ରିପାଠୀ ଏବଂ ନରେନ୍ଦ୍ର ବିଦ୍ୟାମନ୍ଦିର, ଗୋଠିଣା ରଛାତ୍ରୀ ସ୍ୱୀକୃତି ମୁଦୁଲି ଙ୍କୁ ମୁଖ୍ୟ ଅତିଥି ପାଞ୍ଚଜନ୍ୟ ସାଂସ୍କୃତିକ ଓ ସାମାଜିକ ପରିଷଦ ଏବଂ ପୂର୍ଣ୍ଣ ଚନ୍ଦ୍ର ସ୍ମାରକ ମେଧାବୃତ୍ତି ପୁରସ୍କାର ସ୍ଵରୂପ ନଗଦ ଅର୍ଥ,, ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ।ଏହି ଅବସରରେ ଜିଲ୍ଲାକୁ ଗୌରବାନିତ କରିଥିବା ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଶ୍ରୀ ବାବା ବଳିଆ ଙ୍କ ତରଫରୁ ତାଙ୍କ ଶିଷ୍ୟ ଙ୍କୁ ଏବଂ ଜିଲ୍ଲା ର ଏକମାତ୍ର ଜୀବିତ ସ୍ଵାଧୀନତା ସଂଗ୍ରାମୀ ଶ୍ରୀ ଭାଗିରଥି ସ୍ଵାଇଁ ଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ। ସ୍ୱାଧୀନତା ଦିବସ ପାଳନ ଦିବସ ଅବସରରେ ଜିଲ୍ଲାସ୍ତରୀୟ ବକ୍ତୃତା , ଦେଶାତ୍ମବୋଧକ ସଙ୍ଗୀତ, ଜଣାଅଜଣା ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରିଥିଲେ।ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ତଥା ଜାତୀୟ ସ୍ତରର ଖେଳାଳି ତନ୍ମୟୀ ସିଂ ଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ। ପ୍ୟାରେଡରେ ମୋଟ ୩୦ ଟି ଦଳ ଭାଗ ନେଇଥିଲେ ଓ ସେମାନଙ୍କ ମଧ୍ୟରୁ ୟୁନିଫର୍ମ ଗ୍ରୁପ ରୁ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ,ସିନିୟର୍ ସିଭିଲିଆନ ଦଳରୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଜୁନିୟର୍ ସିଭିଲିଆନ ଦଳରୁ ମା ସରସ୍ଵତୀ ଶିଶୁ ମନ୍ଦିର, ଖେରସ ଶ୍ରେଷ୍ଠ ବିବେଚିତ ହୋଇ ମୁଖ୍ୟ ଅତିଥିଙ୍କ ଠାରୁ ସିଲ୍ଡ ଗ୍ରହଣ କରିଥିଲେ।ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା ପକ୍ଷରୁ ପ୍ରଜ୍ଞାପନ ମେଢ଼ ପ୍ୟାରେଡ୍ ରେ ଅଂଶ ଗ୍ରହଣ କରିଥିଲେ।ପରେ ସ୍କଲାର ଇଂଲିଶ ମିଡିଅମ୍ ସ୍କୁଲ , ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ,ଜଗତସିଂହପୁର, ଶୁଦ୍ଧାନନ୍ଦ ବିଦ୍ୟାଳୟ ଓ ଡ୍ରିମ ଇଣ୍ଡିଆ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ପରେ ମୁଖ୍ୟ ଅତିଥି ଓ ଅନ୍ୟାନ୍ୟ ଅତିଥି ଷ୍ଟାଡିୟମ୍ ପରିସରରେ ବୃକ୍ଷରୋପଣ କରିଥିଲେ। ପୂର୍ବାହ୍ନ ୮ଘ.୩୦ ମିନିଟ ସମୟରେ ମୁଖ୍ୟ ଅତିଥି ସହରରେ ଥିବା ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ।ମୁଖ୍ୟ ଅତିଥି ଷ୍ଟାଡିୟମ୍ ରେ ପହଞ୍ଚି ପ୍ରଥମେ ସେଠାରେ ଥିବା ଜିଲ୍ଲା ର ବରପୁତ୍ର ତଥା ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ଫଟୋଚିତ୍ର ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପ୍ୟାରେଡ୍ ପରେ ମୁଖ୍ୟ ଅତିଥି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀମାନଙ୍କୁ ଏବଂ ପରେ ଆଳିପିଙ୍ଗଳ ଜେଲ୍ ର ଅନ୍ତେବାସୀଙ୍କୁ ଫଳବଣ୍ଟନ କରିଥିଲେ। ପ୍ୟାରେଡ ସମାପ୍ତ ପରେ ଷ୍ଟାଡିୟମ୍ ରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ଯାଚ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ହର ଘର ତ୍ରିରଙ୍ଗା ଅଭିଯାନ ଅନ୍ତର୍ଗତ ମୁଖ୍ଯ ଅତିଥି ତଥା ଉପସ୍ଥିତ ସମସ୍ତ ଅତିଥି ଓ ଜନସାଧାରଣ ତ୍ରିରଙ୍ଗା ସେଲ୍ଫି ପଏଣ୍ଟ ରେ ତ୍ରିରଙ୍ଗା ପତାକା ସହ ସେଲ୍ଫି ଉଠାଇ ଥିଲେ ଓ ପଡିଆ ରେ ସ୍ଥାପିତ କାନଭାସ ରେ ଜୟ ହିନ୍ଦ ଲେଖି ହସ୍ତାକ୍ଷର କରିଥିଲେ। ପଡିଆରେ ମିଶନ ଶକ୍ତି ମା ମାନଙ୍କ ଦ୍ଵାରା ତ୍ରିରଙ୍ଗା ପତାକା, ବ୍ୟାଚ, ଟାଟୁ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଉତ୍କଳ ପ୍ରସଙ୍ଗ, ଓଡିଶା ରିଭ୍ୟୁ, ଜଗନ୍ନାଥ ଜଣାଣ ବିକ୍ରୟ କରାଯାଇଥିଲା।ପ୍ରତ୍ୟୁଷ ରୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ରାମଧୁନ ରେକର୍ଡ ଯୋଗେ ସହରରେ ପରିବେଷଣ କରାଯାଇଥିଲା।ଏହି ଉତ୍ସବରେ ଜିଲ୍ଲାପରିଷଦର ସଭାପତି ଶ୍ରୀ ମନୋଜ କୁମାର ଭୋଇ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ୍ କୁମାର ରାଉତ, ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ,ଜିଲ୍ଲା ପରିଷଦ, ଶ୍ରୀ ରବିନାରାୟଣ ଜେଠୀ,ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂ,ଉପାଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର ବିଶୋଇ,ଉପଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଜିଲ୍ଲା ସ୍ତରୀୟ ଅଧିକାରୀ , ସହରର ବୁଦ୍ଧିଜୀବୀ, ଆଇନଜିବୀ,ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ , ଶିକ୍ଷକ ଶିକ୍ଷୟିତ୍ରୀ ଓ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ। ସଂରକ୍ଷିତ ଆରକ୍ଷୀ ନିରୀକ୍ଷକ ଶ୍ରୀ ଉମାକାନ୍ତ ବେହେରା ପ୍ୟାରେଡ ପରିଚାଳନା କରିଥିଲେ। ସମସ୍ତ କାର୍ଯ୍ୟକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ ଓ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି ପରିଚାଳନା କରିଥିବା ବେଳେ ଶିକ୍ଷାବିତ ଶ୍ରୀ ସୁଭାଷ ଚନ୍ଦ୍ର ରାଉତ କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ।
ଶ୍ରୀବତ୍ସ ପାଢ଼ୀ, ଜଗତସିଂହପୁର ଇପିଏ ନିୟୁଜୁ, ଜଗତସିଂହପୁର,

Leave a Reply

Your email address will not be published. Required fields are marked *