July 6, 2025
Home » ନବରଙ୍ଗପୁର ଠାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ଏବଂନୂଆ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଏକକ କାର୍ଡ ବିତରଣ ଏବଂ ଆୟୁଷ୍ମାନ ଵୟୋ ବନ୍ଦନା ଯୋଜନା ଶୁଭାରମ୍ଭ

ନବରଙ୍ଗପୁର ଠାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ଏବଂନୂଆ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଏକକ କାର୍ଡ ବିତରଣ ଏବଂ ଆୟୁଷ୍ମାନ ଵୟୋ ବନ୍ଦନା ଯୋଜନା ଶୁଭାରମ୍ଭ

0
WhatsApp Image 2025-04-11 at 8.16.09 PM

ନବରଙ୍ଗପୁର ସ୍ଥାନୀୟ ନବରଙ୍ଗପୁର ସହର ସହରାଞ୍ଚଳ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ଠାରେ ମାନ୍ୟବର ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତି ରାଜ ଏବଂ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଆନୁଷ୍ଠାନିକ ଭାବେ ଆୟୁଷ୍ମାନ ଭାରତ ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ର କାର୍ଡ ଏବଂ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା ର ଶୁଭାରମ୍ଭ କରିଥିଲେ।ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ରୂପେ ମାନ୍ୟବର ବିଧାୟକ ନବରଙ୍ଗପୁର ଗୌରୀ ଶଙ୍କର ମାଝୀ,ମାନ୍ୟବର ବିଧାୟକ ଝରି ଗାଁ ନରସିଂହ ଭତରା,ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର,ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ଡ଼ା ସନ୍ତୋଷ କୁମାର ପଣ୍ଡା, ଅଧ୍ୟକ୍ଷ,ପୌରପାଳିକା ନବରଙ୍ଗପୁର କୁନୁ ନାୟକ,ସମାଜ ସେବୀ କୁଞ୍ଜ ବିହାରୀ ଦାସ ପ୍ରମୁଖ ଯୋଗ ଦେଇଥିଲେ।ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ନିଜ ବକ୍ତବ୍ୟରେ ରାଜ୍ୟ ସରକାର ସଦା ସର୍ବଦା ରାଜ୍ୟର ଅଧିବାସୀମାନଙ୍କ ପାଇଁ ସମ୍ପୂର୍ଣ ଦେୟମୁକ୍ତ ସ୍ୱାସ୍ଥ୍ୟ ସେବାପାଇଁ ଦାୟିତ୍ୱଵାନ ଅଛନ୍ତି ଏବଂ ଏହି ପ୍ରରିପ୍ରେକ୍ଷୀରେ ଏହି ଆୟୁଷ୍ମାନ ଯୋଜନା ସ୍ଵାସ୍ଥ ସେବା କୁ ଆଉ ଏକ ପାଦ ଆଗକୁ ନେବ ଓ ଲୋକେ ସମ୍ପୂର୍ଣ ମାଗଣା ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ପାଇପାରିବେ ବୋଲି କହିଥିଲେ l ହିତାଧିକାରୀ ମାନଙ୍କୁ ଏହି ଏକକ କାର୍ଡ ତାଙ୍କ ଘରେ ନେଇ ଦିଆଯିବ ଓ ଏଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଉଛି ବୋଲି କହିଥିଲେ।ମାନ୍ୟବର ବିଧାୟକ ନବରଙ୍ଗପୁର ଗୌରୀ ଶଙ୍କର ମାଝୀ ଏବଂ ଝରି ଗାଁ ବିଧାୟକ ନରସିଂହ ଭତରା ଆଜିର ଦିନକୁ ଐତିହାସିକ ଦିନ କହି ଜିଲ୍ଲାରେ ଏହି କାର୍ଯ୍ୟକ୍ରମ କିଭଳି ସଫଳ ଓ ସୂଚାର ରୂପେ କରାଯିବ ସେ ଦିଗରେ ଜିଲ୍ଲା ପ୍ରଶାସନ ତପ୍ତର ସହ କାର୍ଯ୍ୟ କରିବାକୁ କହିଥିଲେ।

ଆଜିର ଏହି କାର୍ଯ୍ୟକ୍ରମ ଜିଲ୍ଲା ମୁଖ୍ୟାଳୟ ଏବଂ ଉମରକୋଟ ସଦର ଡାକ୍ତରଖାନା କୁ ମିଶାଇ ୪୨ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅନୁଷ୍ଠିତ କରାଯାଉଛି l ଜିଲ୍ଲା ମୁଖ୍ୟାଳୟରେ ୧୦୦୦ରୁ ଉର୍ଦ୍ଧ୍ୱ ଲୋକ ଏହି କାର୍ଯ୍ୟକ୍ରମରେ ସାମିଲ ହେଇଥିବା ବେଳେ ଜିଲ୍ଲାର ଅନ୍ୟ ସ୍ଥାନ ମାନଙ୍କରେ ମଧ୍ୟ ହଜାରରୁ ଅଧିକ ଲୋକ ଏହି କାର୍ଯ୍ୟକ୍ରମରେ ଯୋଡିହେଇଛନ୍ତି l
l ଆଜି ପ୍ରତ୍ୟେକ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ରେ ୧୦ ଟି ଆୟୁଶ୍ମାନ କାର୍ଡ ହିତାଧିକାରୀଂକୁ ପ୍ରଦାନ କରାଗଲା l ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ୧୦ ଜଣ ହିତାଧିକାରୀ ତପସ୍ଵିନୀ ଲଛମନ, ନରସିଂହ ହରିଜନ, ରମାରାଣି ରାଓ,ପ୍ରଫୁଲ୍ଲ ନାୟକ,ମୁକେଶ ଗୁପ୍ତା,ପି ଭାରତୀ ପଟ୍ଟନାୟକ,ମହମ୍ମଦ ମେହେତାବ,ଭି ନାଗ ଭୂଷଣ ରାଓ,ମଦନ ଯାନୀ, ମୁରଲୀ ବେହେରା ଙ୍କୁ ମଞ୍ଚରେ ମୁଖ୍ୟ ଅତିଥି କାର୍ଡ ପ୍ରଦାନ କରିଥିଲେ।ପର୍ଯ୍ୟାୟ କ୍ରମେ ସମସ୍ତ ହିତାଧିକାରୀଙ୍କୁ କାର୍ଡ ବିତରଣ କରାଯିବ l ଜିଲ୍ଲାର ୪୪୧ ଟି ସାଧାରଣ ଜନ ସେବା କେନ୍ଦ୍ର ଗୁଡିକ ସମ୍ପୃକ୍ତ ଅଂଚଳର ଆଶାକର୍ମୀ/ ବହୁମୁଖୀ ଜନସ୍ୱାସ୍ଥ୍ୟ କର୍ମୀମାନଙ୍କ ସହାୟତାରେ ଗ୍ରାମ ସ୍ତରରେ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରାଯିବ l ଜିଲ୍ଲାରେ ତିନୋଟି ହସ୍ପିଟାଲ୍ ଖ୍ରୀଷ୍ଟିଆନ ହସ୍ପିଟାଲ୍,ଇନ୍ଦ୍ରାବତୀ ଚକ୍ଷୁ ହସ୍ପିଟାଲ୍ ଏବଂ ସିମାଦ୍ରି ଚକ୍ଷୁ ହସ୍ପିଟାଲ୍ ବର୍ତ୍ତମାନ ପର୍ୟ୍ୟନ୍ତ ଏହି ଆୟୁଶ୍ମାନ କାର୍ଡ ସହ ଚିକିତ୍ସା ପାଇଁ ଅନୁବନ୍ଧିତ ଅଛନ୍ତି l ଏହାସହିତ ସାରା ଦେଶରେ ୨୯୦୦୦ ଘରୋଇ ଏବଂ ସରକାରୀ ହସ୍ପିଟାଲ ଏହି ଯୋଜନାରେ ତାଲିକାଭୁକ୍ତ ଅଛନ୍ତି l ନୂଆ ଏକକ କାର୍ଡ ପାଇବା ପର୍ଯ୍ୟନ୍ତ ବର୍ତ୍ତମାନର ସମସ୍ତ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ହିତାଧିକାରୀ ତାଲିକାଭୁକ୍ତ ହସ୍ପିଟାଲରେ ନିଜର ଆଧାର କାର୍ଡ ସହିତ ବର୍ତ୍ତମାନର ପାଖରେ ଥିବା ସ୍ୱାସ୍ଥ୍ୟ କାର୍ଡ ନମ୍ବର ଦେଇ ଚିକିତ୍ସା ପାଇପାରିବେ l ଏହି ପ୍ରରିପ୍ରେକ୍ଷୀରେ ହିତାଧିକାରୀଙ୍କ ସୁବିଧା ପାଇଁ ରାଜ୍ୟ ସ୍ତରରେ ଏକ କଲ୍ ସେଣ୍ଟର କରାଯାଇଛି l ଏହି ଯୋଜନାକୁ ଲୋକଙ୍କ ନିକଟକୁ ଅଧିକରୁ ଅଧିକ ପହଞ୍ଚାଇବା ପାଇଁ ଜିଲ୍ଲାରେ ୪୨ ଟି ସଚେତନତା ରଥ ବୁଲି ଲୋକଙ୍କୁ ସଚେତନ କରାଇବ ଏବଂ ପଂଚାୟତ ସ୍ତରରେ ଆଜିଠାରୁ ଆସନ୍ତା ୧୭.୪.୨୦୨୫ ପର୍ଯ୍ୟନ୍ତ ଲୋକଙ୍କୁ ଏ ସଂକ୍ରାନ୍ତରେ ସଚେତନ କରାଯିବ l ଯେପରି ଲୋକମାନେ ଏହି ଯୋଜନାର ଲାଭ ଉଠାଇପାରିବେ।ସେଭଳି ଆୟୁଶ୍ମାନ ବାୟୋ ବନ୍ଦନା ଯୋଜନା କାର୍ଡ ରେ ୭୦ ବର୍ଷ ଏବଂ ୭୦ ବର୍ଷରୁ ଉର୍ଦ୍ଧ ବୟସ୍କ ଙ୍କୁ ଅନ୍ତର୍ଭୂକ୍ତ କରି ୭ ଦିନ ମଧ୍ୟରେ ନିଜ ଘରେ ଏହି କାର୍ଡ ବିତରଣ କରାଯିବ l ହିତାଧିକାରୀ ଙ୍କ ସ୍ଵାସ୍ଥ୍ୟ ସେବା ସୁଚନାର୍ଥେ ଟୋଲ ଫ୍ରି ନଂ ୧୦୪ ଏବଂ ହେଲ୍ପ ଲାଇନ ନମ୍ବର ୧୪୫୫୫ ଉପଲବ୍ଧ ରହୁଛି।
ଏହି ଯୋଜନା ସରକାରଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ ଯାହା ଓଡିଶାର ସ୍ୱାସ୍ଥ୍ୟ ସେବାକୁ ଆହୁରି ଆଗକୁ ନେବା ସହ ଲୋକ ମାନଙ୍କୁ ଏକ ଉନ୍ନତ ଧରଣର ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ନିଶ୍ଚିତ କରାଇବ l ଏହି ଅବସରରେ କଟକ ସ୍ଥିତ ବାଲିଯାତ୍ରା ପଡିଆରେ ଅନୁଷ୍ଠିତ ହେଉଥିବା ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ସିଧାପ୍ରସାରଣକୁ ସମସ୍ତେ ଦେଖିଥିଲେ।
ଏହି କାର୍ଯ୍ୟକ୍ରମରେ ସହରର ବୁଦ୍ଧିଜୀବୀ, ସାମ୍ବାଦିକ , ଯୋଜନାର ହିତାଧିକାରୀ ଓ ପ୍ରଶାସନିକ ଅଧିକାରୀ,ସ୍ଵାସ୍ଥ୍ୟ ବିଭାଗର କର୍ମଚାରୀ, ନର୍ସିଂ କଲେଜ ଛାତ୍ରୀ ଉପସ୍ଥିତ ଥିଲେ l
ରିପୋର୍ଟ: ନବରଙ୍ଗପୁର ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *