ଜୟପୁର ସହରର ଜଗନ୍ନାଥ ସାଗରର ପୁନରୁଦ୍ଧାର ନିମନ୍ତେ ଭୂମି ପୂଜନ

ଜୟପୁର ସହରର ଜଗନ୍ନାଥ ସାଗରର ପୁନରୁଦ୍ଧାର ନିମନ୍ତେ ଭୂମି ପୂଜନ ହୋଇଯାଇଛି। ଜଗନ୍ନାଥ ସାଗର ପଙ୍କ ଉଦ୍ଧାର ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, କୋରାପୁଟ ଜିଲ୍ଲାପାଳ ଭି.କିର୍ତ୍ତୀ ଭାସନ, ଜୟପୁର ଉପଜିଲ୍ଲାପାଳ ତଥା ପୌର ନିର୍ବାହୀ ଅଧିକାରୀ ଆକାବରମ ଶଶ୍ୟ ରେଡ୍ଡୀ, ପୌର ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି ଏବଂ ଅତିରିକ୍ତ ପୌର ଅଧିକାରୀ କୃତିବାସ ସାହୁ ଅଂଶଗ୍ରହଣ କରିଥିଲେ । ଜଗନ୍ନାଥସାଗର ପଙ୍କଉଦ୍ଧାର କରିବା କାର୍ଯ୍ୟ ନିମନ୍ତେ ଜୟପୁର ପୌରପାଳିକା ତରଫୁର ପ୍ରଥମ ପର୍ଯ୍ୟାୟରେ ୭ କୋଟି ୯୧ ଲକ୍ଷ ୮୩ ହଜାର ୪୪୭ ଟଙ୍କାର ଟେଣ୍ଡର ଆହ୍ଵାନ କରାଯାଇଥିଲା ଏବଂ ଗତ ୧୭ ତାରିଖରେ ଟେଣ୍ଡର ପେପର ଖୋଲା ଯିବା ପରେ କୋକସରାର ରେପ୍ସ ଇନଫ୍ରାଟେକ୍ଟ କାମ ପାଇଁ ବିବେଚିତ ହୋଇଛି। ଠିକାସଂସ୍ଥା ରେପ୍ସ ଇନଫ୍ରାଟେକ୍ ସାଗରର ପଙ୍କ ଉଦ୍ଧାର କାର୍ଯ୍ୟକୁ ଅକ୍ଷୟ ତୃତୀୟା ଦିନ ଆରମ୍ଭ କରିଥିବା ବେଳେ ବୁଧୁବାର ଦିନ ଭୂମି ପୁଜନ କାର୍ଯ୍ୟକ୍ରମ ସରିଯାଇଚି ।
ସୂଚନାଯୋଗ୍ୟ ଯେ ‘ମୁକ୍ତା’ ଯୋଜନାରେ ୧୪ କୋଟି ଟଙ୍କା ବ୍ୟୟାରେ ୧୪୭ ଏକର ପରିମିତ ଜଗନ୍ନାଥ ସାଗରର ପୁନରୁଦ୍ଧାର କାମକୁ ପୌରପାଳିକା ତ୍ବରାନ୍ବିତ କରିଥିଲେ।
ପୂର୍ବରୁ ଜୟପୁର ସହରର ସମସ୍ତ ବାସିନ୍ଦାଙ୍କ ଏହି ୨୪୩ ବର୍ଷର ପୁରୁଣା ଜଗନ୍ନାଥ ସାଗର ପୁନରୁଦ୍ଧାର ପାଇଁ ଦାବି ରହି ଆସୁଥିବା ବେଳେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଏବଂ କୋରାପୁଟ ଜିଲ୍ଲାପାଳ ଭି କିର୍ତ୍ତୀ ଭାସନଙ୍କ ଉଦ୍ୟମରେ ପୁନରୁଦ୍ଧାର/ନବୀକରଣ କାର୍ଯ୍ୟ ଆନୁଷ୍ଠାନିକ ଭାବରେ ଆରମ୍ଭ ହୋଇପାରିଥିବା ବେଳେ ଏହା ସରିବା ପରେ ଜୟପୁର ସହରର ଏହି ଜଗନ୍ନାଥ ସାଗରର ସେହି ପୁରୁଣା ସ୍ମୃତିକୁ ପୁନର୍ଜୀବିତ କରିବା ସହ ଓଡିଶାର ପରବର୍ତ୍ତୀ ବୃହତ ପର୍ଯ୍ୟଟନ ସ୍ଥଳୀ ହେବାକୁ ଯାଉଥିବା ଏହି ଐତିହ୍ୟ ସ୍ଥଳ ପର୍ଯ୍ୟଟନକୁ ବୃଦ୍ଧି କରିବା ସଙ୍ଗେ ସଙ୍ଗେ କୋରାପୁଟର ସୌନ୍ଦର୍ଯ୍ୟକୁ ଯୋଡିବ ବୋଲି ସହରବାସୀଙ୍କ ଆଶା କରାଯାଉଛି ।
ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ