ପହଞ୍ଚି ପାରିଲାନି ୧୦୮ ଆମ୍ବୁଲାନ୍ସ

କଳାହାଣ୍ଡିରେ ଥମୁନି ଜନନୀ ଯନ୍ତ୍ରଣା, ଖଟିଆରେ ବୁହା ହେଲେ ଗର୍ଭବତୀ ମହିଳା
ଖଟିଆରେ ବୁହାହେଲେ ଗର୍ଭବତୀ ମାଆ । ଏଭଳି ଦୁଃଖଦ ଚିତ୍ର ସାମ୍ନାକୁ ଆସିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ୍ ଧନରପୁର ପଞ୍ଚାୟତ ଆମ୍ବଗୁଡ଼ା ମାଳପଡ଼ା ଗ୍ରାମରୁ ।ଗତ କାଲି ସନ୍ଧ୍ୟା ସମୟରେ ଗ୍ରାମର ଦାମୋଦର ମାଝୀ ଙ୍କ ସ୍ତ୍ରୀ ଗୋମତୀ ମାଝୀ ଙ୍କ ପ୍ରସବ ବେଦନା ହେବାରୁ ୧୦୮ ଆମ୍ବୁଲାନ୍ସ କୁ ଫୋନ କରାଯାଇଥିଲା ।
ତେବେ କାଦୁଅ ରାସ୍ତା ଯୋଗୁଁ ଆମ୍ବୁଲାନ୍ସ ଆମ୍ବଗୁଡା ନିକଟ ଦେଢ଼ କିଲୋମିଟର ଦୂର ମୁଖ୍ୟ ରାସ୍ତାରେ ଅଟକି ରହିଥିଲା । ଏପଟେ ପ୍ରସବ ଯନ୍ତ୍ରଣା ରେ ଛଟପଟ ହେଉଥାନ୍ତି ମାଆ । ପରିବାର ଲୋକେ କୌଣସି ଉପାୟ ନ ପାଇ ରାତି ଏକ ଖଟିଆ ରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେଇ ଥିଲେ।ସେଠାରୁ ଆମ୍ବୁଲାନ୍ସ ଯୋଗେ ପର୍ଲା ମେଡିକାଲ ରେ ତାଙ୍କୁ କରାଯାଇଥିଲା ।
ମେଡିକାଲ ରେ ଏକ ଶିଶୁ କନ୍ୟା ଜନ୍ମ ପରେ ପରିବାର ଲୋକେ ଏକ ଭଡ଼ା ଗାଡ଼ି ସାହାଯ୍ୟରେ ଗାଁ କୁ ଫେରିଥିଲେ ମଧ୍ୟ ଗାଡ଼ି ଡ୍ରାଇଭର କାଦୁଅ ରାସ୍ତା ରେ ଯିବାକୁ ମନା କରି ସେହିଠାରେ ଛାଡ଼ି ଯାଇଥିଲା ।ସେଠାରୁ ପୁଣି ମାଆ ଓ ନବଜାତ ଶିଶୁ କୁ ଖଟିଆରେ ବୋହି ଘରକୁ ଆଣିଥିଲେ ପରିବାର ବର୍ଗ। ରାଜ୍ୟ ସରକାର ଗ୍ରାମାଞ୍ଚଳ ରାସ୍ତା ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ଉକ୍ତ ଗ୍ରାମର ରାସ୍ତା ଅବହେଳିତ ଅବସ୍ଥାରେ ପଡ଼ିରହିଛି ।
ଦୀର୍ଘବର୍ଷ ହେବ ପଡ଼ାବାସି ପକ୍କା ରାସ୍ତା ପାଇଁ ସ୍ଥାନୀୟ ବିଧାୟକ, ଜନ ପ୍ରତିନିଧି ଙ୍କୁ ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା କହିଛନ୍ତି । ଅତୀତରେ ମଧ୍ୟ ଅନେକ ରୋଗୀଙ୍କୁ ଖଟିଆରେ ବୋହି ନେଇଥିବା ପ୍ରକାଶ କରିଛନ୍ତି ଗ୍ରାମବାସୀ।
କଳାହାଣ୍ଡି ଜିଲ୍ଲା ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )