ବିକଶିତ ଓଡ଼ିଶା ପାଇଁ ବିକଶିତ ଜିଲ୍ଲା’ କର୍ମଶାଳା

କଟକ : ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତି ଉପଲକ୍ଷେ ଆଜି ‘ବିକଶିତ ଓଡ଼ିଶା ପାଇଁ ବିକଶିତ ଜିଲ୍ଲା’ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ପ୍ରଭାରୀ ମନ୍ତ୍ରୀ ତଥା ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଉକ୍ତ କର୍ମଶାଳାରେ ଯୋଗ ଦେଇ କହିଥିଲେ ଯେ ବିକଶିତ ଜିଲ୍ଳା ଲକ୍ଷ୍ୟ ପୂରଣ ଉଦ୍ଦେଶ୍ୟରେ ଜିଲ୍ଲାର କୃଷି ଓ କୃଷକମାନଙ୍କୁ ସଶକ୍ତ କରାଯାଉଅଛି । ସରକାର ଧାନର ଇନପୁଟ ସବସିଡି ମୂଲ୍ୟ ବୃଦ୍ଧି କରିବା ସହ କୃଷକମାନଙ୍କୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ଚାଷ କରିବା ପାଇଁ ଭିତିଭୂମୀ ଓ ପ୍ରଶିକ୍ଷଣ ଯୋଗାଇଦେଉଛନ୍ତି । ଏଥିସହ ଜୈବିକ କୃଷି ମାଧ୍ୟମରେ ଅଧିକ ଅମଳ ଲକ୍ଷ୍ୟ ହାସଲ ନିମନ୍ତେ ତାଲିମ ପ୍ରଦାନ କରାଯାଉଛି ।
କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ କଟକ ସଦର ଇଂ. ପ୍ରକାଶ ଚନ୍ଦ୍ର ସେଠୀ ଓ ମାନ୍ୟବର ବିଧାୟକ ବଡମ୍ବା ଶ୍ରୀ ବିଜୟ କୁମାର ଦଳବେହେରା ଯୋଗ ଦେଇ ଗତ ଏକ ବର୍ଷ ମଧ୍ୟରେ ସରକାରଙ୍କ ଉପଲବଧି ଓ ଆସନ୍ତା ବର୍ଷମାନଙ୍କରେ ଜନସାଧାରଣଙ୍କ ଲକ୍ଷ୍ୟପୂରଣ ଦିଗରେ କି କି ପ୍ରମୁଖ ପଦକ୍ଷେପ ଗ୍ରହଣ କରାଯିବାର ଲକ୍ଷ୍ୟ ରହିଛି ସେ ବିଷୟ ଉପସ୍ଥାପନ କରିଥିଲେ । ବଡମ୍ବା ନିର୍ବାଚନ ମଣ୍ଡଳୀ ଅଂଚଳରେ ଅନେକ ପର୍ଯ୍ୟଟନସ୍ଥଳୀର ବିକାଶ କରାଯାଇପାରିବ ଏବଂ ଏହା ସମଗ୍ର ରାଜ୍ୟରେ ପର୍ଯ୍ୟଟନ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିବ ବୋଲି ବିଧାୟକ ଶ୍ରୀ ଦଳବେହେରା ପ୍ରକାଶ କରିଥିଲେ । ଜିଲ୍ଳା ପରିଷଦ ସହକାରୀ ନିର୍ବାହୀ ଅଧିକାରୀ ଶ୍ରୀମତୀ ବନ୍ଦନା ଖଟୁଆ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ ଅତିରିକ୍ତ ଜିଲ୍ଲାପାଳ ଡଃ. ଇପସିତା ପ୍ରିୟଦର୍ଶିନୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ‘ସଫଳତାର ବର୍ଷ ଏକ, କଟକ ପ୍ରଗତିର ପ୍ରତୀକ’ ଶୀର୍ଷକ ପୁସ୍ତିକା ଉନ୍ମୋଚିତ ହୋଇଥିଲା ।
କଟକ ଇପିଏ ରୁ ଲଳିତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )