July 27, 2025
Home » ପ୍ରଧାନମନ୍ତ୍ରୀଙ୍କୁ କୋଶଲ ସାହିତ୍ୟ ସଂସ୍କୃତି ଏକାଡେମୀ ର ଦାବିପତ୍ର

ପ୍ରଧାନମନ୍ତ୍ରୀଙ୍କୁ କୋଶଲ ସାହିତ୍ୟ ସଂସ୍କୃତି ଏକାଡେମୀ ର ଦାବିପତ୍ର

0
WhatsApp Image 2025-06-17 at 12.55.35 PM

ସୁବର୍ଣ୍ଣପୁର: ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମାସ 20 ତାରିଖ ଦିନ ଓଡିଶା ଗସ୍ତରେ ଆସିବା କାର୍ଯ୍ୟକ୍ରମ ଅଛି I ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ କୋଶଲ ସାହିତ୍ୟ ସଂସ୍କୃତି ଏକାଡେମୀ ତରଫରୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ଯହିଁରେ ଉଲ୍ଲେଖ ଅଛିଯେ ଓଡିଆ ଅସ୍ମିତା ନାମରେ ପଶ୍ଚିମ ଓଡିଶାର ପ୍ରାଚୀନ ଓ ଉନ୍ନତ ଭାଷା ସଂସ୍କୃତିକୁ ନିର୍ମମ ଭାବରେ ହତ୍ୟାକରି ସମାଧି ଦେଇ ଦେବାକୁ ଓଡିଶାର ଡବଲ ଇଂଜିନ ସରକାର ହୀନ ଚକ୍ରାନ୍ତ କରୁଛନ୍ତି I ଏତଦ୍ବାରା ପଶ୍ଚିମ ଓଡିଶାର ସାଧାରଣ ଜନତା ତଥା ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ଓ ଅସନ୍ତୋଷ ପ୍ରକାଶ ପାଉଛି I ଉକ୍ତ ସ୍ମାରକ ପତ୍ରରେ ପ୍ରଧାନମନ୍ତ୍ରୀଙ୍କୁ ସ୍ମରଣ କରାଇ ଦିଆଯାଇଛି ଯେ କୋଶଲି / ସମ୍ବଲପୁରୀ ଭାଷାର ସାମ୍ବିଧାନିକ ମାନ୍ୟତା ସଂକ୍ରାନ୍ତ ଫାଇଲ 2014 ମସିହାରୁ କେନ୍ଦ୍ର ସ୍ବରାଷ୍ଟ୍ର ବିଭାଗରେ ଶୀତଳ ଭଣ୍ଡାରରେ ପଡି ରହିଛି ଯାହାର ଅଭାବରେ ପଶ୍ଚିମ ଓଡିଶାର ଶିଶୁ ତଥା ଆଦିବାସୀ ଶିଶୁମାନେ ସେମାନଙ୍କ ମାତୃଭାଷାରେ ପ୍ରାଥମିକ ସ୍ତରରେ ଶିକ୍ଷାଦାନରୁ ବଂଚିତ ହେଉଛନ୍ତି I ଏତଦ୍ବାରା ପଶ୍ଚିମ ଓଜିଶାର ସାଧାରଣ ବର୍ଗ ତଥା ଆଦିବାସୀ ଛାତ୍ର ଛାତ୍ରୀମାନଙ୍କ ବୌଦ୍ଧିକ ବିକାଶରେ ବିଧା ଉପୁଜୁଛି ଏବଂ ଏ ଅଂଚଳରେ ଅପାଠୁଆ ଓ ଅଧାରୁ ପାଠ ଛାଡୁଥିବା ଛାତ୍ର ଛାତ୍ରୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି I ତାଙ୍କ ଓଡିଶା ଗସ୍ତ କାଳରେ ଏଥିପ୍ରତି ଦୃଷ୍ଟି ଦେବାକୁ ପ୍ରଧାନ ମନ୍ତ୍ରୀଙ୍କୁ ନିବେଦନ କରାଯାଇଛି I ସ୍ମାରକ ପତ୍ରର ନକଲ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ବିହିତ ପ୍ରତିକାର ନିମନ୍ତେ ପ୍ରଦାନ କରାଯାଇଛି l

ରିପୋର୍ଟ — ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *