December 21, 2025
Home » ବିଏମ୍ ସି ପକ୍ଷରୁ ସଡ଼କ ସୁରକ୍ଷା ଉପରେ ଡ୍ରାଇଭର ସଚେତନତା କାର୍ଯ୍ୟକ୍ରମ

ବିଏମ୍ ସି ପକ୍ଷରୁ ସଡ଼କ ସୁରକ୍ଷା ଉପରେ ଡ୍ରାଇଭର ସଚେତନତା କାର୍ଯ୍ୟକ୍ରମ

0
WhatsApp Image 2025-06-18 at 5.31.19 PM

ଶୂନ ଦୁର୍ଘଟଣା ପାଇଁ ଶପଥ ନେଲେ ପ୍ରାୟ 200 ଡ୍ରାଇଭର

ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି) ପକ୍ଷରୁ ଶୂନ ଦୁର୍ଘଟଣା ଦିବସ ବା ଜିରୋ ଆକ୍ସିଡେଣ୍ଟ ଡେ ପାଳନ ଅବସରରେ ଡ୍ରାଇଭରମାନଙ୍କୁ ସଚେତନତା ସହ ତାଲିମ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଠ ନମ୍ବର କମ୍ୟୁନିଟ୍ ହଲରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମାନନୀୟା ମେୟର ଶ୍ରୀମତୀ ସୁଲୋନଚା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଅନ୍ୟତମ ଅତିଥି ଭାବେ ସ୍ଥାନୀୟ କର୍ପୋରେଟର ଶ୍ରୀମତୀ ସମୀତା ମହାନ୍ତି, ଅତିରିକ୍ତ କମିଶନର ଶ୍ରୀ ରତ୍ନାକର ସାହୁ, ଶ୍ରୀ କୈଳାସ ଚନ୍ଦ୍ର ଦାସ, ବିଏମ୍ ସିର ବହୁ ଅଧିକାରୀ ଓ କର୍ମଚାରୀ ଯୋଗଦେଇଥିଲେ । ଆମନ୍ତ୍ରିତ ଅତିଥି ଭାବେ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ତଥା ସେଣ୍ଟର ଅଫ୍ ଏକ୍ସଲେନ୍ସ ଫର୍ ରୋଡ୍ ସେଫ୍ଟି, ଆଇଆଇଟି ମାଡ୍ରାସର ପ୍ରମୁଖ ପ୍ରକଳ୍ପ ଅଧିକାରୀ ଶ୍ରୀ ଗଙ୍ଗାଧର ସାହୁ ଯୋଗଦେଇଥିଲେ । ସଡ଼କ ସୁରକ୍ଷା ସଚେତନତା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ବିଏମ୍ ସି ପକ୍ଷରୁ ଡ୍ରାଇଭର ସଚେତନତା ଓ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସଡକ ସୁରକ୍ଷାର ଗୁରୁତ୍ୱ ଉପରେ ଡ୍ରାଇଭରମାନଙ୍କୁ ଶିକ୍ଷିତ କରାଇବା ଏବଂ ଦାୟିତ୍ୱବାନ ଡ୍ରାଇଭିଂ ଅଭ୍ୟାସକୁ ପ୍ରୋତ୍ସାହିତ କରିବା । ଏହି କାର୍ଯ୍ୟକ୍ରମରେ ବିଏମ୍ ସିର ପ୍ରାୟ 200 ଡ୍ରାଇଭର ଅଂଶ ଗ୍ରହଣ କରିଥିଲେ । ମଦ୍ୟ ପାନ କରି ଗାଡି ନ ଚଳାଇବା, ଗାଡି ଚଳାଇବା ବେଳେ ମୋବାଇଲରେ କଥା ନ ହେବା, ବାଇଟ୍ ଚଳାଇବା ବେଳେ ହେଲମେଟ ଏବଂ ଗାଡି ଚଳାଇବା ବେଳେ ସିଟ୍ ବେଲ୍ଟ ପିନ୍ଧିବା, ଟ୍ରାଫିକ୍ ନିୟମମାନି ଗାଡି ଚଳାଇବା, ବିପରିତ ଦିଗରେ ଗାଡି ନ ଚଳାଇବା, ରାସ୍ତା ବ୍ୟବହାରକାରୀ ଅନ୍ୟମାନଙ୍କୁ ଅସୁବିଧାରେ ନ ପକାଇବା ଆଦି ସଂପର୍କରେ ମାନନୀୟା ମେୟର ଶ୍ରୀମତୀ ଦାସ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ । ଜୁନ୍ 3 ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଛି । ରାଜ୍ୟରେ ସଡକ ଦୁର୍ଘଟଣା ହ୍ରାସ କରିବା ସହ ସଡକ ସୁରକ୍ଷା ସଂସ୍କୃତିକୁ ପ୍ରୋତ୍ସାହିତ କରିବା ଏହି ଅଭିଯାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବୋଲି କୁହାଯାଇଛି ।

“ସଡ଼କ ସୁରକ୍ଷା ହେଉଛି ଏକ ସାମୂହିକ ଦାୟିତ୍ୱ । ନିରାପଦ ସଡ଼କ ସୁନିଶ୍ଚିତ କରିବା ପ୍ରତ୍ୟେକ ବ୍ୟକ୍ତିର ପ୍ରୟାସ ହେବା ଆବଶ୍ୟକ ବୋଲି କହିଛନ୍ତି ମାନନୀୟା ମେୟର ଶ୍ରୀମତୀ ଦାସ । ସଡ଼କ ସୁରକ୍ଷା ସଂପର୍କରେ ଡ୍ରାଇଭରମାନଙ୍କୁ ଶିକ୍ଷିତ କରିବା ପାଇଁ ବିଏମ୍ ସି ଏବଂ ରାଜ୍ୟ ବାଣିଜ୍ୟ ଓ ପରିହବନ ବିଭାଗ ମିଳିତ ଭାବେ ଏହି ପଦକ୍ଷେପ ନେଇଥିବାରୁ ସେ ଭୂୟସୀ ପ୍ରଶଂସା କରିଥିଲେ । ସମସ୍ତ ଡ୍ରାଇଭର ଏହି ପ୍ରଶିକ୍ଷଣକୁ ଗମ୍ଭୀରତାର ସହ ନିଅନ୍ତୁ ଏବଂ ନିରାପଦ ଡ୍ରାଇଭିଂ ଅଭ୍ୟାସ ଗ୍ରହଣ କରନ୍ତୁ ବୋଲି ସେ ଉପସ୍ଥିତ ଡ୍ରାଇଭରମାନଙ୍କୁ ପରାମର୍ଶ ଦେଇଛନ୍ତି ।
“ସଡ଼କ ସୁରକ୍ଷା କେବଳ ନିୟମ ପାଳନ କରିବା ନୁହେଁ, ଏହା ସୁରକ୍ଷାକୁ ପ୍ରାଥମିକତା ଦେଉଥିବା ମାନସିକତା ଗ୍ରହଣ କରିବା ଦରକାର । ଗାଡି ଚଳାଇବା ବେଳେ ସମସ୍ତ ନିୟମ ମାନିବା ସହ ଶାରୀରିକ ଓ ମାନସିକ ସ୍ଥରରେ ଠିକ୍ ରହିବା ଦରକାର । ସବୁଠାରୁ ବଡ କଥା ହେଉଛି ଯେ ଡ୍ରାଇଭରମାନେ ଅନ୍ୟ ସଡକ ବ୍ୟବହାରକାରୀଙ୍କ ପ୍ରତି ବିନମ୍ର ହେବା ଜରୁରୀ । ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ଡ୍ରାଇଭରମାନେ ଯଦି ନିଶ୍ଚିତ ନିୟମମାନି ଗାଡି ଚଳାନ୍ତି, ତେବେ ଭୁବନେଶ୍ୱରରେ ସଡ଼କ ଦୁର୍ଘଟଣା ହ୍ରାସ କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇବ ବୋଲି କହିଛନ୍ତି ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଶ୍ରୀ ଗଙ୍ଗାଧର ସାହୁ । ଏହା ପରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କିଛି ଡ୍ରାଇଭର ମଧ୍ୟ ସେମାନଙ୍କର ଅଭିଜ୍ଞତା ଓ ଅଭ୍ୟାସ ସଂପର୍କରେ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ କମିଶନର ଶ୍ରୀ ରତ୍ନାକର ସାହୁ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅତିରିକ୍ତ କମିଶନର ଶ୍ରୀ କୈଳାସ ଚନ୍ଦ୍ର ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *