ରାୟଗଡ଼ା ସକ୍ଷମ ପକ୍ଷରୁ ପ୍ରତିଷ୍ଠା ଦିବସ ପାଳନ

ରାୟଗଡା : ୨୦୦୮ ମସିହାରେ ଆରମ୍ଭ ହେଇଥିଲା ସଂଗଠନ ସମଦୃଷ୍ଟି କ୍ଷମତା ବିକାଶ ଏବଂ ଅନୁସନ୍ଧାନ ମଣ୍ଡଳ ସଂଗଠନ, ସଂକ୍ଷେପରେ ସକ୍ଷମ । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଏକ ବିବିଦ୍ଧକ୍ଷେତ୍ର ହେଉଛି ସକ୍ଷମ, ଯେଉଁ ସଂଗଠନ ସମଗ୍ର ୨୧ ପ୍ରକାରର ଦିବ୍ୟାଙ୍ଗ ମାନଙ୍କ ପାଇଁ ଭାରତର ସମସ୍ତ ଜିଲ୍ଲା ଓ ରାଜ୍ୟ ରେ କାମ କରିଆସୁଛି । ଆଜି ରାୟଗଡା ଠାରେ ସକ୍ଷମ ଓଡିଶା ପଶ୍ଚିମ ପ୍ରାନ୍ତ ତରଫରୁ ସକ୍ଷମର ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମ ରାୟଗଡା ନଗରର ବିଦ୍ୟା ନଗର ସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି । ରାଜ୍ୟ ସଂରକ୍ଷକ ଡକ୍ଟର ବାଦଲ କୁମାର ତା ଙ୍କ ଉପସ୍ଥିତିରେ ରାୟଗଡା ଜ଼ିଲ୍ଲା ସଭାନେତ୍ରୀ ଅନିତା ନନ୍ଦଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ସଫଳ ଭାବେ ଅନୁଷ୍ଠିତ ହୋଇଛି । ପ୍ରାନ୍ତ ସଚିବ ଶ୍ୟାମ କୁମାର ଦାଶ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଏମ ବିଦ୍ୟା ସାଗର, ଟି ନାଗରାଜୂ, ଅଜୟ ଚୂଲେଟ, ରାମକୃଷ୍ଣ ପାଣିଗ୍ରାହୀ ଓ ବିଜୟ ଉଲ୍ଲକା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବାପାଇଁ ସହଯୋଗ କରିଥିଲେ ।
ରାୟଗଡା ଭିନକ୍ଷମ ମହାସଂଘର ସଭାପତି ରାକେଶ ହିମିରିକା ଓ ଉପସଭାପତି ସନ୍ତୋଷ ମହାପାତ୍ର ଉପସ୍ଥିତ ରହି ସକ୍ଷମର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଦିବ୍ୟାଙ୍ଗ ମିତ୍ର ଭାବେ କାର୍ଯ୍ୟକ୍ରମରେ ସହଭାଗୀତା କରିଥିଲେ । ସେହିପରି ଓଡିଶା ବିକଳାଙ୍ଗ ମଞ୍ଚର ରାୟଗଡା ଜ଼ିଲ୍ଲା ସମ୍ପାଦକ ଜଳନ୍ଧର ବାଚେଲି ଉପସ୍ଥିତ ରହି ନିଜର ବକ୍ତବ୍ୟ ରଖିଥିଲେ ।
କାର୍ଯ୍ୟକ୍ରମରେ ପ୍ରଥମେ ଜ଼ିଲ୍ଲା ସଭାପତି ପ୍ରାଧ୍ୟାପିକା ଅନୀତା ନନ୍ଦ ସ୍ୱାଗତ ଭାଷଣ ଦେଇ ମଞ୍ଚାସୀନ ବ୍ୟକ୍ତିମାନଙ୍କ ଦ୍ୱାରା ଦୀପ ପ୍ରଜ୍ବଳନ କରାଇଥିଲେ । ରାକେଶ ହିମିରିକା ଯିଏ ନିଜେ ଶତ ପ୍ରତିଶତ ଦୃଷ୍ଟିହୀନ ଦିବ୍ୟାଙ୍ଗ ନିଜର କଳା ତଥା ଗୀତ ଓ କ୍ୟାସିଓ ବଜାଇବା ମାଧ୍ୟମରେ ସ୍ୱାଗତ ଗୀତ ଗାନ କରି ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ୮୦% ରୁ ଅଧିକ ଦିବ୍ୟାଙ୍ଗ ମାନଙ୍କ ଭତ୍ତା ୩୫୦୦ଟଙ୍କା କୁ ବୃଦ୍ଧି କରିବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଘର ପ୍ରଦାନ କରିଥିବା ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଶ୍ୟାମ କୁମାର ଦାଶ ସକ୍ଷମ ବିଷୟରେ ଆଲୋକପାତ କରିବା ସହ ଜ଼ିଲ୍ଲାରେ କିପରି ଦିବ୍ୟାଙ୍ଗ ମାନଙ୍କ ମୁଖ୍ୟ ସଂଗଠନ ସକ୍ଷମ ଆଗକୁ ସାଙ୍ଗଠନିକ ରୂପରେ ସଶକ୍ତ ହେଇ ଦିବ୍ୟାଙ୍ଗ ମାନଙ୍କ ପାଇଁ କାମ କରିବ ସେବିଷୟରେ କହିଥିଲେ । ଡକ୍ଟର ତା ସକ୍ଷମର ଆଗାମୀ ଯୋଜନା ସହ ଦିବ୍ୟାଙ୍ଗ ମାନେ କିପରି ସଶକ୍ତ ହେବେ ଓ ୨୦୧୬ ଅଧିନିୟମ ଅନୁସାରେ ନିଜର ହକ୍ ପାଇଁ ସରକାରଙ୍କ ଉପରେ ଏକ ସକାରାତ୍ମକ ଚାପ ପ୍ରୟୋଗ କରିବେ ସେ ବିଷୟରେ ଆଲୋଚନା କରି ସମସ୍ତ ଦିବ୍ୟାଙ୍ଗ, ଦିବ୍ୟାଙ୍ଗ ମିତ୍ର ଓ ସକ୍ଷମର କାର୍ଯ୍ୟକର୍ତ୍ତା ମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ । ପରିଶେଷରେ ଶ୍ୟାମ ଦାଶ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମକୁ ସମାପନ କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମ ମୁଖ୍ୟ ଆକର୍ଷଣ ଭାବେ ଜ଼ିଲ୍ଲାର ଜଣେ ପୁରୁଷ ଓ ଆସୁ ଜଣେ ମହିଳା ସ୍ବାବଲମ୍ବୀ ଦିବ୍ୟାଙ୍ଗଙ୍କୁ ତାଙ୍କର ସ୍ୱାବଲମ୍ବନ ପାଇଁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା । ସେହିପରି ସମସ୍ତ ଦିବ୍ୟାଙ୍ଗ ମାନଙ୍କୁ ଉପହାର ସ୍ୱରୂପ ଗୋଟିଏ ଛତା ଓ ବେଡ଼ସିଟ ଦିଆଯାଇଥିଲା । ଦିବ୍ୟାଙ୍ଗ ମାନଙ୍କୁ ନେଇ ଉକ୍ତ ସାମାଜିକ କାର୍ଯ୍ୟକ୍ରମ କରିଥିବାରୁ ସାଧାରଣରେ ସକ୍ଷମକୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟିଛି ।