July 1, 2025
Home » ବିଜେପି ସରକାରର କୃଷି ମାରଣ ନୀତି ବିରୁଦ୍ଧରେ ପ୍ରଦେଶ କିଷାନ କଂଗ୍ରେସ ରାସ୍ତାକୁ ଓହ୍ଲାଇବ

ବିଜେପି ସରକାରର କୃଷି ମାରଣ ନୀତି ବିରୁଦ୍ଧରେ ପ୍ରଦେଶ କିଷାନ କଂଗ୍ରେସ ରାସ୍ତାକୁ ଓହ୍ଲାଇବ

0
WhatsApp Image 2025-06-25 at 7.04.03 PM

ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ବୈଠକରେ ନିଷ୍ପଭି

ଭୁବନେଶ୍ୱର, ୨୫.୬- ଆଜି ଭୁବନେଶ୍ଵର କଂଗ୍ରେସ ଭବନ ଠାରେ ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସର ରାଜ୍ୟସ୍ତରୀୟ କାର୍ଯ୍ୟକାରୀ କମିଟିର ଏକ ଗୁରୁତ୍ୱପୂର୍ଣ ବୈଠକ କିଷାନ କଂଗ୍ରେସର ଅଧ୍ୟକ୍ଷ ଶ୍ରୀ ଅଭୟ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବୈଠକର ପ୍ରାରମ୍ଭରେ ଦିବଙ୍ଗତ କିଷାନ ମାନଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଦୁଇମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ଓ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରାଯାଇଥିଲା। ପରେ ବୈଠକରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଓ କିଷାନ ଅଧ୍ୟକ୍ଷ ଶ୍ରୀ ଅଭୟ ସାହୁଙ୍କୁ ପୁଷ୍ପଗୁଛ ଓ ଉତରୀୟ ପ୍ରଦାନ ପୂର୍ବକ ସ୍ବାଗତ କରାଇଥିଲେ। ଏହି ବୈଠକକୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଉଦ୍‌ଘାଟନ କରି କହିଲେ ଯେ, ବିଜେପି ସରକାରଙ୍କ କୃଷି ଓ କୃଷକ ମାରଣ ନୀତି ଓ କର୍ପୋରେଟ ସପକ୍ଷ ନୀତି ବିରୁଦ୍ଧରେ ପ୍ରଦେଶ କିଷାନ କଂଗ୍ରେସ ସାରା ଓଡ଼ିଶାରେ ବ୍ୟାପକ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଆହ୍ବାନ ଦେଇଥିଲେ। ସେହିପରି ଧାନ କିଣାବେଳେ କଟନି ଛଟନି ବନ୍ଦ ସହ ବିଭିନ୍ନ ନଗଦ ଓ ଦୀର୍ଘମିଆଦି ଦାବିର ସମାଧାନ ନହେଲେ ସରକାର ଓ ଶାସନକଳ ବିରୁଦ୍ଧରେ ଜୋରଦାର ପ୍ରତିବାଦ କରିବାକୁ ରାଜ୍ୟର କୃଷକ ଶ୍ରେଣୀ ଏହାକୁ ଏକ ବଡ଼ ଚ୍ୟାଲେଞ୍ଜ ଭାବରେ ଗ୍ରହଣ କରିବାକୁ ଉଦାତ୍ତ ଆହ୍ୱାନ ଦେଇଥିଲେ ।

ଏହି ବୈଠକରେ କିଷାନ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ଅମିୟ କୁମାର ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ, ପୂର୍ବତନ ବିଧାୟକ ରବିନ୍ଦ୍ର କୁମାର ମଲ୍ଲିକଙ୍କ ସମେତ ରାଜ୍ୟର ପ୍ରାୟ ୨୦ରୁ ଅଧିକ ଚାଷୀ ନେତା ଉଦ୍‌ବୋଧନ ଦେଇ ଚାଷୀମାନଙ୍କର ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ । ସ୍ବାମିନାଥନ କମିଶନର ସୁପାରିଶକୁ ଲାଗୁ କରିବା, ୩୦୦ ୟୁନିଟି ବିଜୁଳି ମାଗଣା ଦେବା, ଚାଷୀଙ୍କୁ ୫୫ ବର୍ଷରେ ୧୦ ହଜାର ଭତା ପ୍ରଦାନ ସଂପୂର୍ଣ ଜଳସେଚନ ଓ ଜଳ ନିଷ୍କାସନ ସହ ବନ୍ୟା ଓ ମରୁଡ଼ିର ସ୍ଥାୟୀ ପ୍ରତିକାର ପାଇଁ ସରକାର ତୁରନ୍ତ ବର୍ଷାଦିନର ପୂର୍ବରୁ ବ୍ୟବସ୍ଥା ନକଲେ ପଞ୍ଚାୟତ, ବ୍ଳକ, ଜିଲ୍ଲା ଓ ରାଜଧାନୀ ପର୍ଯ୍ୟନ୍ତ ଲଢ଼େଇକୁ ଜୋରଦାର କରାଯିବ ବୋଲି ଆଜିର ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆଗାମୀ ଦିନରେ ଲଢ଼େଇକୁ ଜୋରଦାର କରିବାପାଇଁ ସର୍ବଶ୍ରୀ ଅଭୟ ସାହୁ, ଅମିୟ ପଟ୍ଟନାୟକ, ଦେବାଶିଷ ନାୟକ, ରବିନ୍ଦ୍ର କୁମାର ମଲ୍ଲିକ ଓ ଅରୁଣ ଜେନାଙ୍କୁ ନେଇ ଏକ ଆଡହକ ଟିମ ଗଠନ କରାଯାଇଛି । ଉକ୍ତ ଟିମ ପ୍ରଥମ ପର୍ଯ୍ୟାୟରେ ଦକ୍ଷିଣ ଓଡ଼ିଶା ଗସ୍ତ କରି ବିଜେପି ସରକାରର ପ୍ରତ୍ୟେକ କୃଷି ଓ କୃଷକ ବିରୋଧ ପଦକ୍ଷେପ ବିରୁଦ୍ଧରେ ରାସ୍ତାଉପରେ ଗଣତାନ୍ତ୍ରିକ ପଦ୍ଧତିରେ ଜବାବ ଦେବାପାଇଁ ସଂପୃକ୍ତ ଜିଲ୍ଲା ସଂଗଠନକୁ ଶାଣିତ କରିବ । ସେହିପରି ଦ୍ବିତୀୟ ପର୍ଯ୍ୟାୟରେ ଓଡ଼ିଶାର ଅବଶିଷ୍ଟ ଜିଲ୍ଲାକୁ ଗସ୍ତ କାର୍ଯ୍ୟକ୍ରମ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସମସ୍ତ ଜିଲ୍ଲାରେ କିଷାନ କଂଗ୍ରେସ ସଂଠନକୁ ସୁଦୃଢ଼ କରିସାରିବା ପରେ ଆସନ୍ତା ଅକ୍ଟୋବର ବା ନଭେମ୍ବର ମାସରେ ରାଜଧାନୀ ଭୁବନେଶ୍ୱରରେ ଏକ ବିଶାଳ କୃଷକ ସମ୍ମିଳନୀ ପ୍ରଦେଶ କିଷାନ କଂଗ୍ରେସ ଆହ୍ୱାନରେ ଅନୁଷ୍ଠିତ ହେବ ବୋଲି ନିଷ୍ପତି ହୋଇଛି। ଆଜିର ଏହି ବୈଠକରେ ରାଜ୍ୟର ଏବଂ ସମସ୍ତ ଜିଲ୍ଲାର କିଷାନ କଂଗ୍ରେସ କର୍ମକର୍ତ୍ତା ଓ ପଦାଧୂକାରୀ ଯୋଗଦେଇଥିଲେ । ଶେଷରେ ବିପ୍ରବର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *