August 27, 2025
Home » ସନ୍ଥକବି ଭୀମଭୋଇଙ୍କ କଳାକୃତିର ଡିଜିଟାଇଜେସନ ହେବ: ସଂସ୍କୃତି ମନ୍ତ୍ରୀ

ସନ୍ଥକବି ଭୀମଭୋଇଙ୍କ କଳାକୃତିର ଡିଜିଟାଇଜେସନ ହେବ: ସଂସ୍କୃତି ମନ୍ତ୍ରୀ

0
WhatsApp Image 2025-08-17 at 12.52.15 PM

ସୁବର୍ଣ୍ଣପୁର: ଚଳିତବର୍ଷ ସନ୍ଥକବି ଭୀମ ଭୋଇଙ୍କ ୧୭୫ତମ ଜନ୍ମଜୟନ୍ତୀ ପାଳନ ଅବସରରେ ତାଙ୍କର ସାହିତ୍ୟ କଳାକୃତିଗୁଡିକର ଡିଜିଟାଇଜେସନ କରାଯିବ। ଏହା ସହିତ ଖଲିଆପାଲି ସ୍ଥିତ ତାଙ୍କର ସାଧନା,ସିଦ୍ଧି ଓ ସମାଧି ପୀଠ ର ସର୍ବାଙ୍ଗୀନ ବିକାଶ କରାଯିବ ବୋଲି ସ୍ୱାଧୀନତା ଦିବସରେ ପୀଠକୁ ପରିଦର୍ଶନରେ ଆସି ରାଜ୍ୟସରକାରଙ୍କ ସଂସ୍କୃତି, ଭାଷା ସାହିତ୍ୟ, ଉଚ୍ଚଶିକ୍ଷା ଓ କ୍ରୀଡାବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି। ଶୁକ୍ରବାରଦିନ ମନ୍ତ୍ରୀ ସୁବର୍ଣ୍ଣପୁରଠାରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସରେ ମୁଖ୍ୟଅତିଥି ଭାବରେ ଯୋଗ ଦେଇ ପତାକାଉତ୍ତୋଳନ ପରେ ଖଲିଆପାଲି ସ୍ଥିତ ଭୀମଭୋଇଙ୍କ ସମାଧିପୀଠ, ଚରଦାର ଚରଦେଇ ପୀଠ, କୋଟସମଲେଇ ସ୍ଥିତ ପାତାଳୀଶ୍ରୀକ୍ଷେତ୍ରକୁ ପରିଦର୍ଶନ କରିଥିଲେ। ତାଙ୍କ ସାଙ୍ଗରେ ବୀରମହାରାଜପୁର ବିଧାୟକ ଇଂ.ରଘୁନାଥ ଜଗଦଲା, ସୁବର୍ଣ୍ଣପୁର ଜିଲ୍ଲାପାଳ ଡ.ନୃପରାଜ ସାହୁ, ଏସପି ନାରାୟଣ ନାୟକ, ଉପଜିଲ୍ଲାପାଳ ଡ.ସୌମ୍ୟାଶ୍ରୀ ରଥ ପ୍ରମୁଖ ଯୋଗଦେଇଥିଲେ।
ଖଲିଆପାଲିଠାରେ ଭୀମଭୋଇ ସମାଧିପୀଠ ଟ୍ରଷ୍ଟ ପକ୍ଷରୁ ମେନେଜିଂଟ୍ରଷ୍ଟି ଛତ୍ରଧାରୀ ଅଗ୍ରୱାଲ, ମହାଦେବ ବଗର୍ତ୍ତି, ମିଲୁ ବଗର୍ତ୍ତି, ସୁମନ୍ତ ପଟେଲ, ମିଲୁ ତାଣ୍ଡି, ଅଶୋକ ବଡମାଳି ପ୍ରମୁଖ ଅତିଥିଗଣଙ୍କୁ ଭବ୍ୟସ୍ୱାଗତ କରିଥିଲେ। ମନ୍ତ୍ରୀ ସୂର୍ଯ୍ୟବଂଶୀ ସନ୍ଥକବି ଙ୍କ ପାଦୁକାମନ୍ଦିର ଓ ମ୍ୟୁଜିୟମକୁ ପରିଦର୍ଶନ କରିବା ସହିତ ସମାଧିମନ୍ଦିରରେ ଜଗତରକଲ୍ୟାଣ ପାଇଁ ଦୀପଦାନ କରିଥିଲେ । ସମାଧିପୀଠର ସନ୍ୟାସୀ ବାବା,ସାଧୁ ପ୍ରଣବାନନ୍ଦ ଦାସଙ୍କ ସହ ମହିମାଭକ୍ତଙ୍କ ମହିମାଡାକରେ ପୀଠ କମ୍ପି ଉଠିଥିଲା। ମ୍ୟୁଜିୟମରେ ସନ୍ଥକବିଙ୍କ ସ୍ତୁତିଚିନ୍ତାମଣୀ ସମେତ ଅନ୍ୟାନ୍ୟ ପାଣ୍ଡୁଲିପି ଦେଖି ମନ୍ତ୍ରୀ ଭାବବିହ୍ୱଳ ହୋଇପଡିଥିଲେ । ଏହାର ସଂରକ୍ଷଣ ପାଇଁ ସରକାର ପଦକ୍ଷେପ ନେବେ ଓ ଏହାର ଡିଜିଟାଇଜେସନ କରାଇବେ ବୋଲି କହିଥିଲେ। ଏହା ସହିତ ସମାଧିପୀଠ ଟ୍ରଷ୍ଟର ଏକ ୱେବସାଇଟ ଖୋଲିବା,ପୀଠର ସାମଗ୍ରୀକ ବିକାଶ ପାଇଁ ଏକ ଡିପିଆର ପ୍ରସ୍ତୁତ କରାଇବାକୁ ଜିଲ୍ଲାପାଳ ଡ.ସାହୁଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସୋନପୁର ପଟୁ ଖଲିଆପାଲିକୁ ଆସୁଥିବା ରାସ୍ତାରେ ନନ୍ଦନମାଳ ଛକରେ ଏକ ବଡ ମହିମାଗେଟ ନିର୍ମାଣ କରିବାକୁ ମଧ୍ୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ସୁବର୍ଣ୍ଣପୁର ଭାଜପା ଜିଲ୍ଲା ସଭାପତି ବେଣୁଧର ଦାସ,ପୂର୍ବତନ ସଭାପତି ପ୍ରମୋଦ ମହାପାତ୍ର,ନବକୃଷ୍ଣ ଦନ୍ତା,ଓକିଲ ସେଠ,ବିଷ୍ଣୁପ୍ରସାଦ କେଡିଆ, ପୂର୍ବତନ ଯୁବମୋର୍ଚ୍ଚା ସଭାପତି ବେଣୀମାଧବ ବେଦବାକ, ବଟକୃଷ୍ଣ ନେଗୀଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ । ପ୍ରାରମ୍ଭରେ ଖଲିଆପାଲି ପ୍ରାଥମିକ ଓ ଉଚ୍ଚବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । ଏହି ଅବସରରେ ଟ୍ରଷ୍ଟପକ୍ଷରୁ ସନ୍ଥକବିଙ୍କ ଗ୍ରନ୍ଥାବଳୀ, ମେମେଣ୍ଟୋ ଓ ଉପଢୌକନ ଦେଇ ମନ୍ତ୍ରୀ ଓ ବିଧାୟକଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ପୀଠର ବିଭିନ୍ନ ଉନ୍ନତିମୂଳକ କାମ ପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ।

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *