ପ୍ରଥମ ସ୍ତ୍ରୀଙ୍କୁ ବି ହତ୍ୟା କରିଥିଲେ ଦୀପକ

ଟ୍ରାଫିକ କନେଷ୍ଟବଳ ହତ୍ୟା ଘଟଣାରେ ସାମ୍ନାକୁ ଆସିଲା ଆଉ ଏକ ନୂଆ ତଥ୍ୟ,
କଟକ:ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁ ହତ୍ୟା ଘଟଣାରେ ପ୍ରଥମ ସ୍ତ୍ରୀ ଅପର୍ଣ୍ଣାଙ୍କୁ ମଧ୍ୟ ହତ୍ୟା କରିଥିବ ଅଭିଯୁକ୍ତ ଦୀପକ ରାଉତ। ମୃତ୍ୟୁର ୩ ବର୍ଷ ପରେ ମୁହଁ ଖୋଲିଛନ୍ତି ପ୍ରଥମ ସ୍ତ୍ରୀଙ୍କ ପରିବାର ଲୋକେ।
ପ୍ରଥମ ସ୍ତ୍ରୀ ଅପର୍ଣ୍ଣାଙ୍କ ମୃତ୍ୟୁକୁ ନେଇ ଦୀପକଙ୍କ ଅଡୁଆ ବଢ଼ିପାରେ। ଦୀପକଙ୍କୁ ନେଇ କଟକ ଗ୍ରାମାଞ୍ଚଳ ପୋଲିସ ପକ୍ଷରୁ ସୂଚନା ମିଳିଛି। କମିଶନରେଟ୍ ପୋଲିସ ସହ ଯୋଗାଯୋଗରେ ଅଛୁ, ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ହୋଇଛି, ଦୀପକ ଉପରେ ନଜର ରଖିଛୁ। ଯଦି କିଛି ତଥ୍ୟ ମିଳେ, ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ।
୨୦୨୨ରେ ଦୀପକଙ୍କ ପ୍ରଥମ ସ୍ତ୍ରୀ ଅପର୍ଣ୍ଣାଙ୍କ ମୃତ୍ୟୁ ହୋଇଥିଲା। ଖୁଣ୍ଟୁଣିରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା କହିଥିଲେ ଦୀପକ।
ମୃତ ଅପର୍ଣ୍ଣାଙ୍କ ମାଆ କହିଛନ୍ତି, ତାଙ୍କ ଝିଅକୁ ଦୀପକ ମାରି ଦେଇଛନ୍ତି। ଉଭୟଙ୍କ ମଧ୍ୟରେ ସବୁବେଳେ କଳିକଜିଆ ଲାଗେ। ଦୀପକ ମୋ’ ଝିଅକୁ ନିର୍ଯାତନା ଦିଅନ୍ତି ବୋଲି ଅପର୍ଣ୍ଣାଙ୍କ ମାଆ କହିଛନ୍ତି। ସେ କହିଛନ୍ତି, ସେତେବେଳେ ଆମ ପାଖରେ ବଳ ନ ଥିଲା। ଲୋକ ବଳ ବି ନ ଥିଲା। ପରିସ୍ଥିତି ଖରାପ ଥିଲା। ତେଣୁ ତଦନ୍ତ ହୋଇପାରିଲାନି। ଦିପକ ଟ୍ରାଫିକ କନେଷ୍ଟବଳ ହତ୍ୟା ଘଟଣା ପରେ ଆମ ଝିଅକୁ ଦୀପକ ହିଁ ମାରିଛି ବୋଲି ମୋ ମନ ରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଦିପକ ମୋ ଝୀଅକୁ ନିଜେ ମାରି ଦୁର୍ଘଟଣା କଥା କହୁଛି। ଆମକୁ ନ୍ୟାୟ ମିଳୁ ବୋଲି ଅପର୍ଣ୍ଣାଙ୍କ ଭଉଣୀ ରୋଜାଲିନ ବି କହିଛନ୍ତି।
ସୂଚନାଯୋଗ୍ୟ, ଭୁବନେଶ୍ୱର ଟ୍ରାଫିକ୍ ମହିଳା କନଷ୍ଟେବଳ ଶୁଭମିତ୍ରା ନିଖୋଜ ଘଟଣାର ବୁଧବାର ପର୍ଦ୍ଦାଫାଶ ହୋଇଛି। ଶୁଭମିତ୍ରାଙ୍କୁ ଭୁବନେଶ୍ୱରରେ ତଣ୍ଟିଚିପି ହତ୍ୟା ପରେ କେନ୍ଦୁଝର ଜିଲା ଘଟଗାଁ ନିକଟ ଜଙ୍ଗଲରେ ପୋତି ଦିଆଯାଇଥିଲା। ଏହି ଘଟଣା ଘଟାଇଥିଲେ ତାଙ୍କ ସ୍ବାମୀ(୨୦୨୪ ଜୁଲାଇ ୨୩ରେ କୋର୍ଟରେ ବିବାହିତ) ତଥା କନ୍ଷ୍ଟେବଳ ଦୀପକ ରାଉତ। ଶୁଭମିତ୍ରାଙ୍କ ତଣ୍ଟିଚିପି ହତ୍ୟା ପଛରେ ଟଙ୍କା କାରବାର ବଡ଼ କାରଣ ବୋଲି କୁହାଯାଉଛି। ପୋଲିସ ସୂଚନାମୁତାବକ ଉଭୟଙ୍କ ବିବାହ ଉପଲକ୍ଷେ ହେବାକୁ ଥିବା ଉତ୍ସବ ପାଇଁ ଶୁଭମିତ୍ରା ଦୀପକଙ୍କଠାରୁ ୨୦ ଲକ୍ଷ ଟଙ୍କା ଦାବି କରିଥିଲେ। ଏଥିରୁ ବିବାଦ ଘଟି ଦୀପକ ତାଙ୍କୁ ହତ୍ୟା କରିଥିଲେ। ଅନ୍ୟପକ୍ଷରେ ଦୀପକଙ୍କ ଏହା ଦ୍ୱିତୀୟ ବିବାହ। ପୂର୍ବରୁ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ପରେ ସେ ଇନ୍ସ୍ୟୁରାନ୍ସ ବାବଦରେ କୁଆଡ଼େ ୧ କୋଟି ଟଙ୍କା ପାଇଥିଲେ। ଏହି ଇନ୍ସ୍ୟୁରାନ୍ସ ଟଙ୍କା ଉପରେ ଶୁଭମିତ୍ରାଙ୍କ ଦୃଷ୍ଟି ଥିବାରୁ ତାଙ୍କ ଜୀବନ ନେବାକୁ ଦୀପକ ପଛାଇ ନ ଥିଲେ ବୋଲି କୁହାଯାଉଛି। ସେହିପରି ଶୁଭମିତ୍ରାଙ୍କଠାରୁ ଦୀପକ ୧୦ ଲକ୍ଷ ଟଙ୍କା ନେଇ ଫେରାଇ ନ ଥିଲେ। ସେହି ଟଙ୍କା ମାଗିବାରୁ ଦୀପକ ଏହି ଘଟଣା ଘଟାଇଥିବା କୁହାଯାଉଛି। ଏନେଇ ତଦନ୍ତ ଚାଲିଥିବା ପୋଲିସ କମିଶନର ଏସ୍.ଦେବଦତ୍ତ ସିଂହ କହିଛନ୍ତି।ପୋଲିସ ସୂଚନା ମୁତାବକ ଶୁଭମିତ୍ରାଙ୍କୁ ଦୀପକ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ମୃତଦେହକୁ ଭୁବନେଶ୍ୱରରୁ କାର୍ ଯୋଗେ ଘଟଗାଁ ନେଇ ସେଠାରେ ଏକ ଜଙ୍ଗଲରେ ଜଣେ ସମ୍ପର୍କୀୟ ଭାଇଙ୍କ ସହଯୋଗରେ ମାଟି ତଳେ ପୋତିଥିଲେ। ଶୁଭମିତ୍ରା ନିଖୋଜ ହେବାର ୧୧ଦିନ ପରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସ୍ବୀକାର କରିଛନ୍ତି ଖୋଦ୍ ହତ୍ୟାକାରୀ ସ୍ବାମୀ ଦୀପକ। କମିଶନରେଟ୍ ପୋଲିସ ଶୁଭମିତ୍ରାଙ୍କ କଲ୍ ଡିଟେଲ୍ସ ଯାଞ୍ଚ
ସହ କମିଶନରେଟ୍ ପୋଲିସ ମୁଖ୍ୟାଳୟର ଆକାଉଣ୍ଟ ସେକ୍ସନରେ କାମ କରୁଥିବା କନ୍ଷ୍ଟେବଲ ଦୀପକଙ୍କୁ ଜେରା କରିବା ପରେ ସେ ଗୋଟି ଗୋଟି କରି ସତ ମାନିଛନ୍ତି। କମିଶନରେଟ ପୋଲିସର ଏକ ଟିମ୍ ବୁଧବାର ଦୀପକଙ୍କୁ କେନ୍ଦୁଝର ଘଟଗାଁ ନିକଟ ଜଙ୍ଗଲକୁ ନେଇ ମାଟିଖୋଳି ଶୁଭମିତ୍ରାଙ୍କ ମୃତଦେହ ଜବତ କରିଛି। ଯାଜପୁର ଜିଲା ଟମ୍କା ଥାନା ଅନ୍ତର୍ଗତ ବାଙ୍ଗରପଟା ଗ୍ରାମରେ ଦୀପକଙ୍କ ଘର ହୋଇଥିବାବେଳେ ସେ ପୂର୍ବରୁ ଅନ୍ୟଜଣଙ୍କୁ ବିବାହ କରିଥିଲେ। ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ପରେ ଦୀପକ ଇନ୍ସ୍ୟୁରାନ୍ସ ବାବଦ ୧ କୋଟି ଟଙ୍କା ପାଇଥିଲେ। ଉକ୍ତ ଇନ୍ସ୍ୟୁରାନ୍ସ ଟଙ୍କାକୁ ନେଇ ଶୁଭମିତ୍ରା ଓ ଦୀପକଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ତେବେ ଶୁଭମିତ୍ରା ଏବଂ ଦୀପକଙ୍କ ଆକାଉଣ୍ଟ ଯାଞ୍ଚ ଏବଂ ତଦନ୍ତ ପରେ ପ୍ରକୃତ ତଥ୍ୟ ଜଣାପଡ଼ିବ ବୋଲି ପୋଲିସ କମିଶନର କହିଛନ୍ତି। ଏନେଇ କ୍ୟାପିଟାଲ ଥାନା ପକ୍ଷରୁ ଏକ ହତ୍ୟା ମାମଲା (ନଂ.୫୩୫/୨୦୨୫) ରୁଜୁ କରାଯାଇ ଅଧିକ ଖୋଳତାଡ଼ କରାଯାଇଛି। ଦୀପକଙ୍କୁ ସହଯୋଗ କରିଥିବା ଅଭିଯୋଗରେ ସମ୍ପର୍କୀୟ ଭାଇ ପପୁ ଭୂୟାଁ ଓ ତାଙ୍କ ସାଙ୍ଗ ଜଟଙ୍କୁ ପୋଲିସ ଅଟକ ରଖିଥିବା ବେଳେ ଉଭୟଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ସୂଚନା ମିଳିଛି। ଏହି ଘଟଣାରେ ଆଗକୁ ସବିଶେଷ ତଥ୍ୟ ଦିଆଯିବ ବୋଲି ସିପି ଦେବଦତ୍ତ ସିଂ କହିଛନ୍ତି।
ବିରଞ୍ଚି ନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର