ନବରଙ୍ଗପୁର ଜିଲ୍ଲାରେ ସୁସ୍ଥ ନାରୀ ସଶକ୍ତି ପରିବାର ଅଭିଯାନ ଶୁଭାରମ୍ଭ
“ସୁସ୍ଥ ନାରୀ ସଶକ୍ତି ପରିବାର ଅଭିଯାନ” କାର୍ଯ୍ୟକ୍ରମ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ମାନ୍ୟବର ସାଂସଦ ବଳଭଦ୍ର ମାଝୀ, ମାନ୍ୟବର ବିଧାୟକ ଡ଼ାବୁଗାଁ ମନୋହର ରନ୍ଧାରି, ଜିଲ୍ଲା ପରିଷଦ ଅଧକ୍ଷ୍ଯ ମୋତିରାମ ନାୟକ, ଜିଲ୍ଲାପାଳ ଡ. ମହେଶ୍ବର ସ୍ବାଇଁ, ସି ଡି ଏମ ଓ ଡ଼ ସନ୍ତୋଷ କୁମାର ପଣ୍ଡା, ବ୍ଲକ ଅଧ୍ୟକ୍ଷା ତଥା ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କ ସଦୟ ଉପସ୍ଥିତିରେ ଶୁଭାରମ୍ଭ ହୋଇଯାଇଛି। ଏହି କାର୍ଯକ୍ରମ ଅବସରରେ ସିଏଚସି ଠାରେ ଏକ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ ଶିବିରରେ ମହିଳା, ଶିଶୁ, ଏବଂ କିଶୋରୀ ବାଳିକା ନିମନ୍ତେ ବିଭିନ୍ନ ସ୍ବାସ୍ଥ୍ୟ ପରୀକ୍ଷଣର ବ୍ୟବସ୍ତା ସହିତ ବିଶେଷଜ୍ଞ ଡାକ୍ତର ପରାମର୍ଶ ଶିବିର ମଧ୍ୟ ଆୟୋଜନ କରାଯାଇଥିଲା । ଶିବିରରେ ପ୍ରାୟ ୪୦୦ ମହିଳା ଏବଂ କିଶୋରୀ ବାଳିକାମାନେ ଯୋଗ ଦେଇ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ । ଏତଦ ବ୍ୟତୀତ ରକ୍ତଦାନ ଶିବିର ମଧ୍ୟ ଆୟୋଜନ ହୋଇଥିଲା |
କାର୍ଯକ୍ରମର ଶେଷରେ ଅତିଥିମାନଙ୍କ ଦ୍ବାରା ସିଏଚସି ପରିସରରେ ବୃକ୍ଷ ରୋପଣ କାର୍ଯକ୍ରମ କରାଯାଇଥିଲା। ସୁସ୍ଥ ନାରୀ ସଶକ୍ତି ପରିବାର ଅଭିଯାନ କାର୍ଯ୍ୟକ୍ରମରେ ଆଜି ସାରା ଜିଲ୍ଲାରେ ଗ୍ରାମ୍ୟ ସ୍ତରରୁ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ମା’ମାନଙ୍କ ନିମନ୍ତେ ପରୀକ୍ଷଣ ଓ ପରାମର୍ଶ ଶିବିରମାନ ଆୟୋଜନ କରାଯାଇଛି । ଆବଶ୍ୟକତା ଅନୁଯାୟୀ ପୁଷ୍ଟିସାର ଏବଂ ଖାଦ୍ୟ ବିବିଧତା ଉପରେ ପରାମର୍ଶ ଦେବା, ମହିଳା ମାନଙ୍କ ଉଚ୍ଚ ରକ୍ତଚାପ, ମଧୁମେହ, ମୁଖ, ସ୍ନାନ ଏବଂ ଗର୍ଭାଶୟ କର୍କଟ, ରକ୍ତହୀନତା, ଟିବି, ସିକିଲସେଲ ରୋଗ, ମାତୃ ସ୍ବାସ୍ଥ୍ୟ ଏବଂ ଏନ୍ସିଡି ସ୍କ୍ରିନିଂ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଅଛି। ସମସ୍ତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର, ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର, ଉପଖଣ୍ଡ ଚିକିତ୍ସାଲୟ, ଜିଲ୍ଲାମୁଖ୍ୟ ଚିକିତ୍ସାଲୟ ଠାରେ ଏହି ସୁବିଧା ଆସନ୍ତା ମାସ ୨ ତାରିଖ ପର୍ଯନୁ ଉପଲବ୍ଧ ରହିବ । ଏତତ ବ୍ୟତୀତ ଏହି ଅଭିଯାନ ରେ ସମସ୍ତ ସିଏଚସି ଏବଂ ପିଏଚସି ଠାରେ ଗୋଟିଏ ଦିନ ବିଶେଷଜ୍ଞ ଡାକ୍ତର ପରାମର୍ଶ ଶିବିର ମଧ୍ୟ ଆୟୋଜନ କରାଯିବ । ଏହି ସମସ୍ତ ସୁବିଧାର ଲାଭ ନେବା ଏବଂ ସମସ୍ତ ପ୍ରକାରର ସ୍ବାସ୍ଥ୍ୟ ପରୀକ୍ଷା କରାଇନେବା ପାଇଁ ସି ଡି ଏମ ଓ ଅନୁରୋଧ କରିଥିଲେ। ଏହି କାର୍ଯକ୍ରମରେ ସମସ୍ତ ଡାକ୍ତର, ଜାତୀୟ ସ୍ୱାସ୍ଥ୍ୟ ମିଶନର ସମସ୍ତ କର୍ମଚାରୀ, ପାରା ମେଡିକାଲ ଷ୍ଟାଫ୍ ଏବଂ ସ୍ବାସ୍ଥ୍ୟ ବିଭାଗର ସମସ୍ତ କର୍ମଚାରୀ ତଥା ସିଏଚଓ, ଏଏନଏମ, ଅଙ୍ଗନବାଡି କର୍ମୀ ସମୂହ ସହଯୋଗ କରିଥିଲେ।
ରିପୋର୍ଟ: ନବରଙ୍ଗପୁର ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ
