November 12, 2025
Home » ଜବରଦଖଲ ପାଇଁ ଇଲିଗାନ୍ସ ଭିଲ୍ଳା ବାସିନ୍ଦା ଜଳବନ୍ଦୀ

ଜବରଦଖଲ ପାଇଁ ଇଲିଗାନ୍ସ ଭିଲ୍ଳା ବାସିନ୍ଦା ଜଳବନ୍ଦୀ

0
WhatsApp Image 2025-09-27 at 1.14.31 PM (1)

ଚାଲିଛି ଲଗାତାର ଲଘୁଚାପ। ଏହାର ପ୍ରଭାବରେ ରାଜ୍ୟର ଅନ୍ୟ ଅଞ୍ଚଳ କଥା ଛାଡନ୍ତୁ ଖୋଦ୍ ଭୁବନେଶ୍ୱରର ଅଧିକାଂଶ ଅଞ୍ଚଳ ଏବେ କୁତ୍ରିମ ବନ୍ୟା ଘେରରେ ରହିଛି। ଅଧିକାଂଶ ଅଞ୍ଚଳରେ ଏହାର ମୁଖ୍ୟକାରଣ ହେଉଛି ସରକାରୀ ଜମି ଜବରଦଖଲକାରୀଙ୍କ କବ୍‌ଜାରେ ରହିଛି। ଗତ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମଧ୍ୟ ଜଟଣୀ ବିଧାୟକଙ୍କ ପ୍ରଶ୍ନର ଉତ୍ତର ଦେଇ କହିଥିଲେ ଯେ, ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରେ ୪୯୮ ଏକର ୮୮ ଡିସିମିଲ୍ ସରକାରୀ ଜମି ଜବରଦଖଲ ହୋଇ ରହିଛି। ତେବେ ଏଗୁଡିକ ଜବରଦଖଲକାରୀଙ୍କ କବଳରୁ ମୁକ୍ତ କରିବାକୁ ଉଦ୍ୟମ କରାଯାଉଛି। ବେଦଖଲ ପରେ ଏଗୁଡିକ ଯେପରି ସୁରକ୍ଷିତ ରହିବ ସେଠାରେ ନାମଫଳକ ଲଗାଯାଇ ସୁରକ୍ଷା ପ୍ରଦାନ କରାଯିବ। ଏହା ଜାଣିବା ପରେ ରାଜଧାନୀର ବିଭିନ୍ନ ଅଞ୍ଚଳରେ ରହୁଥିବା ଲୋକଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଥିଲା। ଏବେ ଲଘୁଚାପ ଜନିତ ବର୍ଷା କାରଣରୁ ଉଦ୍‌ବୃତ୍ତ ଜଳ ନିଷ୍କାସନ ହୋଇନପାରି ରାଜଧାନୀବାସୀ କୁତ୍ରିମ ବନ୍ୟାର ସମ୍ମୁଖୀନ ହେଉଛନ୍ତି। ଲଗାଣ ବର୍ଷା ଯୋଗୁଁ ରାଜଧାନୀର ବିଭିନ୍ନ ଅଞ୍ଚଳ ବେହାଲ ହୋଇଛି। ଲୋକେ ଘରୁ ବାହାରି ମୁଖ୍ୟରାସ୍ତାକୁ ଆସିବା ଅସମ୍ଭବ ହୋଇପଡିଛି।

 

ଏପରିକି କଟକ-ପୁରୀ ବାଇପାସ୍ ରାସ୍ତାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳର ଅବସ୍ଥା ନ କହିଲେ ଭଲ। ଏହି ଅଞ୍ଚଳ ଭିଡରୁ ରକ୍ଷା ପାଇବା ସହିତ ଉଭୟ ଅଞ୍ଚଳର ଲୋକେ ଅନାୟାସରେ ଚଳପ୍ରଚଳ ପାଇଁ ଯେଉଁ ଲକ୍ଷ୍ୟ ଥିଲା ତାହା ଏବେ ଜବରଦଖଲକାରୀଙ୍କ ଯୋଗୁଁ ବିପର୍ଯ୍ୟସ୍ତ ହୋଇପଡିଛି। କଟକ-ପୁରୀ ବାଇପାସ୍ ନିୟର ମଙ୍ଗରାଜ ଓ ସାଇମନ୍ଦିର ପାଖରେ ଥିବା ଇଲିଗାନ୍ସ ଭିଲ୍ଲା ଅଞ୍ଚଳ ଏବେ ସତେ ଯେମିତି ବନ୍ୟା ଘେରରେ ରହିଛି। ଉଦ୍‌ବୃତ୍ତ ଜଳ ନିଷ୍କାସନ ହୋଇପାରୁନାହିଁ। ଏହାର କାରଣ ହେଉଛି ମୁଖ୍ୟତଃ ଜବରଦଖଲ। ଏହି ଅଞ୍ଚଳର ବର୍ଷା ପାଣି ୩୧୬ ଜାତୀୟ ରାଜପଥ ଦେଇ ଗଙ୍ଗୁଆ ନାଳକୁ ନିଷ୍କାସିତ ହୋଇଥାଏ। ତେବେ ପାଣି ଯାଉଥିବା ସ୍ଥାନକୁ ଜନୈକ ବ୍ୟକ୍ତି ଜବରଦଖଲ କରିଥିବା ହେତୁ ବର୍ଷାଜଳ ନିଷ୍କାସନରେ ବାଧାପ୍ରାପ୍ତ ହୋଇଛି। ଏହି ବାଇପାସ୍ ନିର୍ମାଣ ପରେ ରାଜପଥର ରାସ୍ତାପାଶ୍ୱର୍ କ୍ରମଶଃ ଜବରଦଖଲକାରୀଙ୍କ ଧିରେ ଧିରେ ଦଖଲକୁ ଚାଲିଯାଉଛି। ଫଳରେ ସଂପୃକ୍ତ ଅଞ୍ଚଳର ଉଦ୍‌ବୃତ୍ତ ଜଳ ଅବରୋଧ ଯୋଗୁଁ ନିଷ୍କାସିତ ହୋଇପାରୁନାହିଁ। ସହରର ଡ୍ରେନେଜ୍ ବ୍ୟବସ୍ଥା ପାଇଁ ଗୋଟିଏ ପଟେ ପ୍ରାକୃତିକ ନାଳ ଗୁଡିକ ସ୍ଥାନୀୟ ବାସିନ୍ଦା ଓ ଜବରଦଖଲଙ୍କ ପାଇଁ ବର୍ଷାଜଳ ନିଷ୍କାସନ ମୁଣ୍ଡବ୍ୟଥାର କାରଣ ହୋଇଥିବାବେଳେ ଏବେ ରାସ୍ତାପାଶ୍ୱର୍ ଜମି ମନଇଚ୍ଛା ଜବରଦଖଲ ହେଉଥିବାରୁ ସାଇମନ୍ଦିର ନିକଟସ୍ଥ ଅଞ୍ଚଳ ଜଳମଗ୍ନ ହେଉଛି ଫଳରେ ଏହି ଅଞ୍ଚଳରେ ଗଢିଉଠିଥିବା ବାସଗୃହ ଓ ଆପାର୍ଟମେଣ୍ଟ ବାସିନ୍ଦାମାନେ ଜଳବନ୍ଦୀଭାବେ ଜୀବନ ବିତାଉଛନ୍ତି। ରାଜ୍ୟ ସରକାର, ନଗରଉନ୍ନୟନ ବିଭାଗ ଏପରିକି ଭୁବନେଶ୍ୱରର ମହାନଗର ନିଗମ କର୍ତ୍ତୃପକ୍ଷ ତୁରନ୍ତ ହସ୍ତକ୍ଷେପ କରି ଏହି ଜବରଦଖଲ ଉଚ୍ଛେଦ କରାନଗଲେ ସମ୍ପୃକ୍ତ ଅଞ୍ଚଳର ବାସିନ୍ଦା ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

 

ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *