କ୍ୟାମେରା ଲେନ୍ସରେ ବିପର୍ଯ୍ୟୟର ଦୃଶ୍ୟ: ଜୟଦେବ ଭବନରେ ଦୁଇ ଦିନିଆ ଏକକ ଫଟୋ ପ୍ରଦର୍ଶନୀ
ଭୁବନେଶ୍ୱର: ଓଡ଼ିଶାର ପ୍ରାକୃତିକ ବିପର୍ଯ୍ୟୟର କରୁଣ ଚିତ୍ର ଏବଂ ତା’ର ଗଭୀର ପ୍ରଭାବକୁ କ୍ୟାମେରା ଲେନ୍ସରେ ଅଙ୍କନ କରି ଅଭିଜ୍ଞ ଫଟୋ ସାମ୍ବାଦିକ ଅତୁଲ୍ୟ କୁମାର ମହାନ୍ତି ଆୟୋଜନ କରିଛନ୍ତି ଏକ ଅନନ୍ୟ ଫଟୋ ପ୍ରଦର୍ଶନୀ। ଆସନ୍ତା ୨୮ ଓ ୨୯ ଅକ୍ଟୋବର ୨୦୨୫ରେ ଭୁବନେଶ୍ୱରର ଜୟଦେବ ଭବନ ପରିସରରେ ଦୁଇ ଦିନିଆ ଏକକ ଫଟୋ ପ୍ରଦର୍ଶନୀ “ଡିଜାଷ୍ଟର ଇନ୍ ଲେନ୍ସ” ଆୟୋଜିତ ହେବ।
୧୯୯୯ ମସିହାର ମହାବାତ୍ୟାରୁ ଆରମ୍ଭ କରି ଫାଇଲିନ, ହୁଡ଼ହୁଡ଼, ଆମ୍ପାନ, ୟଶ, ତିତଲି ଭଳି ଭୟଙ୍କର ସାମୁଦ୍ରିକ ଝଡ଼ ଏବଂ ସଦ୍ୟତମ ଅଦିନ ବର୍ଷାରେ ଫସଲ ନଷ୍ଟର ଦୃଶ୍ୟକୁ ଅତୁଲ୍ୟ ଅତ୍ୟନ୍ତ ସାହସିକତା ଓ ସୂକ୍ଷ୍ମତାର ସହ କ୍ୟାମେରାରେ କଏଦ କରିଛନ୍ତି। ଏହି ପ୍ରଦର୍ଶନୀରେ ୧୫୦ରୁ ଅଧିକ ଫଟୋଗ୍ରାଫ୍ ପ୍ରଦର୍ଶିତ ହେବ, ଯାହା ଓଡ଼ିଶାର ପ୍ରାକୃତିକ ବିପର୍ଯ୍ୟୟର କଠୋର ବାସ୍ତବତାକୁ ଦର୍ଶକଙ୍କ ଆଗରେ ଉପସ୍ଥାପନ କରିବ।

ଏହା ଅତୁଲ୍ୟଙ୍କ ତୃତୀୟ ବର୍ଷରେ ପହଞ୍ଚିଥିବା “ଡିଜାଷ୍ଟର ଇନ୍ ଲେନ୍ସ” ପ୍ରଦର୍ଶନୀର ଏକ ଅଂଶ। ଏହି ପ୍ରଦର୍ଶନୀ ପ୍ରାକୃତିକ ବିପର୍ଯ୍ୟୟ ପ୍ରତି ସମ୍ବେଦନଶୀଳ ଓଡ଼ିଶାରେ ଜନସଚେତନତା ସୃଷ୍ଟି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଏହି ପ୍ରଦର୍ଶନୀ ସମସ୍ତଙ୍କ ପାଇଁ ଖୋଲା ରହିବ ଏବଂ ବିପର୍ଯ୍ୟୟର ପ୍ରଭାବକୁ ହୃଦୟଙ୍ଗମ କରିବା ସହ ସଚେତନତା ବୃଦ୍ଧିରେ ସହାୟକ ହେବ।
ଏହି ଏକକ ଫଟୋ ପ୍ରଦର୍ଶନୀ ସମାଜରେ ବିପର୍ଯ୍ୟୟ ପ୍ରତି ସଚେତନତା ଓ ସମ୍ବେଦନଶୀଳତା ଆଣିବା ସହ ସମାଜକୁ ଏକ ନୂଆ ଦୃଷ୍ଟିକୋଣ ପ୍ରଦାନ କରିବ।
