ମୁଁ ଆତ୍ମସମର୍ପଣ କରିଛି ମୋତେ କ୍ରାଇମବ୍ରାଞ୍ଚ ଗିରଫ କରିନାହିଁ: ଶଙ୍କର ପୃଷ୍ଟି
କଟକ:(ବିରଞ୍ଚି ନାରାୟଣ ପତ୍ରୀ ଙ୍କ ରିପୋର୍ଟ)ଶଙ୍କରକୁ କ୍ରାଇମବ୍ରାଞ୍ଚ ଗିରଫ କରିଛି ବୋଲି ଦାବି କରୁଥିଲା ବେଳେ ଶଙ୍କର କିନ୍ତୁ ଏହାକୁ ରୋକ୍ଠୋକ୍ ପ୍ରତ୍ୟାଖ୍ୟାନ କରିଛି। ତାକୁ ଗିରଫ କରାଯାଇନି, ବରଂ ସେ ଆତ୍ମସମର୍ପଣ କରିଛି ବୋଲି ଜୋର୍ ଦେଇଛି।
ଶଙ୍କର କହିଛି ଯେ ମୁଁ ଲୁଚି ନଥିଲି। ଆଇନ ପ୍ରକ୍ରିୟାକୁ ସମ୍ମୁଖୀନ ହେଉଥିଲି। ହାଇକୋର୍ଟ ଓ ସୁପ୍ରିମ୍ କୋର୍ଟରେ ଆଗୁଆ ଜାମିନ୍ ପାଇଁ ଆବେଦନ କରିଥିଲି। ମୋତେ ସମୟ ଦିଆଯାଇଥିଲା, ମାସକ ପରେ ହାଜର ହୋଇଥାଆନ୍ତି। ସେହିପରି ପତ୍ନୀ ଦୀପ୍ତିମୟୀ ସାହୁଙ୍କ ନାଁରେ କୌଣସି ମାମଲା ନାହିଁ ବୋଲି ସେ କହିଛି।
ସରକାରଙ୍କୁ ସବୁ ତଥ୍ୟ ଦେବି।
ପୁଲିସ ଏସ୍ଆଇ ନିଯୁକ୍ତି କେଳେଙ୍କାରୀ ମାମଲାରେ ଏଭଳି ଚାଞ୍ଚଲ୍ୟକର ବୟାନ ଦେଇଛି ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟି। ପୂର୍ବ ସରକାରରେ ହଜାରେ କୋଟିର ଡିଲ୍ ହୋଇଥିଲା। ତା’ର ଏହି ମନ୍ତବ୍ୟ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଛି। ଏହାକୁ ନେଇ ବିଜେପି ଓ ବିଜେଡି ମଧ୍ୟରେ କଥା କଟାକଟି ମଧ୍ୟ ହୋଇଛି। ଆଗକୁ ନୂଆପଡ଼ା ଉପନିର୍ବାଚନ ଥିବାରୁ ଶଙ୍କରର ବୟାନକୁ ରାଜନୈତିକ ମହଲରେ ଗୁରୁତ୍ବର ସହ ନିଆଯାଉଛି। ଗତକାଲି କ୍ରାଇମବ୍ରାଞ୍ଚ ଟିମ୍ ପଞ୍ଚସଫ୍ଟ ଟେକ୍ନୋଲୋଜିର ନିର୍ଦ୍ଦେଶକ ଶଙ୍କର ପୃଷ୍ଟିକୁ ନେପାଳ ସୀମାରୁ ଗିରଫ କଲା ପରେ ଆଜି ତା’କୁ ଓଡ଼ିଶା ଆଣିଛି। ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଲା ପରେ ଶଙ୍କର ଗଣମାଧ୍ୟମ ଆଗରେ ବିସ୍ଫୋରକ ବୟାନ ରଖିଥିଲା। ସେ କହିଥିଲା, ପରୀକ୍ଷା ବାତିଲ କରିବାକୁ ଷଡ୍ଯନ୍ତ୍ର କରାଯାଇଥିଲା। ଯେଉଁମାନେ ଷଡ୍ଯନ୍ତ୍ର କରିଥିଲେ ସେମାନଙ୍କ ସମ୍ପର୍କରେ ସମସ୍ତ ତଥ୍ୟ ସରକାରଙ୍କୁ ଦେବି। ୧୨୪ ଲୋକଙ୍କ ଜନ୍ମ କୁଣ୍ଡଳୀ ବାହାର କରନ୍ତୁ। ନା ମୋର ନା ମୋ ପତ୍ନୀଙ୍କର, ଆମର କାହା ସହ କୌଣସି ଲିଙ୍କ୍ ନାହିଁ। ଯଦି କିଛି ପ୍ରମାଣ ଅଛି ତାହା ସାର୍ବଜନୀନ କରାଯାଉ।
କ୍ରାଇମବ୍ରାଞ୍ଚ ଟିମ୍ ଶଙ୍କରକୁ କଟକ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ତାକୁ ଏବେ ଜେରା କରାଯାଉଛି। ଶନିବାରଠାରୁ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ଆସିଥିବା ଅନ୍ୟତମ ଅଭିଯୁକ୍ତ ମୁନା ମହାନ୍ତି, ଦଲାଲ ଲୋକନାଥ ସାହୁ, ପ୍ରିୟଦର୍ଶିନୀ ସାମଲଙ୍କୁ ମୁହାଁମୁହିଁ ଜେରା କରାଯାଉଛି। ଯେହେତୁ ଏହି କେଳେଙ୍କାରୀରେ ରାଜ୍ୟ ବାହାର ଲିଙ୍କ୍ ସ୍ପଷ୍ଟ ହୋଇଛି, ସେ ସମ୍ପର୍କରେ ଅଧିକ ଖୋଳତାଡ଼ ପାଇଁ କ୍ରାଇମବ୍ରାଞ୍ଚ ଉଦ୍ୟମ ଚଳାଇଛି। ଖୁବ୍ଶୀଘ୍ର ସିବିଆଇ ଟିମ୍ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରୁ ଦସ୍ତାବିଜ୍ ସଂଗ୍ରହ କରିବା ସହିତ ବ୍ରହ୍ମପୁରରେ ପହଞ୍ଚି ସାନି ତଦନ୍ତ ଆରମ୍ଭ କରିବ। ସେହିପରି ଅରବିନ୍ଦ ଦାସ ଓ ଶଙ୍କରକୁ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ଆଣିବ ବୋଲି ଜଣାପଡ଼ିଛି।
ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ (ଓପିଆର୍ବି) ଏସ୍ଆଇ ପରୀକ୍ଷା କେଳେଙ୍କାରୀ ଘଟଣାରେ ମୂଳ ଟେଣ୍ଡର୍ ନେଇଥିଲା ଆଇଟିଆଇ ଲିମିଟେଡ୍। ପରେ ଆଇଟିଆଇ ପକ୍ଷରୁ ସବ୍-ଲେଟ୍ରେ ଏହି କାମ ଭୁବନେଶ୍ବରର ସିଲିକନ୍ ଟେକ୍ଲ୍ୟାବ୍କୁ ଦିଆଯାଇଥିଲା। ସିଲିକନ୍ ପକ୍ଷରୁ ପଞ୍ଚସଫ୍ଟ ଲିମିଟେଡ୍କୁ କିଛି କାମ ହସ୍ତାନ୍ତର କରାଯାଇଥିବାରୁ ଏବେ ସ୍କାନର୍ରେ ସିଲିକନ୍ କର୍ତ୍ତୃପକ୍ଷ ରହିଛନ୍ତି। ସିଲିକନ୍କୁ କ୍ରାଇମବ୍ରାଞ୍ଚ ତଦନ୍ତ ପରିସରଭୁକ୍ତ କରିଛି। ଅନ୍ୟପଟେ ଉତ୍ତରାଖଣ୍ଡରେ ନେପାଳ ସୀମାକୁ ଲାଗିଥିବା ଚମ୍ପାଵତରୁ ଗଞ୍ଜାମଜିଲ୍ଲା ଚମାଖଣ୍ଡି ଥାନା ଅଞ୍ଚଳର ବାସିନ୍ଦା ଶଙ୍କର ପୃଷ୍ଟି (୩୨)କୁ ଗିରଫ କରାଯିବା ପରେ ସେଠାକାର ସ୍ଥାନୀୟ କୋର୍ଟରେ ହାଜର କରାଯାଇଥିଲା। ତା’ ନିକଟରୁ ଏକ ଫର୍ଚୁନର୍ କାର୍ (ଓଡି୦୭ଏୟୁ-୯୭୭୭), ଦୁଇଟି ମୋବାଇଲ୍ ଫୋନ୍ ଓ ପାସପୋର୍ଟ ଜବତ କରାଯାଇଛି। ଟ୍ରାନ୍ଜିଟ୍ ରିମାଣ୍ଡରେ କଟକ ଅଣାଯିବା ପରେ ଆଜି ତାକୁ ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯିବ। ମୁଖ୍ୟ ଅଭିଯୁକ୍ତ ଶଙ୍କର ହେଉଛି ଭୁବନେଶ୍ବର ପଟିଆରେ ଥିବା ପଞ୍ଚସଫ୍ଟ ଟେକ୍ନୋଲଜି ପ୍ରାଇଭେଟ୍ ଲିମିଟେଡ୍ର ନିର୍ଦ୍ଦେଶକ। ତାର ଅପରାଧ ସାମ୍ରାଜ୍ୟରେ ପ୍ରମୁଖ ସହଯୋଗୀ ଭାବେ ମୁନା ମହାନ୍ତି, ଶ୍ରୀକାନ୍ତ ମହାରଣା ଓରଫ୍ ରିଙ୍କୁ, ଅରବିନ୍ଦ ଦାସ, ଟି ଅଭିମନ୍ୟୁ ଦୋରା, ପ୍ରିୟଦର୍ଶିନୀ ସାମଲ ଅଛନ୍ତି। ଅରବିନ୍ଦ ହେଉଛି ଶଙ୍କର ଅପରାଧ ସିଣ୍ଡିକେଟ୍ର ମୁଖ୍ୟ ସହଯୋଗୀ। ବାଲେଶ୍ବରର ଅରବିନ୍ଦ ଦାସ ପଶ୍ଚିମବଙ୍ଗର ମନ୍ଦାରମଣିରେ ଆଶାୟୀଙ୍କ ରହିବା ଓ ଦୀଘାରେ ଶିକ୍ଷକଙ୍କ ରହଣି ଉଦ୍ଦେଶ୍ୟରେ ଚାରିଦିନ ପାଇଁ ଦୁଇଟି ହୋଟେଲ୍ ବୁକ୍ କରିଥିଲା। ସେଠାରେ ସେମାନଙ୍କୁ ପୁଲିସ ଏସ୍ଆଇ ପରୀକ୍ଷା ପାଇଁ ପ୍ରସ୍ତୁତ କରାଯାଇଥାନ୍ତା। ଦୀଘା ହୋଟେଲରେ ଆଶାୟୀ ରହିବା ପାଇଁ ୩୫ ହଜାର ଟଙ୍କା ଅଗ୍ରିମ ବି ଦିଆଯାଇଥିଲା। କିନ୍ତୁ ସେପ୍ଟେମ୍ବର ୨୯ ରାତିରେ ବିଜୟନଗରମ୍ ଯିବା ରାସ୍ତାରେ ୧୧୪ ଆଶାୟୀ ଓ ତିନି ଦଲାଲଙ୍କୁ ଗିରଫ କରିବା ପରେ ପଶ୍ଚିମବଙ୍ଗ ଯାଉଥିବା ୧୧୦ ପ୍ରାର୍ଥୀ ସେଠାରୁ ଫେରାର ହୋଇଯାଇଥିଲେ।
ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର
