November 20, 2025
Home » ଏସଆଇ ନିଯୁକ୍ତି ଦୁର୍ନୀତି ମାମଲା; ସିବିଆଇ ତଦନ୍ତ କରିବାକୁ ମିଳିଲା ଅନୁମୋଦନ

ଏସଆଇ ନିଯୁକ୍ତି ଦୁର୍ନୀତି ମାମଲା; ସିବିଆଇ ତଦନ୍ତ କରିବାକୁ ମିଳିଲା ଅନୁମୋଦନ

0
WhatsApp Image 2025-11-11 at 9.17.26 PM

 

ଭୁବନେଶ୍ୱର: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତିର ତଦନ୍ତ କରିବ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ(ସିବିଆଇ)। ଏଥିପାଇଁ କେନ୍ଦ୍ର ସରକାର ଆବଶ୍ୟକ ଅନୁମୋଦନ ଦେଇଛନ୍ତି।ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅକ୍ଟୋବର ୨୨ରେ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲେ। ଯାହାକୁ ବର୍ତ୍ତମାନ୍ ଅନୁମୋଦନ ମିଳିଥିବା ନେଇ ଏକ ସରକାରୀ ବିଜ୍ଞପ୍ତିରେ କୁହାଯାଇଛି।ଏହି ଘଟଣାରେ ଦୁର୍ନୀତି ପାଇଁ ହୋଇଥିବା ଉଦ୍ୟମ, ପ୍ରୋତ୍ସାହନ ଓ ଷଡଯନ୍ତ୍ର ସମ୍ପର୍କରେ ସିବିଆଇ ତଦନ୍ତ କରିବ।

ସୂଚନାଯୋଗ୍ୟ ଯେ, ପୋଲିସ ସବ୍-ଇନ୍‌ସ୍ପେକ୍ଟର ନିଯୁକ୍ତି ପରୀକ୍ଷାରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ଅଭିଯୋଗ ହେବା ପରେ ଏହାର ତଦନ୍ତ ଆରମ୍ଭ ହୋଇଥିଲା। ଏହି ଦୁର୍ନୀତି ମାମଲା ଓଡ଼ିଶା ସମେତ ଆନ୍ଧ୍ର ପ୍ରଦେଶ, ପଶ୍ଚିମବଙ୍ଗ ସହିତ ଅନ୍ୟାନ୍ୟ ରାଜ୍ୟକୁ ବ୍ୟାପିଥିବା ନେଇ ସନ୍ଦେହ ହେବା ପରେ ମୁଖ୍ୟମନ୍ତ୍ରୀ କ୍ରାଇମବ୍ରାଞ୍ଚ୍ ତଦନ୍ତ ପାଇଁ ସୁପାରିଶ କରିଥିଲେ।

ତେବେ ଏଥିରେ ଆନ୍ତରାଜ୍ୟ ସଂଗଠିତ କ୍ରିମିନାଲ ଗ୍ୟାଙ୍ଗର ସଂପୃକ୍ତି ଥିବା ନେଇ ମଧ୍ୟ ସନ୍ଦେହ କରାଯାଉଛି।
୩୦ ସେପ୍ଟେମ୍ବର ୨୦୨୫ ଏକ ଅଜ୍ଞାତ ସୂଚନା ପାଇବା ପରେ ପେପର ଲିକ୍ ମାମଲା ସାମ୍ନାକୁ ଆସିଥିଲା। ଯାହା ଫଳରେ ୧୧୪ ପ୍ରାର୍ଥୀଙ୍କ ସମେତ ତିନି ଜଣ ଏଜେଣ୍ଟଙ୍କୁ ଗିରଫ କରାଯାଇଥିଲା। ଆଶାୟୀମାନଙ୍କୁ ଜାମିନ ମିଳିଥିଲେ ମଧ୍ୟ ମୁଖ୍ୟ ସନ୍ଦିଗ୍ଧ ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଏବଂ ସହଯୋଗୀ ମୁନା ମହାନ୍ତିଙ୍କୁ ବର୍ତ୍ତମାନ୍ ପର୍ଯ୍ୟନ୍ତ ଅଟକ ରଖାଯାଇଛି। ସେମାନଙ୍କର ପଲିଗ୍ରାଫ୍ ଟେଷ୍ଟ କରିବା ପାଇଁ ସ୍ଥିର କରାଯାଇଛି।

ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର

Leave a Reply

Your email address will not be published. Required fields are marked *