ବେଳାଭୂମି ଏବେ ଉଠା ଦୋକାନୀ ଙ୍କ କବଜାରେ
ଉଠା ଦୋକାନୀ ଙ୍କ କବଜା ରେ ପୁରୀ ବେଳାଭୂମି। ଦିଗବାରେଣି ଖୁଣ୍ଟି ଠାରୁ ଲାଇଟ୍ ହାଉସ ବେଳାଭୂମି ପର୍ଯ୍ୟନ୍ତ ବେଳାଭୂମି ଏବେ ଉଠା ଦୋକାନୀ ଙ୍କ କବଜାରେ । ବେଳାଭୂମିରେ ଦିନକୁ ଦିନ ଜବର ଦଖଲ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ପୁରୀ କୁ ବୁଲାବୁଲି କରିବାକୁ ଆସୁଥିବା ପର୍ଯ୍ୟଟକ ମାନଙ୍କ ପାଇଁ ସମୁଦ୍ର ବେଳାଭୂମି ସଙ୍କୁଚିତ ହେବାରେ ଲାଗିଛି। ଯଦି ବେଳାଭୂମି ରେ ଜବର ଦଖଲ କୁ ରୋକାନଯାଏ ତେବେ ପର୍ଯ୍ୟଟକ ମାନେ ବସିବା ପାଇଁ ସ୍ଥାନ ଅଭାବ ଦେଖାଦେବ।ପୁରୀ ର ପେଣ୍ଠକଟା ଠାରୁ ଷ୍ଟରଲିଂ ପର୍ଯ୍ୟନ୍ତ ପୁରୀ ର ବିସ୍ତୀର୍ଣ୍ଣ ବେଳାଭୂମି ରହିଚି। ତେବେ ବର୍ତ୍ତମାନ ଦିଗବାରେଣି ଖୁଣ୍ଟି ଠାରୁ ଲାଇଟ୍ ହାଉସ ବେଳାଭୂମି ପର୍ଯ୍ୟନ୍ତ ବେଳାଭୂମି ଉଠା ଦୋକାନୀ ଙ୍କ ଜବର ଦଖଲ କୁ ଚାଲିଯାଇଥିବା ଦେଖିବାକୁ ମିଳୁଛି। ଦିଗ ବାରେଣି ଠାରେ କିଛି ଅଞ୍ଚଳ କୁ ଛାଡିଦେଲେ ଅନ୍ୟ ସବୁ ସ୍ଥାନରେ ଉଠା ଦୋକାନୀ ବସିରହିଛନ୍ତି। ସେହିପରି ସ୍ଵର୍ଗଦ୍ଵାର ବେଳାଭୂମି ମଧ୍ୟ ଉଠାଦୋକାନୀ ଙ୍କ କବଜା କୁ ସମ୍ପୂର୍ଣ ଭାବେ ଚାଲିଯାଇଛି।

ଫଳରେ ସେଠାରେ ପର୍ଯ୍ୟଟକ ମାନେ ବୁଲାବୁଲି କରିବା ସହ ବସିବା ପାଇଁ ସ୍ଥାନ ଅଭାବ ଦେଖା ଦେଇଛି। ବେଳାଭୂମି ରେ ଏଭଳି ଅବ୍ୟବସ୍ଥା ପର୍ଯ୍ୟଟକ ଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। ଉଠା ଦୋକାନୀ ଙ୍କ ଜବର ଦଖଲ ରେ ବେଳାଭୂମିରେ ବୃଦ୍ଧି ପାଉଥିବାରୁ ବେଳାଭୂମି ଦିନ କୁ ଦିନ ଅପରିଷ୍କାର, ଏବଂ ପ୍ରଦୂଷିତ ହେବାରେ ଲାଗିଚି। ଯଦି ଏଭଳି ସ୍ଥିତି ଲାଗିରହେ ଆଗାମୀ ଦିନରେ ପର୍ଯ୍ୟଟକ ଏଠାକୁ ଆସିବାକୁ ଇଛା ପ୍ରକାଶ କରିବେ ନାହିଁ। ପର୍ଯ୍ୟଟକ ସଂଖ୍ୟା ହ୍ରାସ ହେଲେ ପର୍ଯ୍ୟଟକ ଶିଳ୍ପ ଉପରେ ନିର୍ଭରଶିଳ ବ୍ୟବସାୟୀ ମାନେ ଆର୍ଥିକ କ୍ଷତିର ସମ୍ମୁଖିନ ହେବେ। ବେଳାଭୂମିରେ ଅବ୍ୟବସ୍ଥା ରହିଲେ ପର୍ଯ୍ୟଟନ ସ୍ଥଳୀ ଭାବରେ ପ୍ରସିଦ୍ଧି ଅର୍ଜନ କରିଥିବା ପୁରୀ ସହର ବଦନାମ ହେବ। ପୁରୀ ବେଳାଭୂମିରେ ୭ ଟି ଉଠାଦୋକାନୀ ସଂଘ ରହିଚି। ୧୫୦୦ ରୁ ଅଧିକ ଉଠା ଦୋକାନୀ ଏହି ସଂଘ ଅଧୀନରେ ରହିଛନ୍ତି। ବେଳାଭୂମିରେ ଏଣେତେଣେ ବସିଥିବା ଉଠା ଦୋକାନୀ ଙ୍କୁ ଗୋଟିଏ ସ୍ଥାନରେ ଭେଣ୍ଡିଂ ଜୋନ କରି ବସାଇଲେ ବେଳାଭୂମି ର ସୌନ୍ଦର୍ଯ୍ୟ ବୃଦ୍ଧି ସହ ପର୍ଯ୍ୟଟକ ମାନେ ମଧ୍ୟ ଭଲ ରେ ବେଳାଭୂମିରେ ବୁଲାବୁଲି କରିପାରିବେ। ପୁରୀ ପୌରପାଳିକା ଏ ନେଇ ପଦକ୍ଷେପ ନେବାର ଆବଶ୍ୟକତା ରହିଚି।ପୁରୀ ବାସିନ୍ଦା ତଥା ସାମାଜିକକର୍ମୀ ସିଦ୍ଧାର୍ଥ ରୋୟ ନିଜ ପ୍ରତିକ୍ରିୟାରେ କୁହନ୍ତି, ପୁରୀ ବିଚ୍ ହେଉଚି ଗୋଲ୍ଡେନ ବିଚ୍।

ଏହା ମହୋଦଧି ଏବଂ ତୀର୍ଥକ୍ଷେତ୍ର। ଏଥି ପାଇଁ ବହୁତ୍ ପର୍ଯ୍ୟଟକ ଙ୍କ ଆଗମନ ହୋଇଥାଏ। କିନ୍ତୁ କିଛି ବର୍ଷ ହେବ ଆମେ ଦେଖୁଛୁ ବିଚ୍ ତାର ସୌନ୍ଦର୍ଯ୍ୟ ହରାଉଛି। ଅନେକ ଉଠା ଦୋକାନୀ ବିଚ୍ ଭିତରେ ଦୋକାନ ଖୋଲି ବସିଛନ୍ତି। ଏହା ଦ୍ଵାରା ବେଳାଭୂମି ସଙ୍କୁଚିତ ହେଉଚି। ପର୍ଯ୍ୟଟକ ମାନେ ଭଲରେ ବୁଲାବୁଲି କରିପାରୁନାହାନ୍ତି। ଏଣୁ ବିଚ୍ କୁ ସମ୍ପୂର୍ଣ ମୁକ୍ତ ରଖାଯାଉ। ଉଠା ଦୋକାନୀ ଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇ ଥଇଥାନ କରାଯାଉ। ବିଚ୍ ଯେତେ ସ୍ୱଚ୍ଛ, ସୁନ୍ଦର୍ ରହିବ ଅଧିକ ପର୍ଯ୍ୟଟକ ଆସିବେ ।ପୁରୀ ଉଠାଦୋକାନୀ ମହାସଂଘ ଉପଦେଷ୍ଟା ଶରତ ରାୟଗୁରୁ ନିଜ ପ୍ରତିକ୍ରିୟାରେ କୁହନ୍ତି, ପୁରୀ ପୌରପାଳିକାର ଦାୟିତ୍ଵ ହେଉଚି ଉଠା ଦୋକାନୀ ଙ୍କ ତାଲିକା କରି ସେମାନଙ୍କ ପାଇଁ ଭେଣ୍ଡିଂ ଜୋନ ଯୋଗାଇବା ଉଚିତ୍। ହେଲେ ଆଜି ପର୍ଯ୍ୟନ୍ତ କାହିଁକି ବେଳାଭୂମିରେ ଭେଣ୍ଡିଂ ଜୋନ କରାଯାଇନାହିଁ ? କିଛି ଅଳ୍ପ ଉଠା ଦୋକାନୀ ଙ୍କୁ ଭେଣ୍ଡିଂ ଜୋନ ରେ ଥଇଥାନ କରାଯାଇ ଥିବା ବେଳେ ଅନେକ ଉଠା ଦୋକାନୀ ଙ୍କୁ ଆଜି ପର୍ଯ୍ୟନ୍ତ ଭେଣ୍ଡିଙ୍ଗ ଜୋନ ରେ ଥଇଥାନ କରାଯାଇନାହିଁ। ଏହାକୁ ତୁରନ୍ତ କରାଯାଉ। ଏହା ଦ୍ଵାରା ବେଳାଭୂମି ଜବର ଦଖଲ ମୁକ୍ତ ହେବା ସହ ବେଳାଭୂମିର ସୌନ୍ଦର୍ଯ୍ୟ ବୃଦ୍ଧି ପାଇବ। ତେବେ ପ୍ରଶାସନ ର ଇଛା ଶକ୍ତିର ଅଭାବ ହେତୁ ଏହା ସଫଳ ହୋଇପାରୁନି। ଏ ନେଇ ସରକାର ପଦକ୍ଷେପ ନେବା ଉଚିତ୍। ଏହା ଦ୍ଵାରା ଉଠାଦୋକାନୀ ମାନେ ରୋଜଗାରକ୍ଷମ ହେବା ସହ ବେଳାଭୂମି ର ସୁନ୍ଦରତା ଆହୁରି ବୃଦ୍ଧି ପାଇବ। ଅଧିକ ପର୍ଯ୍ୟଟକ ଙ୍କ ଆଗମନ ହେବ।ପୁରୀ ପୌରପାଳିକା ର କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା ନିଜ ପ୍ରତିକ୍ରିୟାରେ କୁହନ୍ତି, ବେଳାଭୂମିରେ ପର୍ଯ୍ୟଟକ ଙ୍କ ବୁଲାବୁଲି କରିବାରେ ଯେଭଳି କିଛି ଅସୁବିଧା ନ ହୁଏ ତାକୁ ଦୃଷ୍ଟିରେ ରଖାଯାଇ ବେଳାଭୂମି କୁ ଉନ୍ମୁକ୍ତ ରଖାଯାଉଛି। ଯେଉଁଠି ଜବର ଦଖଲ ହେଉଚି ତାକୁ ଆମେ ହଟାଉଛୁ। ଆମେ ଉଠା ଦୋକାନୀ ସଂଘ ସହ ମଧ୍ୟ ଆଲୋଚନା କରିଛୁ। ଭଙ୍ଗା ଟେବୁଲ୍, ଜରିପାଲ ଆଦି ବ୍ୟବହାର ନକରି ଏକ ନିର୍ଦିଷ୍ଟ ରଙ୍ଗ ର ଛୋଟ ଛୋଟ ଷ୍ଟଲ୍ ବ୍ୟବହାର ପାଇଁ କହିଚୁ। ଏହା ଦ୍ଵାରା ବେଳାଭୂମି ର ସୁନ୍ଦରତା ବୃଦ୍ଧି ପାଇବ। ତେବେ ସ୍ଵର୍ଗଦ୍ଵାର ବେଳାଭୂମିରେ ଉଠା ଦୋକାନୀ ଙ୍କୁ ଦୋକାନ ପାଇଁ ଅନୁମତି ଦିଆଯାଇଛି। ତେବେ ଲାଇଟ୍ ହାଉସ ବେଳାଭୂମି ଠାରୁ ଷ୍ଟରଲିଙ୍ଗ ବେଳାଭୂମି ପର୍ଯ୍ୟନ୍ତ ନୋ ଭେଣ୍ଡିଙ୍ଗ ଜୋନ ଅଞ୍ଚଳ କରାଯାଇଛି। ଉଠାଦୋକାନି ମାନେ ବେଳାଭୂମି କୁ ଅପରିଷ୍କାର ନ କରି ଡଷ୍ଟବିନ ବ୍ୟବହାର ପାଇଁ କୁହାଯାଇଛି।
