November 28, 2025
Home » ଶ୍ରୀମନ୍ଦିର ନାଟମଣ୍ଡପରେ ଧାଡ଼ି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ବିଳମ୍ବତାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ

ଶ୍ରୀମନ୍ଦିର ନାଟମଣ୍ଡପରେ ଧାଡ଼ି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ବିଳମ୍ବତାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ

0
WhatsApp Image 2025-11-26 at 6.09.15 AM

ଶ୍ରୀମନ୍ଦିର ନାଟମଣ୍ଡପରେ ଧାଡ଼ି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ବିଳମ୍ବତାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ। ଶ୍ରୀମନ୍ଦିର ନାଟମଣ୍ଡପରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ନଥିବାରୁ ପ୍ରବଳ ଠେଲାପେଲାରେ ଭକ୍ତମାନେ ମହାପ୍ରଭୁଙ୍କୁ ଭଲଭାବରେ ଦର୍ଶନ କରିପାରୁ ନାହାନ୍ତି। ବିଶେଷ କରି ବରିଷ୍ଠ ନାଗରିକ, ଛୋଟପିଲା ଏବଂ ମହିଳା ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କାର୍ତ୍ତିକ ମାସ ପରେ ଶ୍ରୀମନ୍ଦିର ନାଟମଣ୍ଡପରେ ଶୃଙ୍ଖଳିତ ଦର୍ଶନ ପାଇଁ ଧାଡ଼ି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ ହେବ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଥିଲେ। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏନେଇ ନିଷ୍ପତ୍ତି ଗ୍ରହଣ କରାଯାଇ ଶିଘ୍ର ଧାଡ଼ି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ ବୋଲି ଭକ୍ତଙ୍କର ଆଶା ରହିଥିଲା। ହେଲେ ଗତକାଲି ଶୁକ୍ରବାର ଅନୁଷ୍ଠିତ ହୋଇଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏନେଇ କୌଣସି ଚୁଡାନ୍ତ ନିଷ୍ପତ୍ତି ଗ୍ରହଣ କରାଗଲା ନାହିଁ। ନାଟମଣ୍ଡପ ଭିତରେ ହେବାକୁ ଥିବା ଅସ୍ଥାୟୀ ବ୍ୟାରିକେଡ଼ର ଡିଜାଇନ ରେ ପରିବର୍ତ୍ତନ ପାଇଁ ବୈଷୟିକ କମିଟିର ଅନୁଧ୍ୟାନ ଆବଶ୍ୟକତା ଥିବା କୁହାଯାଇ ପୁଣି ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ସ୍ଥଗିତ ରଖାଯାଇଛି। ବାରମ୍ବାର ଶ୍ରୀମନ୍ଦିର ନାଟମଣ୍ଡପରେ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଘୋଷଣା କରୁଥିବା ବେଳେ ପଦ୍ମ ଘୁଞ୍ଚି ଘୁଞ୍ଚି ଯିବାଭଳି ଧାଡ଼ି ଦର୍ଶନ ବ୍ୟବସ୍ଥାର ଅଧିକ ତର୍ଜମା ଥିବା ଆବଶ୍ୟକତା କୁହାଯାଇ ଏହାକୁ ସ୍ଥଗିତ ରଖାଯାଉଛି।

ଅନେକଥର ଧାଡ଼ି ଦର୍ଶନ ବ୍ୟବସ୍ଥା କିଭଳି କାର୍ଯ୍ୟକାରୀ ହେବ ତାକୁ ନେଇ ଅନୁଧ୍ୟାନ କରାଯାଇଥିବା ବେଳେ କାହିଁକି ଚୁଡାନ୍ତ ନିଷ୍ପତ୍ତି ନେବାରେ ବିଳମ୍ବ ହେଉଛି ସେନେଇ ଭକ୍ତ ପ୍ରଶ୍ନ ଉଠାଇଛନ୍ତି।ମହାପ୍ରଭୁ ଙ୍କୁ ଦର୍ଶନ କରିବା ପରେ ଜଣେ ମହିଳା ଭକ୍ତ ସରୋଜିନୀ ପଣ୍ଡା ନିଜ ପ୍ରତିକ୍ରିୟାରେ କୁହନ୍ତି ଶ୍ରୀ ମନ୍ଦିର ନାଟ ମଣ୍ଡପ ରେ ଶୃଙ୍ଖଳିତ ଧାଡ଼ି ଦର୍ଶନ ବ୍ୟବସ୍ଥା ନାହିଁ। ଏଣୁ ମୁଁ ଠିକ୍ ରେ ମହାପ୍ରଭୁ ଙ୍କ ଦର୍ଶନ ପାଇଲି ନାହିଁ। ପ୍ରବଳ ଠେଲାପେଲା ଯୋଗୁ ବହୁ ଅସୁବିଧା ହେଉଛି। ଶ୍ରୀ ମନ୍ଦିର ବାହାରୁ ଆମେ ଧାଡ଼ି ରେ ଯାଇଥିବା ବେଳେ ଶ୍ରୀ ମନ୍ଦିର ଭିତରେ କିଛି ଧାଡ଼ି ବ୍ୟବସ୍ଥା ନାହିଁ। ପ୍ରବଳ ଠେଲାପେଲା ଯୋଗୁ ତଳେ ପଡ଼ିଯିବାର ଆଶଙ୍କା ରହିଛି। ମହିଳା, ଛୋଟ ପିଲା ଓ ବୃଦ୍ଧ ମାନେ ପ୍ରବଳ ଭିଡ ଯୋଗୁ ବହୁତ୍ ଅସୁବିଧା ଭୋଗୁଛନ୍ତି। ଏଣୁ ସରକାର ଙ୍କୁ ମୋର ଅନୁରୋଧ ଯଥା ଶୀଘ୍ର ଶ୍ରୀ ମନ୍ଦିର ନାଟ ମଣ୍ଡପ ରେ ଶୃଙ୍ଖଳିତ ଧାଡି ଦର୍ଶନ ବ୍ୟବସ୍ଥା ହେଉ।ଜଣେ ଶ୍ରଦ୍ଧାଳୁ ରବି ନାରାୟଣ ମିଶ୍ର ନିଜ ପ୍ରତିକ୍ରିୟାରେ କୁହନ୍ତି, ଶ୍ରୀ ମନ୍ଦିର ରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ନଥିବାରୁ ବହୁତ୍ ଅସନ୍ତୁଷ୍ଟ ହେଉଛନ୍ତି ଭକ୍ତ। ବହୁତ୍ ଭକ୍ତ ଆସୁଥିବା ବେଳେ ସୁବିଧା ରେ ଭିତରେ ଦର୍ଶନ ହୋଇପାରୁନି। ବହୁଳ ଠେଲାପେଲା ସ୍ଥିତି ହେଉଚି। ଅନେକ ଭକ୍ତ ଭିଡ ଭିତରେ ଚେତାଶୁନ୍ୟ ହୋଇପଡ଼ୁଚନ୍ତି। ଶ୍ରୀ ମନ୍ଦିର ଭିତରେ ଶୃଙ୍ଖଳିତ ଦର୍ଶନ ପାଇଁ ସରକାର ଧ୍ୟାନ ଦେବା ଉଚିତ୍ । ଆଗକୁ ନୁଆ ବର୍ଷ ଆସୁଚି। ବହୁତ୍ ଭକ୍ତ ଆସିବେ। ଶ୍ରୀ ମନ୍ଦିର ଭିତର ଦର୍ଶନ ବ୍ୟବସ୍ଥା କୁ ଶୃଙ୍ଖଳିତ କରାନଗଲେ ବହୁତ୍ ଅସୁବିଧା ଭୋଗିବେ ଭକ୍ତ। ଶ୍ରୀ ମନ୍ଦିର ଭିତରେ ଧାଡ଼ି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ଅହେତୁକ ବିଳମ୍ବ ହେଉଚି। ଶୀଘ୍ର ଏ ନେଇ ନିଷ୍ପତ୍ତି ନିଆଯିବର ଆବଶ୍ୟକତା ରହିଚି।
ଶ୍ରୀମନ୍ଦିର ଚାରି ଦ୍ଵାର ଭକ୍ତଙ୍କ ପାଇଁ ଖୋଲାଯିବା ପରେ ଶ୍ରୀମନ୍ଦିର ନାଟମଣ୍ଡପରେ ଶୃଙ୍ଖଳିତ ଦର୍ଶନ ପାଇଁ ଧାଡ଼ି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ। ଏନେଇ କାଠରେ ରାମ୍ପ ସହିତ ବ୍ୟାରିକେଡ଼ ମଧ୍ୟ ପ୍ରସ୍ତୁତ କରାଯାଇଛି। ଏହି ବ୍ୟବସ୍ଥା କିଭଳି ସଫଳ ହୋଇପାରିବ ସେନେଇ ମଧ୍ୟ ବାରମ୍ବାର ସମୀକ୍ଷା କରାଯାଉଛି। ହେଲେ ନାଟମଣ୍ଡପରେ ଧାଡ଼ି ଦର୍ଶନ ବ୍ୟବସ୍ଥା କିନ୍ତୁ କାର୍ଯ୍ୟକାରୀ କରିପାରୁ ନାହାନ୍ତି ରାଜ୍ୟ ସରକାର।ସେପଟେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି‌ ଅରବିନ୍ଦ ପାଢ଼ୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଶ୍ରୀ ମନ୍ଦିର ନାଟମଣ୍ଡପରେ କାଠ ବ୍ୟାରିକେଡ଼ ଲଗାଯାଇ ଧାଡ଼ି ଦର୍ଶନ ବ୍ୟବସ୍ଥା ଦ୍ବାରା ଯେଭଳି ମହାପ୍ରଭୁଙ୍କ ନୀତି କାନ୍ତିରେ କୌଣସି ଅସୁବିଧା ସୃଷ୍ଟି ନହୁଏ ଏବଂ ଭକ୍ତଙ୍କ ଦର୍ଶନରେ କୌଣସି ବାଧା ନଉପୁଜେ ସେନେଇ ବାରମ୍ବାର ସମୀକ୍ଷା କରାଯାଉଛି। କାଠ ବ୍ୟାରିକେଡ଼ ଡିଜାଇନରେ କିଛି ପରିବର୍ତ୍ତନ ପାଇଁ ସେବାୟତଙ୍କ ପରାମର୍ଶ ଆସିଥିବାରୁ ଆଇଆଇଟି ର ସହଯୋଗରେ ନୂଆ କାଠ ବ୍ୟାରିକେଡ଼ ବ୍ୟବସ୍ଥା କରାଯିବ। ସେହିପରି ପହିଲି ଭୋଗ ନୀତି ଏବଂ ଇଂରାଜୀ ନୂତନ ବର୍ଷ ଥିବାରୁ ଅଧିକ ଭକ୍ତଙ୍କ ଭିଡ଼ ହେବାର ସମ୍ଭାବନା ମଧ୍ୟ ରହିଛି। ଏଣୁ ଧାଡ଼ି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବା ପୂର୍ବରୁ ଏହାକୁ ସମ୍ପୂର୍ଣ୍ଣ ତ୍ରୁଟି ଶୂନ୍ୟ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଗୁରୁତ୍ୱ ଦେଉଛି। ତେବେ ଆମେ ନାଟ ମଣ୍ଡପ ରେ ଧାଡ଼ି ବ୍ୟବସ୍ଥା ନିଶ୍ଚିତ କାର୍ଯ୍ୟକାରୀ କରିବୁ। ସମସ୍ତ ଦିଗକୁ ନେଇ ତର୍ଜମା ଶେଷ ପରେ ଏହାକୁ କାର୍ଯ୍ୟକାରୀ କରାଯିବ।ଶ୍ରୀ ମନ୍ଦିର ପରିଚାଳନା କମିଟି ସଦସ୍ୟ ଜଗନ୍ନାଥ ପୂଜାପଣ୍ଡା କୁହନ୍ତି, ନାଟ ମଣ୍ଡପ ରେ ଶୃଙ୍ଖଳିତ ଦର୍ଶନ ପାଇଁ ଅଧିକ ତର୍ଜମା ର ଆବଶ୍ୟକତା ରହିଛି।ମହାପ୍ରଭୁ ଙ୍କ ନୀତି କାନ୍ତି ହେଉଚି ସବୁଠୁ ମହତ୍ୱପୁର୍ଣ୍ଣ। ଯଦି ନୀତି କାନ୍ତି ଶୃଙ୍ଖଳିତ ରହିବ ତାହା ହେଲେ ଦର୍ଶନ ବି ଶୃଙ୍ଖଳିତ ରହିବ । ତେବେ ନାଟ ମଣ୍ଡପ ରେ ବ୍ୟାରିକେଡ଼ ରେ ଧାଡ଼ି ଦର୍ଶନ ନେଇ ଆହୁରି ଅଧିକ ତର୍ଜମା କରାଯାଇ ପଦକ୍ଷେପ ନିଆଯିବ।ଶ୍ରୀମନ୍ଦିରକୁ ପ୍ରତିଦିନ ହଜାର ହଜାର ଭକ୍ତ ମହାପ୍ରଭୁଙ୍କ ଦର୍ଶନ ସହିତ ସାନିଧ୍ୟ ଲାଭ କରିବାପାଇଁ ଆସୁଛନ୍ତି। ହେଲେ ସାତ ପାହାଚ ଠାରୁ ନାଟମଣ୍ଡପ ଦେଇ ଭକ୍ତମାନେ ଗଲାବେଳେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ନଥିବାରୁ ପ୍ରବଳ ଠେଲାପେଲା ପରିସ୍ଥିତି ଉପୁଜି ଥିବାରୁ ଭକ୍ତମାନେ ମହାପ୍ରଭୁଙ୍କୁ ଭଲଭାବରେ ଦର୍ଶନ କରିପାରୁ ନାହାନ୍ତି। ଏଭଳି ଅବ୍ୟବସ୍ଥାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଥିବା ବେଳେ ଏହା କେବେ ସମାଧାନ ହେବ ତାକୁ ଏବେ ସମସ୍ତଙ୍କର ଅପେକ୍ଷା।

Leave a Reply

Your email address will not be published. Required fields are marked *