November 28, 2025
Home » ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରେନ୍ ମିତ୍ରଙ୍କ ୧୦୮ତମ ଜୟନ୍ତୀ ଓ ସମ୍ବିଧାନ ଦିବସ ପାଳିତ

ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରେନ୍ ମିତ୍ରଙ୍କ ୧୦୮ତମ ଜୟନ୍ତୀ ଓ ସମ୍ବିଧାନ ଦିବସ ପାଳିତ

0
WhatsApp Image 2025-11-27 at 8.04.46 AM

କଟକ: ଭାରତୀୟ ସ୍ୱାଧୀନତା ସଂଗ୍ରାମର ଅନନ୍ୟ ରଥୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରେନ ମିତ୍ରଙ୍କର ୧୦୮ତମ ଜୟନ୍ତୀ  ମିଶନ୍ ରୋଡସ୍ଥିତ ବୀରେନ୍ ମିତ୍ର ପାର୍କ ପରିସରରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଏବଂ ବୀରେନ ମିତ୍ର ଫାଉଣ୍ଡେସନ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଡଃ ଇପସିତା ପ୍ରିୟଦର୍ଶିନୀ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଜୟନ୍ତୀ ସମାରୋହରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ବୀରେନ ମିତ୍ରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ସହ ତାଙ୍କର ସ୍ମୃତିଚାରଣ କରିଥିଲେ ।
ପ୍ରକାଶଥାଉକି ୧୯୧୭ରେ ଜନ୍ମଗ୍ରହଣ କରିଥିବା ସ୍ୱର୍ଗତ ମିତ୍ର ୧୯୫୨ରୁ ୧୯୬୭ ମଧ୍ୟରେ କ୍ରମାଗତ ୪ଥର କଟକ ଆସନରୁ ବିଧାନସଭାକୁ ନିର୍ବାଚତ ହୋଇଥିଲେ ଏବଂ ୧୯୬୩ ମସିହା ଅକ୍ଟୋବର ୨ ତାରିଖରୁ ୧୯୬୫ ମସିହା ଫେବୃଆରୀ ୨୧ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟନିର୍ବାହ କରିଥିବା ସମ୍ପର୍କରେ ଅତିଥିମାନେ ଆଲୋକପାତ କରିବା ସହ ତାଙ୍କ ରାଜନୈତିକ ଜୀବନ ଏବଂ ସାମାଜିକ କାର୍ଯ୍ୟକଳାପ ସମ୍ପର୍କରେ ଆଲୋଚନା କରିଥିଲେ ।

ଜୟନ୍ତୀ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ପୂର୍ବତନ ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର ଯୋଗ ଦେଇ ସ୍ୱର୍ଗତ ବୀରେନ ମିତ୍ରଙ୍କ ସ୍ମୃତିଚାରଣ କରି ରାଜନୀତି କ୍ଷେତ୍ରରେ ବୀରେନ୍ ମିତ୍ରଙ୍କ ଅବଦାନ ଅତୁଳନୀୟ ବୋଲି କହିଥିଲେ । କଟକ ସହରର ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ତାଙ୍କର ପ୍ରଚେଷ୍ଟା ସର୍ବଜନବିଦିତ ବୋଲି ସେ ମତବ୍ୟକ୍ତ କରିଥିଲେ । ବିଶିଷ୍ଟ କର୍ପୋରେଟ ପ୍ରମୂଖ ଶ୍ରୀ ସଂତୃପ୍ତ ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ କ୍ଷମତା ସହ ନମ୍ରତା ସ୍ୱର୍ଗତ ମିତ୍ରଙ୍କୁ ଅନ୍ୟମାନଙ୍କ ଠାରୁ ସ୍ୱତନ୍ତ୍ର କରିଥିଲା । ତାଙ୍କ ଭଳି ଦୃଢ ନେତୃତ୍ୱର ଅଧିକାରୀ ସର୍ବଦା ରାଜ୍ୟ ତଥା ରାଜ୍ୟର ଜନସାଧାରଣଙ୍କ ବିକାଶ ପାଇଁ ଆଗେଇ ଆସିଥିଲେ । ନିଜ ସ୍ୱଳ୍ପ ସମୟର ଜୀବନକାଳ ମଧ୍ୟରେ ରାଜନୀତି କ୍ଷେତ୍ରରେ ଯେଉଁ ସ୍ୱାକ୍ଷର ଛାଡି ଯାଇଛନ୍ତି ତାହା ଆଗାମୀ ପିଢୀ ପାଇଁ ଆଦର୍ଶ ହୋଇ ରହିବ ବୋଲି ମତବ୍ୟକ୍ତ କରିଥିଲେ । କଟକ ମହାନଗର ନିଗମର ମାନ୍ୟବର ମେୟର, ଶ୍ରୀ ସୁବାସ ଚନ୍ଦ୍ର ସିଂହ ସ୍ୱର୍ଗତ ବୀରେନ ମିତ୍ରଙ୍କ ସ୍ମୃତିଚାରଣ କରି ସ୍ୱର୍ଗତ ମିତ୍ର ପ୍ରତ୍ୟକ୍ଷରେ ଗରିବ ଲୋକଙ୍କ ଆଶା ଓ ବିଶ୍ୱାସର ପ୍ରତୀକ ଥିଲେ ବୋଲି ମତ ଦେଇଥିଲେ । ବାଙ୍କୀର ମାନ୍ୟବର ବିଧାୟକ ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ ସ୍ୱର୍ଗତ ବୀରେନ ମିତ୍ରଙ୍କୁ ଜଣେ ଦରଦି, ସମ୍ବେଦନଶୀଳ, ଉଦାରବାଦୀ ତଥା ନିର୍ଭୀକ ରାଜନୀତିଜ୍ଞ ଭାବେ ବର୍ଣ୍ଣନା କରିଥିଲେ । କ୍ଷମତାରେ ଥାଆନ୍ତୁ ବା ନ ଥାଆନ୍ତୁ ସେ ସର୍ବଦା ଗରିବ ଜନସାଧାରଣଙ୍କୁ ସାହାଯ୍ୟ କରୁଥିଲେ ।

ଜଣେ ଅହଂକାରବିହୀନ ଜନ ପ୍ରତିନିଧି ଭାବରେ ସେ ସମସ୍ତଙ୍କୁ ଆପଣାର କରିପାରିଥିଲେ । କଟକ ସଦରର ମାନ୍ୟବର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ସ୍ୱର୍ଗତ ମିତ୍ରଙ୍କୁ ଜଣେ ପରୋପକାରୀ ଏବଂ ଜନସେବାକୁ ଜୀବନର ବ୍ରତ ଭାବରେ ଗ୍ରହଣ କରିଥିବା ବ୍ୟକ୍ତିତ୍ୱ ଭାବରେ ବର୍ଣ୍ଣନା କରିବା ସହ ଯୁବପିଢୀ ଏଭଳି ବ୍ୟକ୍ତିତ୍ୱମାନଙ୍କ ବିଷୟରେ ଅବଗତ ହୋଇ ଅନୁପ୍ରାଣିତ ହୋଇ ସମାଜରେ କାର୍ଯ୍ୟକରିବାକୁ ଆହ୍ୱାନ ଦେଇଥିଲେ । ଅତିରିକ୍ତ ଜିଲ୍ଳାପାଳ ଡଃ ଇପସିତା ପ୍ରିୟଦର୍ଶିନୀ ମିଶ୍ର ବୀରେନ୍ ମିତ୍ରଙ୍କ ରାଜନୈତିକ ତଥା ସାମାଜିକ ଜୀବନଶୈଳୀ ଉପରେ ଆଲୋକପାତ କରିବା ସହ ସମ୍ବିଧାନ ଦିବସ ଅବସରରେ ଜିଲ୍ଳା ପ୍ରଶାସନ ପକ୍ଷରୁ ସମ୍ବିଧାନର ମୁଖବନ୍ଧ ପାଠ କରାଇଥିଲେ । ଜିଲ୍ଳା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଭବାନୀ ଶଙ୍କର ଭୂୟାଁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ବୀରେନ୍ ମିତ୍ର ଫାଉଣ୍ଡେସନର ଉପସଭାପତି ଶ୍ରୀ ପ୍ରଫୁଲ୍ଳ କୁମାର ସିଂହ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବୀରେନ୍ ମିତ୍ର ଫାଉଣ୍ଡେସନ୍ ପକ୍ଷରୁୁ ପୂର୍ବତନ କର୍ପୋରେଟର ଶ୍ରୀ ପ୍ରଫୁଲ୍ଲ କୁମାର ବେହେରା ଓ ଶ୍ରୀ କାଶୀନାଥ ମଲ୍ଲିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଜୟନ୍ତୀ ପାଳନ ଅବସରରେ ଅନୁଷ୍ଠିତ ସଭାକାର୍ଯ୍ୟରେ ସମାଜସେବୀ ଲଲାଟେନ୍ଦୁ ବଡୁ, ଶ୍ରୀ ମଧୁସୂଦନ ସାହୁ, କର୍ପୋରେଟର ଏ.ଶ୍ରୀଦେବୀଙ୍କ ସମେତ ବୀରେନ୍ ମିତ୍ର ଫାଉଣ୍ଡେସନର ସାଧାରଣ ସମ୍ପାଦକ ସୋମିତ୍ର ମିତ୍ର , ଅମିତ୍ ମିତ୍ର, ଆଦିତ୍ୟ ସ୍ୱାଇଁ ଓ ଅନ୍ୟାନ୍ୟ କର୍ମକର୍ତାମାନେ ଉପସ୍ଥିତ ରହି ସମସ୍ତ ସହଯୋଗ କରିଥିଲେ । ଏଥିରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଏନସିସି ଓ ସ୍କାଉଟ୍‌, ଗାଇଡ୍ ଛାତ୍ରଛାତ୍ରୀ, ବିଭିନ୍ନ ଶାନ୍ତି କମିଟି ଓ ଅନୁଷ୍ଠାନ ତଥା ବରିଷ୍ଠ ନାଗରିକ ମଂଚର ସଦସ୍ୟ ସଦସ୍ୟା ଏବଂ ବିଭିନ୍ନ ରାଜନୈତିକ ଦଳର ସଦସ୍ୟମାନେ ଉପସ୍ଥିତ ଥିଲେ ।

 

କଟକ ଇପିଏ ରୁ ଲଳିତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *