ମଣ୍ଡେଇ ମହୋତ୍ସବ ୨୦୨୫ ଉପଲକ୍ଷେ ମହିଳା ଡିଗ୍ରୀ କଲେଜରେ ମେହେନ୍ଦି ପ୍ରତିଯୋଗିତା ଅନୁଷ୍ଠିତ
ନବରଙ୍ଗପୁର ଜିଲ୍ଲାର ଲୋକପ୍ରିୟ ମଣ୍ଡେଇ ମହୋତ୍ସବ ଅବସରରେ ବିଭିନ୍ନ ପ୍ରତିଯୋଗିତା ମଧ୍ୟରୁ ମହିଳା ଡିଗ୍ରୀ କଲେଜ ପରିସରରେ ଏକ ମେହେନ୍ଦି ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। କଲେଜର ଅଧ୍ୟକ୍ଷା ଏବଂ ଅଧ୍ୟାପିକା ଡାକ୍ତର ସଂଯୁକ୍ତା ପଣ୍ଡାଙ୍କ ତତ୍ତ୍ୱାବଧାନରେ ଏହି ପ୍ରତିଯୋଗିତା ସୁନ୍ଦର ଭାବରେ ପରିଚାଳିତ ହୋଇଥିଲା। ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡାକ୍ତର ସଂଯୁକ୍ତା ପଣ୍ଡା, ଶ୍ରୀମତୀ ତାରାନ୍ନୁମ ଆରା ଓ ଶ୍ରୀମତୀ ସୁନିତା ପାତ୍ରୋ ବିଚାରକ ଭାବେ ଯୋଗ ଦେଇଥିଲେ।

ଏଥିରେ ଛାତ୍ରୀ ଓ ସ୍ଥାନୀୟ ମହିଳାଙ୍କ ସମେତ ପ୍ରାୟ ୫୦ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପ୍ରତିଯୋଗୀମାନଙ୍କ ସହ ଉତ୍ସାହିତ କରିବା ସହ ଆମ ସଂସ୍କୃତି ଓ ପରମ୍ପରାରେ ମେହେନ୍ଦିର ମହତ୍ତ୍ୱ ଉପରେ ପରାମର୍ଶ ଦେଇଥିଲେ। ପ୍ରତିଯୋଗିତାରେ ସ୍ନିଗ୍ଧା ପାତ୍ରୋ ପ୍ରଥମ ସ୍ଥାନ, ମଞ୍ଜୁଳା ଭତ୍ରା ଦ୍ୱିତୀୟ ସ୍ଥାନ ଏବଂ ଏନ୍. ସୋନିଆ ଓ ଚର୍ଚ୍ଚିକା ରାଜପୁତ ମିଳିତ ଭାବେ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସମସ୍ତ ଅଂଶଗ୍ରହଣକାରୀଙ୍କୁ ଅଂଶଗ୍ରହଣ ସାର୍ଟିଫିକେଟ ପ୍ରଦାନ କରାଯାଇଥିବା ବେଳେ ଏହି ୩ ଜଣ ବିଜେତାଙ୍କୁ ମୁଖ୍ୟ ମଣ୍ଡେଇ ମଞ୍ଚରେ ସମ୍ବର୍ଦ୍ଧିତ କରାଯିବ।
ରିପୋର୍ଟ: ନବରଙ୍ଗପୁର ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ
