December 21, 2025
Home » ରାତ୍ରୀରେ ଏମଭି ୨୬ ଗ୍ରାମରେ ପହଞ୍ଚି ସ୍ଥିତି ସମୀକ୍ଷା କଲେ ଦକ୍ଷିଣାଞ୍ଚଳ ଆରଡିସି

ରାତ୍ରୀରେ ଏମଭି ୨୬ ଗ୍ରାମରେ ପହଞ୍ଚି ସ୍ଥିତି ସମୀକ୍ଷା କଲେ ଦକ୍ଷିଣାଞ୍ଚଳ ଆରଡିସି

0
WhatsApp Image 2025-12-11 at 11.35.00 PM (1)

ଗୁରୁବାର ରାତିରେ ମାଲକାନଗିରି ଏମଭି ୨୬ ଗ୍ରାମରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ସଂଗ୍ରାମ କେଶରୀ ମହାପାତ୍ର। ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ନିଆଯାଇଥିବା ସମସ୍ତ ପଦକ୍ଷେପ ବିଷୟରେ ଆରଡିସି ଙ୍କୁ ଅବଗତ କରାଇଛନ୍ତି। ଆରଡିସି ଏବଂ ଜିଲ୍ଲାପାଳ ଏମଭି ୨୬ ର ପୀଡ଼ିତ ମାନଙ୍କ ସହ ଆଲୋଚନା କରିଛନ୍ତି। ପରିସ୍ଥିତି ସମ୍ପୂର୍ଣ୍ଣ ରୂପେ ସ୍ୱାଭାବିକ ହୋଇଯିବ ବୋଲି ଗ୍ରାମବାସୀଙ୍କୁ ଆଶ୍ଵାସନା ଦେଇଛନ୍ତି ଆରଡିସି । ଜିଲ୍ଲାପାଳ ଯେଉଁଭଳି ଭାବେ ଏହି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ତଦାରଖ କରିଛନ୍ତି ତାହା ନିଶ୍ଚିତ ରୂପେ ପ୍ରଶଂସନୀୟ ବୋଲି ଆରଡିସି ମତବ୍ୟକ୍ତ କରିଥିଲେ। ଏହି ପରିସ୍ଥିତି ରେ ରାତ୍ରୀ ରେ ମଧ୍ୟ ସମଗ୍ର ପ୍ରଶାସନ ଉପସ୍ଥିତି ରହି ଥଇଥାନ ବ୍ୟବସ୍ଥାକୁ ଯେଉଁଭଳି ଯତ୍ନ ସହକାରେ ତଦାରଖ କରୁଛନ୍ତି ତାହା ଏକ ବିରାଟ ଉପଲବ୍ଧି ବୋଲି ମଧ୍ୟ ଆରଡିସି କହିଥିଲେ।

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସେ ଏହି ଗସ୍ତ କରିଛନ୍ତି ଏବଂ ସମସ୍ତଙ୍କର ଯତ୍ନ ନିଆଯିବ ବୋଲି ଆଶ୍ଵାସନା ପ୍ରଦାନ କରିଛନ୍ତି ଆରଡିସି ।ଆଜି ୨୦୬ ଜଣଙ୍କୁ ଟାରପଲିନ୍ ଓ କମ୍ବଳ ବଣ୍ଟନ କରାଯାଇଛି । ତା ସହିତ ପୀଡ଼ିତ ଗ୍ରାମବାସୀଙ୍କୁ ଦୁଇ ଗୋଟି ଖଟ ସାଙ୍ଗ କୁ ଦୁଇ ଗୋଟି ବିଛଣା ଯୋଗାଇ ଦିଆଯାଇଛି। ଏମଭି ୨୬ ଗ୍ରାମର ପୁରୁଷ ସଦସ୍ୟ ମାନେ ଘରକୁ ପ୍ରତ୍ୟାବର୍ତ୍ତନ କରୁଥିବା କଥା ଜିଲ୍ଲାପାଳ ଆରଡିସିଙ୍କୁ ଜଣାଇଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ହୋଇଥିବା କ୍ଷୟକ୍ଷତିର ଆକଳନ କରାଯାଇଛି। ବିଦ୍ୟୁତ୍ ସଂଯୋଗୀକରଣ ନିମନ୍ତେ ବିଦ୍ୟୁତ୍ ବିଭାଗ ତତ୍ପରତାର ସହ ଅହରହ କାର୍ଯ୍ୟ କରୁଛନ୍ତି। ପ୍ରତ୍ୟେକ ଘରକୁ ସୁରକ୍ଷିତ ଭାବେ ବିଦ୍ୟୁତ୍ ସଂଯୋଗୀକରଣ କରାଇବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ଆଜି ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ, ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳ ଏମଭି ୨୬ ଗ୍ରାମ ରେ ଉପସ୍ଥିତ ରହି ରିଲିଫ୍ କାର୍ଯ୍ୟ ତଦାରଖ କରିଛନ୍ତି। ରିଲିଫ୍ ସାମଗ୍ରୀ ବଣ୍ଟନ ନିମନ୍ତେ ରେଡ୍ କ୍ରସ୍ ସୋସାଇଟିକୁ ଅବଗତ କରାଯାଇଛି। ସେହିପରି ଜିଲ୍ଲା ଯୋଗାଣ ଅଧିକାରୀ ଙ୍କୁ ଗ୍ୟାସ୍ ସିଲିଣ୍ଡର୍ ଗୁଡିକର ସୁରକ୍ଷା ଦିଗରେ ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲ୍ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଶୁଖିଲା ଖାଦ୍ୟ ଗ୍ରାମର ପୁରୁଷ ମାନଙ୍କ ମାଧ୍ୟମରେ ପଠାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନୁରୂପ ଭାବେ ଶିଶୁ ଙ୍କ ଖାଦ୍ୟ ମଧ୍ୟ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ ଘରର ପୁରୁଷ ମାନଙ୍କ ପାଖରେ ପହଞ୍ଚାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଯାହା ଫଳରେ ତାହା ଶିଶୁ ମାନଙ୍କ ପାଖରେ ପହଞ୍ଚି ପାରିବ ବୋଲି ଆରଡିସି କହିଥିଲେ। ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କଥା ମଧ୍ୟ ପଚାରି ବୁଝିଥିଲେ ଆରଡିସି । ପୀଡ଼ିତଙ୍କୁ ଉତ୍ତମ ଖାଦ୍ୟ ବ୍ୟବସ୍ଥାର ସୁନିଶ୍ଚିତ କରିବା ପାଇଁ ଗୁରୁତ୍ୱାରୋପ କରିଛନ୍ତି ଜିଲ୍ଲାପାଳ । ରାତ୍ରୀରେ ଫେରିଥିବା ଗ୍ରାମବାସୀ ଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି। ଏମଭି ୨୬ ଗ୍ରାମ ରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ରହିଛି। ସମଗ୍ର ଗ୍ରାମ ରେ ବିଏସଏଫ, ସିଆରପିଏଫ୍, ଆରଏଏଫ୍ ଓ ପୋଲିସ୍ ବାହିନୀ କୁ ମୁତୟନ କରାଯାଇଛି । ଧିରେ ଧିରେ ଏମଭି ୨୬ ଗ୍ରାମର ପରିସ୍ଥିତି ସୁଧୁରିଛି । ସୂଚନା ଥାଉ କି ସମଗ୍ର ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା କୁ ବନ୍ଦ କରି ଦିଆଯାଇଛି।

ରିପୋର୍ଟ: ମାଲକାନଗିରି ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *