ଶୃଙ୍ଖଳିତ ନୀତି କାନ୍ତି ପାଇଁ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ କେବଳ ବୈଠକ ସୁଫଳ କିଛି ମିଳୁନାହିଁ
ଶ୍ରୀ ମନ୍ଦିର ରେ ମହାପ୍ରଭୁ ଙ୍କ ଦୈନିକ ନୀତିକାନ୍ତି ରେ ଶୃଙ୍ଖଳା ଆସିପାରୁନି।ମହାପ୍ରଭୁ ଙ୍କ ଦୈନିକ ନିତିକାନ୍ତି କିଭଳି ଶୃଙ୍ଖଳିତ ହୋଇପାରିବ ସେ ନେଇ କେହି ଗୁରୁତ୍ଵ ଦେଉନାହାନ୍ତି। ଶୃଙ୍ଖଳିତ ନୀତି କାନ୍ତି ପାଇଁ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ କେବଳ ବୈଠକ ପରେ ବୈଠକ ଅନୁଷ୍ଠିତ ହେଉଚି ହେଲେ ସୁଫଳ କିଛି ମିଳୁନାହିଁ।ମହାପ୍ରଭୁ ଙ୍କ ମଙ୍ଗଳ ଆଳତି ନୀତି ସଠିକ୍ ସମୟ ରେ ହେଉନାହିଁ। ସକାଳ ଧୂପ ଶେଷ ହେଲା ବେଳକୁ ମଧ୍ୟାହ୍ନ ସମୟ ହୋଇ ଯାଉଛି। ସେହିପରି ମଧ୍ୟାହ୍ନ ଧୂପ ରେ ମଧ୍ୟ ବିଳମ୍ବ ହେଉଥିବାରୁ ଦିନ ରେ ବିଶ୍ରାମ ନେଇ କରୁନାହାନ୍ତି ମହାପ୍ରଭୁ। ନୀତି ବିଳମ୍ବିତ ହେଲେ କଷ୍ଟ ପାଉଛନ୍ତି ଭକ୍ତ। ନୀତି ରେ ବିଳମ୍ୱ ଯୋଗୁ ଦର୍ଶନ ରେ ମଧ୍ୟ ବିଳମ୍ବ ହେଉଚି। ଫଳରେ ଧାଡ଼ି ରେ ଦୀର୍ଘ ସମୟ ହେବ ଭକ୍ତ ମାନେ ଠିଆ କଷ୍ଟ ଭୋଗୁଛନ୍ତି। ଅନେକ ସମୟ ରେ ଭକ୍ତ ଙ୍କ ଧର୍ଯ୍ୟଚ୍ୟୁତି ଯୋଗୁ ବିଭିନ୍ନ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଉଚି। ଛୋଟ ପିଲା, ବରିଷ୍ଠ ନାଗରିକ ମାନେ ଘଣ୍ଟା ଘଣ୍ଟା ଧରି ଲାଇନ ରେ ବ୍ୟାରିକେଡ଼ ରେ ରହି ବହୁ ଅସୁବିଧା ସମ୍ମୁଖୀନ ହେଉଛନ୍ତି। ଶ୍ରୀ ମନ୍ଦିର ରେ ମହାପ୍ରଭୁ ଙ୍କ ଶୃଙ୍ଖଳିତ ନୀତି କାନ୍ତି ପାଇଁ ମାଳ ମାଳ ଅଧିକାରୀ ଶ୍ରୀ ମନ୍ଦିର ପ୍ରଶାସନ ରେ ଥିବା ବେଳେ କାହିଁକି ମହାପ୍ରଭୁ ଙ୍କ ନୀତି ରେ ବିଳମ୍ୱ ହେଉଚି ସେ ନେଇ ଜଗନ୍ନାଥ୍ ପ୍ରେମୀ ପ୍ରଶ୍ନ ଉଠାଇଛନ୍ତି। ଶ୍ରୀ ମନ୍ଦିର ରେ ମହାପ୍ରଭୁ ଙ୍କ ନୀତି ହେଉଚି ସର୍ବାଗ୍ରେ। ଏଣୁ ସରକାର ଶ୍ରୀ ମନ୍ଦିର ରେ କିଭଳି ଦୈନିକ ନୀତି କାନ୍ତି ଶୃଙ୍ଖଳିତ ତଥା ସମୟାନୁଜାୟୀ ଅନୁଷ୍ଠିତ ହେବ ସେ ନେଇ ପଦକ୍ଷେପ ନେବାକୁ ଜଗନ୍ନାଥ ପ୍ରେମୀ ଦାବି କରିଛନ୍ତି।
ଜଗନ୍ନାଥପ୍ରେମୀ ମନୋଜ ରଥ ନିଜ ପ୍ରତିକ୍ରିୟାରେ କୁହନ୍ତି, ଶ୍ରୀ ମନ୍ଦିର ରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରିବାକୁ ହେଲେ ମହାପ୍ରଭୁ ଙ୍କ ଦୈନିକ ନୀତି କାନ୍ତି କୁ ଶୃଙ୍ଖଳିତ କରିବାକୁ ପଡ଼ିବ। କାରଣ ବହିରାଗତ ଯାତ୍ରୀ ମାନେ ପୂର୍ବ ଦିନ ରୁ ଆସି ଅପେକ୍ଷା ରେ ରହୁଛନ୍ତି ମହାପ୍ରଭୁଙ୍କ ଦର୍ଶନ ପାଇଁ। କାରଣ ସକାଳୁ ସେମାନେ ମହାପ୍ରଭୁ ଙ୍କ ଦର୍ଶନ ସାରି ନିଜ ଗନ୍ତବ୍ୟ ପଥରେ ଫେରିଯିବାକୁ ଯୋଜନା କରିଥାନ୍ତି। ଯଦି ମଙ୍ଗଳ ଆଳତି ନୀତି ବିଳମ୍ବିତ ହେଉଚି ତେବେ ଅନ୍ୟାନ୍ୟ ନୀତି କାନ୍ତି ମଧ୍ୟ ବିଳମ୍ବ ହୋଇ ଚାଲିବ। ରାତ୍ର ପହୁଡ଼ ମଧ୍ୟ ୨ ରୁ ୪ ଘଣ୍ଟା ବିଳମ୍ୱ ହେଉଚି। ଏବେ ଶ୍ରୀମନ୍ଦିର ପ୍ରଶାସନ ରେ ପର୍ଯ୍ୟାପ୍ତ ଅଧିକାରୀ ନିୟୋଜିତ ଅଛନ୍ତି। ଯଦି ରାଜ୍ୟ ସରକାର ଏହି ଅଧିକାରୀ ଙ୍କୁ ଠିକ୍ ରେ ଦାୟିତ୍ଵ ବଣ୍ଟନ କରନ୍ତେ ଓ ଅଧିକାରୀ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ସବୁ ସୁପରିଚାଳନା ହୁଅନ୍ତା ତାହା ହେଲେ ମହାପ୍ରଭୁ ଙ୍କ ନୀତି ରେ ଶୃଙ୍ଖଳା ଆସିପାରିବ। କାରଣ ସବୁ କିଛି ଏବେ ଅଧିକାରୀ ଙ୍କ ଦ୍ଵାରା ଶ୍ରୀ ମନ୍ଦିର ପରିଚାଳନା ହେଉଚି। ସେବକ ମାନେ କେବଳ ସେବା କରିବେ। ପୂର୍ବରୁ ନୀତି କୁ ଶୃଙ୍ଖଳିତ କରିବା ପାଇଁ ସେବକ ଙ୍କୁ ନେଇ ଏକ ବୁଧବାରିଆ କମିଟି ଗଠନ ହୋଇଥିଲା। ପ୍ରତି ସପ୍ତାହ ରେ ଏହି କମିଟି ର ବୈଠକ ବସି ନୀତି କୁ କିଭଳି ସହଲ ଓ ଶୃଙ୍ଖଳିତ କରାଯାଇ ପାରିବ ସେ ନେଇ ଆଲୋଚାନା ହେଉଥିଲା । ତେବେ ଏହି ବ୍ୟବସ୍ଥା ବନ୍ଦ ହୋଇଗଲା। ତେବେ ଏହି ବ୍ୟବସ୍ଥା ପୁନର୍ବାର ଆରମ୍ଭ ହେଉ। ସେବକ ଓ ପ୍ରଶାସନିକ ଅଧିକାରୀ ଙ୍କ ମଧ୍ୟରେ ଉପଯୁକ୍ତ ସମନ୍ଵୟ ରହୁ। ଏହା ହେଲେ ମହାପ୍ରଭୁ ଙ୍କ ନୀତି କାନ୍ତି ଶୃଙ୍ଖଳିତ ହେବା ସହ ଭକ୍ତ ମାନେ ସଠିକ୍ ଭାବରେ ମହାପ୍ରଭୁ ଙ୍କ ଦର୍ଶନ ମଧ୍ୟ ପାଇପାରିବେ।
ଜଗନ୍ନାଥପ୍ରେମୀ ଚକ୍ରଧର ମହାପାତ୍ର କୁହନ୍ତି, ଶ୍ରୀ ମନ୍ଦିର ରେ ଶୃଙ୍ଖଳିତ ନୀତି କାନ୍ତି ପାଇଁ ଶ୍ରୀ ମନ୍ଦିର ନୀତି ପ୍ରଶାସକ ଓ ଅନ୍ୟ ଅଧିକାରୀ ମାନେ ଅଧିକ ଧ୍ୟାନ ଦେବା ଉଚିତ୍। ଠିକ୍ ସମୟ ମଙ୍ଗଳ ଆଳତି ହେଲେ ଅନ୍ୟାନ୍ୟ ନୀତି ମଧ୍ୟ ଠିକ୍ ସମୟ ରେ ହୋଇ ପାରିବ। ନୀତି ଶୃଙ୍ଖଳିତ ହୋଇ ପାରିଲେ ଭକ୍ତ ମାନେ ମଧ୍ୟ ଭଲ ଦର୍ଶନ ପାଇବେ। ଅନେକ ସମୟ ରେ ଆମେ ଦେଖୁଛୁ ନୀତି ରେ ବିଳମ୍ୱ ଯୋଗୁ ଅପରାହ୍ନ ୪ ଟା ପରେ ମହାପ୍ରସାଦ ମିଳୁଚି। ଏହା ଦ୍ଵାରା ଦୂରକୁ ନେବାକୁ ହେଲେ ବହୁତ୍ ଅସୁବିଧା ଭୋଗୁଛନ୍ତି ଭକ୍ତ। ବିଳମ୍ୱ ରେ ନୀତି ଯୋଗୁ ଦୂରରୁ ଆସୁଥିବା ଭକ୍ତ ମହାପ୍ରଭୁ ଙ୍କ ଦର୍ଶନ ନ ପାଇ ଫେରିଯାଉଛନ୍ତି। ଏଣୁ ଆମେ ସରକାର ଙ୍କୁ ଅନୁରୋଧ କରୁଛୁ ମହାପ୍ରଭୁ ଙ୍କ ଦୈନିକ ନୀତି କାନ୍ତି ରେ ଶୃଙ୍ଖଳା ରହୁ । ଏହା ଦ୍ଵାରା ଭକ୍ତ ମାନେ ଜାଣିପାରିବେ କେଉଁ ସମୟ ରେ ଦର୍ଶନ ମିଳିବ। ଅଯଥା ଭିଡ ସୃଷ୍ଟି ହେବ ନାହିଁ।ଶ୍ରୀମନ୍ଦିର ସ୍ଵତ୍ତ୍ଵଲିପି ଅନୁସାରେ , ଦ୍ଵାରଫିଟା ଓ ମଙ୍ଗଳ ଆଳତି ଭୋର୍ ୫ ଟା କିମ୍ବା ଏହା ପୂର୍ବରୁ ଅନୁଷ୍ଠିତ ହେବ। କେବଳ ଶାରଦୀୟ ଦୁର୍ଗାପୂଜା, କାର୍ତ୍ତିକ ମାସ ଓ ପହିଲି ଭୋଗ ସମୟ ରେ ଭିନ୍ନ କଥା। ମଇଲମ ର ନିର୍ଧାରିତ ସମୟ ସକାଳ ୬ ଟା। ଅବକାଶ ର ସମୟ ୬ ଟା ୩୦ ମଧ୍ୟରେ । ସାହାଣମେଲା ଦର୍ଶନ ସକାଳ ୭ ଟା । ୮ ଟା ରୁ ୮ଟା ୩୦ ମଧ୍ୟରେ ବେଶ ଲାଗି। ରୋଷ ହୋମ ଓ ସୂର୍ଯ୍ୟପୂଜା ୮ ଟା ୪୫ ମଧ୍ୟରେ। ଗୋପାଳବଲ୍ଲଭ ସକାଳ ୯ ଟା। ସକାଳ ଧୂପ ଦିନ ୧୦ ଟା। ମଇଲମ୍ ହୋଇ ଭୋଗମଣ୍ଡପ ହେବ ଦିନ ୧୧ ଟା । ମଧ୍ୟାହ୍ନ ଧୂପ ସାଢେ଼ ୧୨ ରୁ ୧ଟା ମଧ୍ୟ ରେ ହେବାର ନିୟମ ରହିଚି। ଅପରାହ୍ନ ୨ ଟା ରେ ମହାପ୍ରଭୁ ଙ୍କ ମଧ୍ୟାହ୍ନ ପହୁଡ଼ ହୋଡ ସନ୍ଧ୍ୟା ୬ ଟା ରେ ପହୁଡ଼ ଫିଟିଲେ ସନ୍ଧ୍ୟା ଆଳତି। ରାତି ୭ ଟା ରୁ ୮ ଟା ମଧ୍ୟରେ ସନ୍ଧ୍ୟା ଧୂପ ବଢିବ। ରାତି ୧୦ ଟା ରେ ମଇଲମ ହୋଇ ଚନ୍ଦନଲାଗି ଅନୁଷ୍ଠିତ ହେବ। ସାଢେ଼ ୧୦ ଟା ରେ ବଡ ସିଂହାର ବେଶ। ବଡ ସିଂହାର ଧୂପ ବଢ଼ି ଅନ୍ୟାନ୍ୟ ନୀତି ସହ ପହୁଡ଼ ରାତି ୧୧ ଟା ୪୫ ରୁ ୧୨ ଟା ମଧ୍ୟରେ ହେବ। ଶ୍ରୀ ମନ୍ଦିର ସ୍ଵତ୍ତ୍ଵଲିପି ଏହା ଉଲ୍ଲେଖ ଥିଲେ ମଧ୍ୟ ବାସ୍ତବ ରେ ଏହା ପାଳନ ହୋଇପାରୁନାହିଁ। ସେହିପରି କେତେକ ଅନଭିଜ୍ଞ କର୍ମଚାରି ଙ୍କ ଯୋଗୁ ନୀତି ରେ ବିଳମ୍ୱ ହେଉଥିବା ଅଭିଯୋଗ ମଧ୍ୟ ରହିଛି। କେବଳ ସ୍ନାନ ଯାତ୍ରା ଠାରୁ ରଥ ଯାତ୍ରା ଯାଏ ସରକାର ଜାଗ୍ରତ ରହି ସବୁ ଦାୟିତ୍ଵ ତୁଲେଇ ଦେଉଥିବା ବେଳେ ଅନ୍ୟ ସମୟ ରେ ଠାକୁର ଙ୍କ ଶୃଙ୍ଖଳିତ ନୀତି ଉପରେ କେହି ଗୁରୁତ୍ଵ ଦେଉନାହାନ୍ତି। କେବଳ ଅଧିକାରୀ ମାନେ ବୈଠକ ପରେ ବୈଠକ କରି ନିଜର କାର୍ଯ୍ୟ ତୁଲାଇଛନ୍ତି। ହେଲେ ଫଳ ଶୂନ। ହେଲେ ମହାପ୍ରଭୁ ଙ୍କ ନୀତି କାନ୍ତି କିଭଳି ଶୃଙ୍ଖଳିତ ହେବ ସେ ନେଇ କୌଣସି ଅଧିକାରୀ ଆନ୍ତରିକତା ସହକାରେ କାର୍ଯ୍ୟ କରୁନାହାନ୍ତି। ପୂର୍ବରୁ ସାହାଣମେଲା ଦର୍ଶନ ସହ ଟିକେଟ ଦର୍ଶନ ବ୍ୟବସ୍ଥା ଥିଲା। ଭକ୍ତ ମାନେ ଗର୍ଭ ଗୃହକୁ ଯାଇ ଅତି ନିକଟ ରେ ଶ୍ରୀଜୀଉ ଙ୍କ ଦର୍ଶନ ପାଉଥିଲେ। ଏହା ଏବେ ବନ୍ଦ ଥିବା ବେଳେ ମହାପ୍ରଭୁ ଙ୍କ ନୀତି କାନ୍ତି କାହିଁକି ଶୃଙ୍ଖଳିତ ହୋଇପାରୁନି ସେ ନେଇ ଜଗନ୍ନାଥ୍ ପ୍ରେମୀ ପ୍ରଶ୍ନ ଉଠାଇଛନ୍ତି। ଅବଶ୍ୟ ପୂର୍ବ ଅପେକ୍ଷା ଶ୍ରଦ୍ଧାଳୁ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି। ହେଲେ ଏହାକୁ କାରଣ ଦର୍ଶାଅ ମହାପ୍ରଭୁ ଙ୍କ ନୀତି କାନ୍ତି ରେ ବିଳମ୍ୱ ହେବା କେତେଦୂର ଯୁକ୍ତିଯୁକ୍ତ ସେ ନେଇ ପ୍ରଶ୍ନ ଉଠିଛି।
ଏହି ପ୍ରସଙ୍ଗ ରେ ବରିଷ୍ଠ ଦଇତାପତି ସେବକ ବିଶ୍ଵାବସୁ ବିନାୟକ ଦାସ ମହାପାତ୍ର ନିଜ ପ୍ରତିକ୍ରିୟାରେ କୁହନ୍ତି, ଜଗନ୍ନାଥ୍ ମହାପ୍ରଭୁଙ୍କ ବହୁତ୍ ଗୁଡ଼ିଏ ନୀତି କାନ୍ତି ରହିଚି। ବାନ୍ତି , ରକ୍ତ ଛିଟା ପଡ଼ିଲେ ଦିଅଁ କୁ କେହି ଛୁଇଁଦେଲେ ମହାସ୍ନାନ ନୀତି ରହିଚି। ଏଥି ପାଇଁ ଏକ ଘଣ୍ଟା ରୁ ଦୂଇ ଘଣ୍ଟା ସମୟ ଯାଉଛି। ପର୍ବ ପର୍ବାଣୀ ରେ ମହାପ୍ରଭୁ ଙ୍କ ବହୁତ୍ ନୀତି ରହିଚି। ପର୍ବ ପର୍ବାଣୀ ରେ ରାତ୍ର ପହୁଡ଼ ହେଲା ବେଳକୁ ରାତି ୩ ଟା ହେଇଯାଉଚି । ଅନେକ ସମୟ ରେ ଭୋର ୪ ଟା ମଧ୍ୟ ହେଉଚି । ଏଣୁ ଏହି ସବୁ ପାଇଁ ବେଳେ ବେଳେ ଠାକୁର ଙ୍କ ନୀତି ରେ ବିଳମ୍ୱ ହେଉଚି । ତେବେ ଶ୍ରୀ ମନ୍ଦିର ଶୃଙ୍ଖଳିତ ନୀତି କାନ୍ତି ପାଇଁ ଶ୍ରୀ ମନ୍ଦିର ଛତିଶା ନିଯୋଗ ସହ ଶ୍ରୀ ମନ୍ଦିର ପ୍ରଶାସନ ର ବୈଠକ ମଧ୍ୟ ବସୁଛି। ସେବକ ମାନେ ସଚେତନ ଅଛନ୍ତି । ପାଳିଆ ସେବକ ମାନେ ତାଙ୍କ ଦାୟିତ୍ଵ ସଠିକ୍ ଭାବରେ ନିର୍ବାହ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଠିକ୍ ସମୟ ରେ ଆଗକୁ ଥିବା ପହିଲି ଭୋଗ ନୀତି ହେବ । ଆଗକୁ ନୁଆ ବର୍ଷ ଅଛି। ଏଣୁ ବହୁତ୍ ଭକ୍ତ ଆସିବେ। ତେବେ ଶୃଙ୍ଖଳିତ ନୀତି କାନ୍ତି ସହିତ ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତେ ପ୍ରସ୍ତୁତ ଅଛନ୍ତି। ଆଗାମୀ ଡ଼ିସେମ୍ବର ୩୧ ତାରିଖ ରାତି ୧ ଟା ରେ ଶ୍ରୀ ମନ୍ଦିର ଦ୍ଵାର ଫିଟା ହେବ । ଏହା ପୂର୍ବରୁ ରାତି ୧୧ ଟା ରେ ପହୁଡ଼ ହେବ। ସବୁ ବ୍ୟବସ୍ଥା କିଭଳି ଶୃଙ୍ଖଳିତ ହୋଇ ପାରିବ ସେ ନେଇ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଙ୍କ ଅଧ୍ୟକ୍ଷତା ରେ ଶ୍ରୀ ମନ୍ଦିର ଛତିଶା ନିଯୋଗ ବୈଠକ ହୋଇଚି। ସବୁ ସେବାୟତ ପ୍ରତିଶ୍ରୁତି ଦେଇଛନ୍ତି ସବୁ ନୀତି କାନ୍ତି ଶୃଙ୍ଖଳିତ ହେବ ।
ଶ୍ରୀ ମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ପୁରୀ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ନିଜ ପ୍ରତିକ୍ରିୟାରେ କହିଛନ୍ତି, ଆଗକୁ ନୁଆ ବର୍ଷ ଅଛି। ପହିଲି ଭୋଗ ନୀତି ରହିଚି। ଭକ୍ତ ଙ୍କ ଆଗମନ ବୃଦ୍ଧି ପାଇବ। ଏଣୁ ଶ୍ରୀ ଶୃଙ୍ଖଳିତ ନୀତି କାନ୍ତି ପାଇଁ ସେବାୟତ ଙ୍କ ସହ ଆଲୋଚନା ହୋଇଛି । ମହାପ୍ରଭୁ ଙ୍କ ଦୈନିକ ନୀତି କାନ୍ତି କିଭଳି ଅଧିକ
ଶୃଙ୍ଖଳିତ ହେବା ସହ ଦର୍ଶନ ବ୍ୟବସ୍ଥା କିଭଳି ସଠିକ୍ ଭାବରେ ହୋଇ ପାରିବ ସେ ନେଇ ଶ୍ରୀ ମନ୍ଦିର ଛତିଶା ନିଯୋଗ ସହ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ ।
