February 9, 2026
Home » ଏକଦିବସୀୟ ଜିଲ୍ଲା ସ୍ତରୀୟ ପେସା (ପେସା) ଆଇନ ଏବଂ ଜନଜାତି ବିକାଶର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଏକଦିବସୀୟ ଜିଲ୍ଲା ସ୍ତରୀୟ ପେସା (ପେସା) ଆଇନ ଏବଂ ଜନଜାତି ବିକାଶର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

0
WhatsApp Image 2026-01-20 at 1.29.17 PM

 

କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ସ୍ଥାନୀୟ ସଦଭାବନା ସଭାଗୃହଠାରେ ଅନୁସୂଚିତ ଅଞ୍ଚଳକୁ ପଞ୍ଚାୟତଗୁଡ଼ିକର ସମ୍ପ୍ରସାରଣ ଆଇନ, ୧୯୯୬ (ପେସା) ଆଇନ ଏବଂ ଜନଜାତିଙ୍କ ସାମଗ୍ରିକ ବିକାଶ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏନେଇ କୋରାପୁଟ ଜିଲ୍ଲା ପ୍ରଶାସନ ଏକ ପ୍ରେସ ବିବୃତି ଜାରି କରିଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନର ଉପ-ନିର୍ଦ୍ଦେଶକ, କୋରାପୁଟ ଜିଲ୍ଲାପାଳ ଏବଂ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିସହ ସମ୍ପୃକ୍ତ ବିଭାଗର ଜିଲ୍ଲା ସ୍ତରୀୟ ପଦାଧିକାରୀମାନେ ମଧ୍ୟ ଉପସ୍ଥିତ ରହି ପ୍ରଶିକ୍ଷଣ ପ୍ରଦାନ କରିଥିଲେ। କୋରାପୁଟ ଜିଲ୍ଲାପାଳ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ପେସା ଆଇନର ସଫଳ ରୂପାୟନ ଦ୍ୱାରା ତୃଣମୂଳ ସ୍ତରରେ ଜନଜାତି ସମ୍ପ୍ରଦାୟ ନିଜର ଶାସନ ଓ ବିକାଶ ପାଇଁ ନିଷ୍ପତ୍ତି ନେବାକୁ ସକ୍ଷମ ହେବେ। ଏସଆଇଆରଡି ର ଉପ-ନିର୍ଦ୍ଦେଶକ ଗ୍ରାମସଭା ମୋବିଲାଇଜରଙ୍କୁ ସେମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ବିଷୟରେ ଅବଗତ କରାଇଥିଲେ। ଅନୁସୂଚିତ ଅଞ୍ଚଳରେ ଗ୍ରାମସଭାର କ୍ଷମତା, ଜଙ୍ଗଲ ଜମି ଅଧିକାର, ପ୍ରାକୃତିକ ସମ୍ପଦର ସୁପରିଚାଳନା ଏବଂ ପେସା ଆଇନ ଜରିଆରେ ଜନଜାତି ମାନଙ୍କ ସାମାଜିକ ଓ ଅର୍ଥନୈତିକ ସଶକ୍ତିକରଣ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏହି ପ୍ରଶିକ୍ଷଣ ଶିବିର ଜିଲ୍ଲାରେ ପେସା ନିୟମାବଳୀକୁ ଆହୁରି ସକ୍ରିୟ କରିବା ସହ ସାଧାରଣ ଲୋକଙ୍କ ନିକଟରେ ସରକାରୀ ଯୋଜନା ପହଞ୍ଚାଇବାରେ ସହାୟକ ହେବ ବୋଲି ଆଶା କରାଯାଉଛି। ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୨୪୦ ଜଣ ଗ୍ରାମସଭା ମୋବିଲାଇଜର ଏବଂ ୧୪ ଜଣ ବ୍ଲକ୍ ପେସା ସଂଯୋଜକ ଏହି ପ୍ରଶିକ୍ଷଣରେ ଅଂଶଗ୍ରହଣ କରିଥିଲେ। ଜିଲ୍ଲା ପରିଷଦର ପେସା ନୋଡାଲ ଅଫିସର ତଥା ପ୍ରୋଜେକ୍ଟ ମ୍ୟାନେଜର ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *