୭୭ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ
ବରଗଡ଼:ବରଗଡ଼ ଜିଲ୍ଲା ସଦରମହକୁମାରେ ଆୟୋଜିତ ୭୭ତମ ସାଧାରଣତନ୍ତ୍ର ଦିବସ ସମାରୋହରେ ମାନ୍ୟବର ମୁଖ୍ୟ ଅତିଥି ଭାବେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରି ଜିଲ୍ଲାବାସୀଙ୍କୁ ସମ୍ବୋଧିତ କରିଛନ୍ତି।

ଏହି ଅବସରରେ ମୁଖ୍ୟ ଅତିଥି ତଥା ମାନ୍ୟବର ମନ୍ତ୍ରୀ ପ୍ରଥମେ ସହୀଦ ମାଧୋ ସିଂ, ବହ୍ନି କନ୍ୟା ପାର୍ବତୀଗିରି, ମହାତ୍ମା ଗାନ୍ଧୀ, ସ୍ଵଭାବ କବି ଗଙ୍ଗାଧର ମେହେର, ବୀର ସୁରେନ୍ଦ୍ର ସାଏ ଏବଂ ବାବା ସାହେବ ଭୀମରାଓ ଅମବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିବା ପରେ ପ୍ରଥମ ଥର କରି ଗାନ୍ଧୀଛକ ଠାରୁ ଆରମ୍ଭ କରି ବୀର ସୁରେନ୍ଦ୍ର ସାଏ ଛକ ପର୍ଯ୍ୟନ୍ତ ରାଜରାସ୍ତାରେ ଆୟୋଜିତ ହେଉଥିବା ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ଯୋଗ ଦେଇ ତ୍ରିରଙ୍ଗା ପତାକା ଉତ୍ତଳୋନ କରିବା ସହ ପେରେଡ ଅଭିବାଦନ ଗ୍ରହଣ କରି ଜିଲ୍ଲାବାସୀଙ୍କ ପାଇଁ ନିଜ ଅଭିଭାଷଣ ରଖିଥିଲେ ।ମାନ୍ୟବର ମନ୍ତ୍ରୀ ନିଜ ଅଭିଭାଷଣରେ ଭାରତ ଗଣରାଜ୍ୟର ମୂଳଦୁଆ ପକାଇଥିବା ମହାନ ବ୍ୟକ୍ତିଙ୍କ ବଳିଦାନକୁ ସ୍ମରଣ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସ୍ୱାଧୀନତା ପରଠାରୁ ଭାରତ କୃଷି-ପ୍ରଯୁକ୍ତିବିଦ୍ୟା, ଶିକ୍ଷା ଏବଂ ଦକ୍ଷତା ବିକାଶ, ସ୍ୱାସ୍ଥ୍ୟସେବା, ଭିତ୍ତିଭୂମି, ଗମନାଗମନ ଏବଂ ମହିଳା ସଶକ୍ତିକରଣ ଭଳି ବିଭିନ୍ନ କ୍ଷେତ୍ରରେ ହୋଇଥିବା ଉଲ୍ଲେଖନୀୟ ଅଗ୍ରଗତିରେ ଓଡିଶାର ଭାତହାଣ୍ଡି ତଥା ହସ୍ତତନ୍ତର ପେଣ୍ଠସ୍ତଳ ଭାବେ ପରିଚିତ ଆମ ଜିଲ୍ଲାର ଅବଦାନ ବିଷୟରେ କହିବା ସହ ବର୍ତ୍ତମାନର କିଛି ଚ୍ୟାଲେଞ୍ଜ ଗୁଡ଼ିକ ପ୍ରତି ଆମେ ଧ୍ୟାନ ଦେବା ଏବଂ ସେଗୁଡିକୁ ଦୂର କରିବା ସହ ଏକ ବିକଶିତ ଓଡିଶା, ବିକଶିତ ଭାରତ ତଥା ବିକଶିତ ବରଗଡ଼ ଗଠନ ପାଇଁ ସମସ୍ତେ ଏକତ୍ରିତ ହୋଇ ଏହି ପବିତ୍ର ତ୍ରିରଙ୍ଗା ପତାକା ତଳେ ଶପଥ ନେବା ପାଇଁ ସମସ୍ତଙ୍କୁ ଆଗ୍ରହ ରଖିଥିଲେ ।

ଲୋକଙ୍କ ସେବକ ତଥା ଜଣେ ଦାୟିତ୍ୱବାନ ନାଗରିକ ଭାବେ ସମସ୍ତେ ସମ୍ବିଧାନରେ ଲିଖିତ ଆଦର୍ଶକୁ ବଜାୟ ରଖିବା ଏବଂ ସମସ୍ତଙ୍କ ପାଇଁ ନ୍ୟାୟ ଓ ସମାନତାକୁ ସୁନିଶ୍ଚିତ କରିବା ପାଇଁ କାର୍ଯ୍ୟ କରିବା ପାଇଁ ଉପଦେଶ ଦେଇ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକ ହୋଇ ଶକ୍ତିଶାଳୀ, ସମୃଦ୍ଧ ଏବଂ ଅନ୍ତର୍ଭୁକ୍ତ ଦେଶ ଗଠନ ପାଇଁ ଏକାଠି ମିଶି କାମ କରିବା ପାଇଁ ଜିଲ୍ଲାବାସୀଙ୍କୁ ଅନୋରୋଧ କରିଥିଲେ ।ସୂଚନାଯୋଗ୍ୟକି, ସମାରୋହରେ ସର୍ବମୋଟ ୩୮ ଗୋଟି ପ୍ୟାରେଡ ଦଳ ଏବଂ ଜିଲ୍ଲା ପର୍ଯ୍ୟଟନ ସ୍ଥଳ, ସ୍ୱାଧୀନତା ସଂଗ୍ରାମୀଙ୍କ ଅବଦାନ, କଳା ସାଂସ୍କୃତି ଉପରେ ଆଧାରିତ ୧୯ ଗୋଟି ପ୍ରଜ୍ଞାପନ ମେଢ଼ ସହ ବାଲ୍ୟବିବାହ ରୋକିବା ପାଇଁ ଆରମ୍ଭ ହୋଇଥିବା ୧୦୦ ଦିନିଆ ଅଭିଯାନ ଉପରେ ପର୍ଯ୍ୟବେଶିତ ଗୋଟିଏ ସାଇକେଲ ଚାଳକ ବାଳିକା ଦଳ ଯୋଗ ଦେଇଥିବା ବେଳେ ୮ ଗୋଟି ନୃତ୍ୟ ଦଳ ନୃତ୍ୟ ପ୍ରଦର୍ଶନ କରିଥିଲେ। ସମସ୍ତ ବିଭାଗର ଶେଷ୍ଠ ଦଳଗୁଡିକ ମୁଖ୍ୟ ଅତିଥିଙ୍କଠାରୁ ପୁରସ୍କୃତ ହୋଇଥିଲେ । ବିଭିନ୍ନ କ୍ଷେତ୍ରରେ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଭାଗ ନେଇ କୃତିତ୍ଵ ହାସଲ କରିଥିବା ୧୩ ଜଣ କ୍ରୀଡାବିତ ଏବଂ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରଯାଇଥିଲା ।ଏହାପରେ ସମାରୋହକୁ ସୂଚାରୁ ରୂପେ ଆୟୋଜନ କରିବାରେ ସହଯୋଗ କରିଥିବା ଜିଲ୍ଲା ପୂର୍ତ୍ତ ବିଭାଗ, ବରଗଡ ପୌର ପରିଷଦଙ୍କ ସମେତ ପାନୀୟ ଜଳ ଯୋଗାଣ ନିମନ୍ତେ ଜେସିଆଇ ଅନୁଷ୍ଠାନ, ଶିଶୁ ସୁରକ୍ଷା ୟୁନିଟ, ୨୦ ଜଣ ସ୍ଵେଛାସେବୀ ତଥା ପୂର୍ବତନ ଏନସିସି କେଡେଟ ଏବଂ ପେରେଡ କାର୍ଯ୍ୟକ୍ରମ ସଂସ୍କୃତିକ କାର୍ଯ୍ୟକ୍ରମର ବିଚାରକ ମଣ୍ଡଳୀଙ୍କୁ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ସମ୍ମାନିତ କରିଥିଲେ ।ସମାରୋହ ସାରିବା ପରେ ମୁଖ୍ୟ ଅଥିତି, ସମ୍ମାନିତ ଅତିଥି ତଥା ମାନ୍ୟବର ବରଗଡ଼ ବିଧାୟକ ଶ୍ରୀ ଅଶ୍ୱିନୀ ଷଡ଼ଙ୍ଗୀ, ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ଜିଲ୍ଲା ଆରଖି ଅଧିକ୍ଷକ ଶ୍ରୀ ପ୍ରହଲ୍ଲାଦ ସହାୟ ମିନା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ଖୋସ୍ଲା ସ୍ଥାନୀୟ କାରାଗାର ଅନ୍ତେବାସୀ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରୋଗୀଙ୍କୁ ଫଳ ଓ ମିଷ୍ଠାନ୍ନ ବଣ୍ଟନ କରିଥିଲେ ।
ଇପିଏରୁ ବରଗଡ଼ ଜିଲ୍ଳା ପ୍ରତିନିଧି କ୍ଷମା ନିଧି ବଣ୍ଡୁକିଙ୍କ ରିପୋର୍ଟ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସୀ)
