ଶ୍ରୀମନ୍ଦିର ଛାତିଶା ନିଯୋଗ ବୈଠକ
ପୁଣି ଥରେ ପୁରୀ ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆସନ୍ତା ୩ ତାରିଖ ସନ୍ଧ୍ୟାରେ ପୁରୀ ତାଳବଣିଆ ହେଲିପ୍ୟାଡ ଠାରେ ରାଷ୍ଟ୍ରପତି ପହଁଚିବା ପରେ ଲୋକ ଭବନ ଯିବେ। ୪ ତାରିଖ ସକାଳ ୭.୪୦ ରେ ରାଷ୍ଟ୍ରପତି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ। ଶ୍ରୀମନ୍ଦିରରେ ରାଷ୍ଟ୍ରପତିଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା।ବୈଠକରେ ହୋଇଥିବା ଆଲୋଚନା ଅନୁଯାୟୀ ଆସନ୍ତା ୪ ତାରିଖରେ ରାଷ୍ଟ୍ରପତି ସକାଳ ୭ ଟା ରେ ପଞ୍ଚତୀର୍ଥ ପୁଷ୍କରିଣୀ ଶ୍ବେତ ଗଙ୍ଗାରେ ପିଣ୍ଡଦାନ କରିବା ପରେ ଶ୍ରୀମନ୍ଦିର ଦର୍ଶନ ପାଇଁ ଆସିବେ। ସକାଳ ୭.୪୦ ରେ ଶ୍ରୀମନ୍ଦିର ସିଂହଦ୍ଵାର ଠାରେ ରାଷ୍ଟ୍ରପତି ପହଞ୍ଚିବା ପରେ ଗଜପତି ଦିବ୍ୟସିଂହ ଦେବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି, ଶ୍ରୀମନ୍ଦିର ପରିଚାଳନା କମିଟି ଓ ଛତିଶା ନିଯୋଗ ସଦସ୍ୟ ତାଙ୍କୁ ସ୍ବାଗତ କରିବେ। ସାତପାହଚ ନିକଟରେ ପଣ୍ଡିତମାନେ ବେଦ ପାଠ କରିବେ। ସେହି ସମୟରେ କେବଳ ପାଳିଆ ସେବାୟତ ଉପସ୍ଥିତ ରହିବେ। ରାଷ୍ଟ୍ରପତି ଧୁକୁଡ଼ି ଦ୍ଵାର ଦେଇ ଗର୍ଭଗୃହକୁ ଯାଇ ଦର୍ଶନ ଓ ପୂଜାର୍ଚ୍ଚନା କରିବେ।ଦର୍ଶନ କରି ଫେରିବା ବେଳେ ବେହରଣ ଦ୍ଵାର ନିକଟରେ ପୂଜାପଣ୍ଡା ମାନେ ସ୍ବସ୍ତି ବାଚନ କରିବେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ ପାଢୀ ବୈଠକ ପରେ ଏହି ସୂଚନା ଦେଇଛନ୍ତି। ୪ ତାରିଖ ଦିନ ସକାଳ ୪ ଟା ରେ ଶ୍ରୀମନ୍ଦିର ଦ୍ଵାର ଫିଟିବ। ସକାଳ ୬ ଟା ରେ ଶ୍ରୀମନ୍ଦିର ଶୋଧ କରାଯିବ। ତେବେ ରାଷ୍ଟ୍ରପତିଙ୍କ ଶ୍ରୀମନ୍ଦିର ଦର୍ଶନ ସମୟରେ ୨ ଘଣ୍ଟା ପାଇଁ ସାଧାରଣ ଦର୍ଶନ କଟକଣା ରହିବ। କୌଳିକ ପଣ୍ଡା ବୈଦ୍ୟନାଥ ମହାପାତ୍ର ମଧ୍ୟ ଉପସ୍ଥିତ ରହିବେ। ଶ୍ରୀମନ୍ଦିର କାର୍ଯ୍ୟାଳୟ ରେ ଅନୁଷ୍ଠିତ ଛତିଶା ନିଯୋଗ ଓ ନୀତି ସବ୍ କମିଟିର ଯୁଗ୍ମ ବୈଠକରେ ରାଷ୍ଟ୍ରପତିଙ୍କ ଦର୍ଶନ ପ୍ରସ୍ତୁତିକୁ ନେଇ ସମସ୍ତ ଦିଗ ଉପରେ ଆଲୋଚନା ହୋଇଥିଲା। ରାଷ୍ଟ୍ରପତିଙ୍କ ପାଇଁ ତାଙ୍କ କୌଳିକ ପଣ୍ଡା ନୀଳଚକ୍ର ଉପରେ ମାନସିକ ବାନା ବାନ୍ଧିବେ। ଫେରିବା ସମୟରେ ରାଷ୍ଟ୍ରପତି ଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଉପହାର ପ୍ରଦାନ କରାଯିବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ।
