ଛେଳିଗଡ ମଧ୍ୟମ ପ୍ରକଳ୍ପ ବିସ୍ଥାପିତ ୫ଟି ଆଦିବାସୀ ଗ୍ରାମ ନିମନ୍ତେ ଅଧିନିୟମ ଆଣିବାକୁ ଦାବୀ
ଗଜପତି ଜିଲ୍ଲା ଆର.ଉଦୟଗିରି ପଞ୍ଚାୟତ ସମିତି ଅନ୍ତ ର୍ଗତ ଛେଳିଗଡ ଠାରେ ନିର୍ମାଣ ହେଉଥିବା ମଧ୍ୟମ ପ୍ରକଳ୍ପ ଦ୍ୱାରା ବିସ୍ଥାପିତ ହେଉଥିବା ୫ଟି ଆଦିବାସୀ ଗ୍ରାମ ଗୁଡିକ ସକାଶେ ଅଧିନିୟମ ଆଣିବାକୁ ଦାବୀ ହୋଇଛି । ଛେଳିଗଡ ବୁଡି ଅଞ୍ଚଳ ସଂଗ୍ରାମ ସମିତି ତରଫରୁ ଗଜପତି ଜିଲ୍ଲା ପ୍ରଶାସନ ନିକଟରେ ଦାବୀ ହୋଇଛି । ଛେଳିଗଡ ବୁଡି ଅଞ୍ଚଳ ସଂଗ୍ରାମ ସମିତିର ସଭାପତି ଚୈତନ୍ୟ ସାହୁଙ୍କ ନେତୃତ୍ୱରେ ପ୍ରଭାବିତ ଅଞ୍ଚଳର ଗ୍ରାମବାସୀ ମାନେ ପାରଳାଖେମୁଣ୍ଡି ଠାରେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କୁ ଭେଟି ଦାବୀପତ୍ର ପ୍ରଦାନ ସହ ଆଲୋଚନା କରିଥିଲେ । ଏହି ପ୍ରକଳ୍ପ ନିର୍ମାଣ ଦ୍ୱାରା ଆର.ଉଦୟଗିରି ପଞ୍ଚାୟତ ସମିତି ଛେଳିଗଡ ଗ୍ରାମ ପଞ୍ଚାୟତର ୫ଟି ଆଦିବାସୀ ଗ୍ରାମ କାକିଲି,ତିଳିଗାଁ, ବିଦ୍ୟାଧରପୁର, ଚଢ଼ିଆପଦର ଓ ସୁଗୁବାର ବସବାସ କରୁଥିବା ପରିବାର ଗୁଡିକ ପ୍ରଭାବିତ ହୋଇଛନ୍ତି । ଏହି ଗ୍ରାମ ଗୁଡିକରେ ବସବାସ କରୁଥିବା ଆଦିବାସୀ ପରିବାର ମାନେ ଅଦ୍ୟାବଧି ଉପଯୁକ୍ତ କ୍ଷତିପୂରଣ ପାଇନାହାନ୍ତି ।

ଏହି ପରିବାର ଗୁଡିକୁ ଥଇଥାନ କଲୋନୀରେ ଅବ୍ୟବସ୍ଥା ଘେରରେ ରଖାଯାଇଛି ଅଭିଯୋଗ କରାଯାଇଛି । ଥଇଥାନ କରିବା ପାଇଁ ସରକାର ଯେଉଁ ପ୍ରତିଶୃତି ଦେଇଥିଲେ ତାହା ପାଳନ କରାଯାଇନାହିଁ ବୋଲି ଶ୍ରୀ ସାହୁ ଅଭିଯୋଗ କରିଛନ୍ତି । ଜିଲ୍ଲାପାଳ ସରକାରୀ ବ୍ୟବସ୍ଥା ଓ ଆଇନାନୁଯାୟୀ ଯାହା ପ୍ରାବଧାନ ରହିଛି ତାହା ୩ମାସ ମଧ୍ୟରେ ଥଇଥାନ ପରିବାର ମାନଙ୍କୁ ସହାୟତା କରାଯିବ ବୋଲି କହିଛନ୍ତି ବୋଲି ଛେଳିଗଡ ବୁଡି ଅଞ୍ଚଳ ସଂଗ୍ରାମ ସମିତି ତରଫରୁ ଗଣମାଧ୍ୟମକୁ ସୂଚନା ଦେଇଥିଲେ । । ଏହି ଆଲୋଚନା ବେଳେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା, ଛେଳିଗଡ ପ୍ରକଳ୍ପ ଅଧିକାରୀ ଓ ଆର.ଉଦୟଗିରି ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଆଲୋଚନା ବେଳେ ଜିଲ୍ଲା ପ୍ରଶାସନ ତରଫରୁ ସନ୍ତୋଷଜନକ ପ୍ରତିଶୃତି ମିଳିନଥିଲା ଭଳି ଛେଳିଗଡ ବୁଡି ଅଞ୍ଚଳ ସଂଗ୍ରାମ ସମିତିର ସଭାପତି ଓ ସଦସ୍ୟ ମାନଙ୍କ ଭାବଭଙ୍ଗିରୁ ଜଣାପଡୁଥିଲା ।
ଗଜପତି ଜିଲ୍ଲା ଇପିଏ ରୁ ଦିଲ୍ଲୀପ କୁମାର ଶତପଥିଙ୍କ ରିପୋର୍ଟ
