ନବରଙ୍ଗପୁର ଜିଲ୍ଲାରେ ବାଲ୍ୟ ବିବାହ ମୁକ୍ତ ସଚେତନତା ରଥର ଶୁଭାରମ୍ଭ
ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଓ ଶୋଭା ସଙ୍ଗଠନର ମିଳିତ ପ୍ରୟାସରେ ମଙ୍ଗଳବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବାଲ୍ୟ ବିବାହମୁକ୍ତ ସଚେତନତା ରଥକୁ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ ପତାକା ଦେଖାଇ ଶୁଭାରମ୍ଭ କଲେ। ଏହି ରଥ ତା ୧୦.୨.୨୦୨୬ ରିଖଠାରୁ ନବରଙ୍ଗପୁର ଜିଲ୍ଲାର ସବୁ ବ୍ଲକ୍ ଓ ପଞ୍ଚାୟତରେ ଗଡିବ । କେନ୍ଦ୍ର ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ସାରା ଦେଶରେ ଆରମ୍ଭ ହୋଇଛି ୧୦୦ ଦିନିଆ ବାଲ୍ୟ ବିବାହମୁକ୍ତ ଭାରତ ଅଭିଯାନ । ଏହି ସଚେତନତା ରଥର ମୂଳ ଆଭିମୁଖ୍ୟ ହେଉଛି ଲୋକଙ୍କୁ ବାଲ୍ୟ ବିବାହ ନ କରିବା ଦିଗରେ ସଚେତନ କରିବା । ଆଜିଠାରୁ ଆରମ୍ଭ ହୋଇଥିବା ଏହି ରଥ ପୁରା ନବରଙ୍ଗପୁର ଜିଲ୍ଲାର ସମସ୍ତ ବ୍ଲକ୍, ପଞ୍ଚାୟତ କାର୍ଯ୍ୟାଳୟ ଓ ସମସ୍ତ ସ୍କୁଲ ପରିଦର୍ଶନ କରିବ ।
ସଚେତନତା ରଥ ଅଡିଓ ମାଧ୍ୟମରେ ବାଲ୍ୟ ବିବାହ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ବାର୍ତ୍ତା ଦେଉଛି। ଅଡିଓ ମାଧ୍ୟମରେ କୁହାଯାଉଥିବା ସଚେତନତା ବାର୍ତ୍ତା ଜଣାଉଛି ଯେ; ବାଲ୍ୟ ବିବାହ ଏକ ଆଇନଗତ ଅପରାଧ ଅଟେ । ୨୧ ବର୍ଷରୁ କମ୍ ବୟସର ପୁଅ ଓ ୧୮ ବର୍ଷରୁ କମ୍ ବୟସର ଝିଅଙ୍କ ଭିତରେ ହେଉଥିବା ବାଲ୍ୟ ବିବାହ ଏକ ଆଇନଗତ ଅପରାଧ ଅଟେ । ବାଲ୍ୟ ବିବାହରେ ସଂପୃକ୍ତ ଥିବା ମାତା-ପିତା ତଥା ଅନ୍ୟ ସମ୍ପର୍କୀୟ; ୨ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ କିମ୍ବା ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ଦଣ୍ଡାଦେଶ କିମ୍ବା ଉଭୟ ଦଣ୍ଡରେ ଦଣ୍ଡିତ ହୋଇ ପାରନ୍ତି । ବାଲ୍ୟ ବିବାହ କରାଉଥିବା ପୁରୋହିତ, ପାଷ୍ଟର ଓ ମୌଲବୀଙ୍କୁ ମଧ୍ୟ ଦଣ୍ଡାଦେଶ ହୋଇପାରେ । ବାଲ୍ୟ ବିବାହରେ ନିଜର ସହଯୋଗ ପ୍ରଦାନ କରୁଥିବା ମିଠା ଦୋକାନୀ, ବ୍ୟାଣ୍ଡ ପାର୍ଟି, ଟେଣ୍ଟହାଉସ୍ ମାଲିକ ତଥା ଭୋଜିରେ ଉପସ୍ଥିତ ଥିବା ଲୋକଙ୍କୁ ମଧ୍ୟ ୨ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ କିମ୍ବା ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ଦଣ୍ଡାଦେଶ କିମ୍ବା ଉଭୟ ଦଣ୍ଡ ହୋଇପାରେ । ବାଲ୍ୟ ବିବାହରେ ସାମିଲ ଥିବା ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ୨ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ କିମ୍ବା ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ଦଣ୍ଡାଦେଶ କିମ୍ବା ଉଭୟ ଦଣ୍ଡ ହୋଇପାରେ ।
ଏହି ସଚେତନତା ରଥର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଦ୍ରପୌଦି କହଁର, ସି ଡ଼ବ୍ଲ୍ୟୁ ସି ଅଧ୍ୟକ୍ଷ ଅଜନ୍ତା ଶୁଭଦର୍ଶୀନୀ,ଶିଶୁ ସୁରକ୍ଷା ଅଧିକାରୀ ରମା ପଟ୍ଟନାୟକ,ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ମନୋଜ ବେହେରା , ଡି ସି ପି ଓ ସୁରେଶ ପଟ୍ଟନାୟକ, ଏ ଡି ଡ଼ବ୍ଲୁ ଓ ଭରତ ସାହୁ, ଶୋଭାର ସେକ୍ରେଟେରୀ ସଞ୍ଜିତ ପଟ୍ଟନାୟକ ,ମଦନ କି ର୍ଷାନି ଆନୁଷ୍ଠାନିକ ଭାବେ ଯୋଗ ଦେଇଥିଲେ ।
ରିପୋର୍ଟ:ନବରଙ୍ଗପୁର ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ
