ଜଗନ୍ନାଥ ମନ୍ଦିର ଉପରେ ଅବୈଧ ଡ୍ରୋନ ଉଡାଣ ଚେଷ୍ଟା କରୁଥିବା ଯୁବକ ଅଟକ।
ଶ୍ରୀଜଗନ୍ନାଥ ମନ୍ଦିର ଚାରିପାଖରେ ଡ୍ରୋନ ଉଡାଣ ଉପରେ କଟକଣା ଜାରି ରହିଥିବା ସତ୍ତ୍ୱେ ଆଜି ସନ୍ଧ୍ୟା ୫ ଘଟିକାରେ ଜଣେ ଯୁବକ ଡ୍ରୋନ ଉଡାଇବାକୁ ଚେଷ୍ଟା କରୁଥିବା ବେଳେ ପୁରୀ ପୋଲିସ ଦ୍ୱାରା ଧରାପଡ଼ିଛନ୍ତି। ବିଶ୍ୱସନୀୟ ସୂଚନା ଆଧାରରେ କର୍ଣ୍ଣାଟକର ଅଭ୍ୟୁଦୟ ସିନ୍ହା (ବୟସ 25) ଜଗନ୍ନାଥ ମନ୍ଦିର ଉପରେ ଡ୍ରୋନ ଉଡାଇବାକୁ ଚେଷ୍ଟା କରୁଥିବା ବିଷୟରେ ଏସ୍ପି ପୁରୀ ଶ୍ରୀ ପ୍ରତୀକ ସିଂହଙ୍କ ନିକଟକୁ ଖବର ପହଞ୍ଚିଥିଲା। ଏହା ପରେ ଏସ୍ପି ପୁରୀଙ୍କ ନିର୍ଦ୍ଦେଶକ୍ରମେ SSMSV ଓ ସିଂହଦ୍ୱାର ଥାନାର ବିଶେଷ ଦଳକୁ ତୁରନ୍ତ କାର୍ଯ୍ୟରତ କରାଯାଇଥିଲା। ଦୁଇଟି ପୋଲିସ ଟିମ ଡ୍ରୋନ ଗତିବିଧିକୁ ଟ୍ରାକ୍ କରି ପିଛା କରିଥିଲେ। ପରବର୍ତ୍ତୀ ତଦନ୍ତରେ ଡ୍ରୋନଟି ଉତ୍ତର ଦ୍ୱାର ସମ୍ମୁଖରେ ପଣ୍ଡା ଗଳି ଅଞ୍ଚଳରେ ଥିବା ଚିହ୍ନଟ ହୋଇଥିଲା।ସେଠାରେ ଚଢ଼ାଉ କରି ପୋଲିସ ଡ୍ରୋନ ଚାଳକ ଅଭ୍ୟୁଦୟ ସିନ୍ହାଙ୍କୁ ଧରିଥିଲେ ଏବଂ ତାଙ୍କ ନିକଟରୁ ଡ୍ରୋନ ଜବତ କରାଯାଇଛି। ଶ୍ରୀମନ୍ଦିର ଅଞ୍ଚଳକୁ “ନୋ ଫ୍ଲାଇଂ ଜୋନ” ଘୋଷଣା କରାଯାଇଥିବାରୁ ଏଠାରେ ଡ୍ରୋନ ଉଡାଣ ପୂର୍ଣ୍ଣରୂପେ ନିଷିଦ୍ଧ। ସୁରକ୍ଷା ଦୃଷ୍ଟିକୋଣରୁ ଏହି ପ୍ରକାର ଅବୈଧ କାର୍ଯ୍ୟକଳାପ ଉପରେ ପୁରୀ ପୋଲିସ କଠୋର ନଜର ରଖିଛି।
ଘଟଣା ସମ୍ପର୍କରେ ସିଂହଦ୍ୱାର ଥାନାରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।
