ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ର ତୀର୍ଥଯାତ୍ରୀ ପୁରୀ ରେ ପହଞ୍ଚିଲେ
ପୁରୀ : ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ଆଜି ଠାରୁ ଆରମ୍ଭ ହୋଇଛି।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନବରଙ୍ଗପୁର ଠାରେ ଏହି ଯୋଜନା ର ଶୁଭାରମ୍ଭ କରିବା ପରେ ନବରଙ୍ଗପୁର ଜିଲ୍ଲା ସହ ଗଞ୍ଜାମ, ଭଦ୍ରକ, ମୟୂରଭଞ୍ଜ, ସମ୍ବଲପୁର ଜିଲ୍ଲାର ଶ୍ରଦ୍ଧାଳୁ ମାନେ ପୁରୀ ରେ ପହଞ୍ଚୁଛନ୍ତି।ଆଜି ସଂଧ୍ୟାରେ ଗଞ୍ଜାମ ଓ ଭଦ୍ରକ ଜିଲ୍ଲାର ୫୦୦ ତୀର୍ଥଯାତ୍ରୀ ମାନେ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ରହଣୀ ସ୍ଥାନ ବୃନ୍ଦାବତୀ ନିବାସରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ପାରମ୍ପରିକ ବାଦ୍ୟ,ହୁଳହୁଳି, ଚନ୍ଦନ ଟିପା ଦେଇ ସ୍ବାଗତ କରାଯାଇଥିଲା।

ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା,ପର୍ଯ୍ୟଟନ ବିଭାଗର ଅତିରିକ୍ତ ସଚିବ ସରୋଜ କୁମାର ସ୍ବାଇଁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ଶ୍ରୀମନ୍ଦିର ଡେପୁଟି ପ୍ରଶାସକ ରଞ୍ଜନ କୁମାର ବେହେରା, ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ମଲ୍ଲିକ, ଅନୁଶ୍ରବ ଗନ୍ତାୟତ,ପର୍ଯ୍ୟଟନ ସହକାରୀ ନିର୍ଦ୍ଦେଶକ ସରୋଜ କାନ୍ତ ପ୍ରଧାନ, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା, ଓଏସଆରଟିସିର ଜିଲ୍ଲା ପରିଚାଳକ ରଶ୍ମି ସାହୁ, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ,ରେଡକ୍ରସ ସ୍ବେଚ୍ଛାସେବୀ ପ୍ରମୁଖ ଉପସ୍ଥିତ ରହି ତୀର୍ଥଯାତ୍ରୀ ମାନଙ୍କୁ ପୁଷ୍ପ ଗୁଛ ଦେଇ ସ୍ବାଗତ କରିଥିଲେ।ପରେ ସେମାନଙ୍କୁ ମହାପ୍ରସାଦ ସେବନ କରାଯାଇଥିଲା।ଆସନ୍ତା କାଲି ପ୍ରାତଃ ସମୟ ରେ ଏହି ତୀର୍ଥଯାତ୍ରୀ ମାନେ ଶ୍ରୀମନ୍ଦିର ରେ ମହାପ୍ରଭୁଙ୍କ ଦର୍ଶନ କରିବେ।ସେହିପରି ନବରଙ୍ଗପୁର, ସମ୍ବଲପୁର ଓ ମୟୂରଭଞ୍ଜ ର ଶ୍ରଦ୍ଧାଳୁ ମାନେ ରାତ୍ରି ରେ ପହଞ୍ଚିବା ସହ ଆସନ୍ତା କାଲି ମନ୍ଦିର ଦର୍ଶନ ର କାର୍ଯ୍ୟକ୍ରମ ରହିଛି।
