ଗଜପତି ଜିଲ୍ଲା ଶିକ୍ଷା ବିଭାଗର ଚରମ ଅବହେଳା କାରଣରୁ ୫ଜଣ ଛାତ୍ରଛାତ୍ରୀ ଭବିଷ୍ୟତ ନଷ୍ଟ
ଗଜପତି ଜିଲ୍ଲାରେ ଘରୋଇ ବିଦ୍ୟାଳୟ ଗୁଡିକର ବେଆଇନ ଓ ମନମୁଖୀ କାରବାର ବଢିବାରେ ଲାଗିଛି । ଅଶିକ୍ଷିତ, ଗରିବତା ଓ ସଚେତନତା ଅଭାବର ସୁଯୋଗ ନେଇ ସେମାନଙ୍କ ପରିବାରର ପିଲାମାନଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ଶିକ୍ଷା ବେପାରୀ । ଯାହାଫଳରେ କି ଛାତ୍ରଛାତ୍ରୀଙ୍କ ଏକ ବର୍ଷ ନଷ୍ଟ ହୋଇଛି । ସେପରି ଏକ ଅଭାବନୀୟ ଘଟଣା ଗଜପତି ଜିଲ୍ଲା କାଶିନଗର ସ୍ଥିତ ସ୍ମାର୍ଟ ପବ୍ଲିକ ସ୍କୁଲର ପଢୁଥିବା ୫ଜଣ ଛାତ୍ରଛାତ୍ରୀଙ୍କ ସହ ଘଟିଛି । ଏନେଇ ଗଜପତି ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ନିକଟରେ କାଶିନଗର ସ୍ମାର୍ଟ ପବ୍ଲିକ ସ୍କୁଲର ଛାତ୍ର ଏ.ଜୟ କୁମାର ଓ ତାଙ୍କ ପରିବାର ଅଭିଯୋଗ କରିଛନ୍ତି ।

ମଙ୍ଗଳବାର ଠାରୁ ସିବିଏସଇ ବୋର୍ଡର ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି । ଏ.ଜୟ କୁମାରଙ୍କ ସମେତ ସିଏଚ.ମନୋଜ, କେ.ଜଶୱନ୍ତ, ରୋହିତ ପଟନାୟକ ଓ ପ୍ରିୟଦର୍ଶିନୀ ଦଳବେହେରା ପ୍ରବେଶ ପତ୍ର(ଏଡମିଟ୍ କାର୍ଡ) ନପାଇ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି । ସୂଚନାପ୍ରକାରେ କାଶିନଗର ସ୍ଥିତ ସ୍ମାର୍ଟ ପ୍ୱଲିକ ସ୍କୁଲ ନାମକ ଏକ ଘରୋଇ ବିଦ୍ୟାଳୟକୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢାଇବା ସକାଶେ ସିବିଏସଇ ମାନ୍ୟତା ମିଳିଛି । କିନ୍ତୁ ବିଦ୍ୟାଳୟ କର୍ତ୍ତୃପକ୍ଷ ୯ମ ଓ ୧୦ମ ଶ୍ରେଣୀକୁ ସିବିଏସଇ ର ମାନ୍ୟତା ନଥିଲେ ମଧ୍ୟ ଅନ୍ୟ ଏକ ମାନ୍ୟତା ପ୍ରାପ୍ତ ବିଦ୍ୟାଳୟରେ ପଞ୍ଜିକୃତ କରାଇ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦେବା ବ୍ୟବସ୍ଥା କରାଉଥିଲେ । ଏବିଷୟରେ ଛାତ୍ରଛାତ୍ରୀ ଓ ତାଙ୍କ ପରିବାରବର୍ଗଙ୍କ ଅଗୋଚରରେ ରଖି ମୋଟ ଅଙ୍କର ଫିସ୍ ନେଇ ଏହି ବ୍ୟବସ୍ଥା କରାଉଥିଲେ । ଚଲିତ ଥର୫ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେବା ନିମନ୍ତେ ଫର୍ମ ଭରିିଥିଲେ । କିନ୍ତୁ ସିବିଏସଇ ଠାରୁ ୧୦ମ ଶ୍ରେଣୀ ମାନ୍ୟତା ପାଇନଥିବା ସ୍ମାର୍ଟ ପବ୍ଲିକ୍ ସ୍କୁଲ୍ କର୍ତ୍ତୃପକ୍ଷ ଯେଉଁ ମାନ୍ୟତା ପ୍ରାପ୍ତ ବିଦ୍ୟାଳୟରେ ପଞ୍ଜିକୃତ କରାଇ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଦେବାର ବ୍ୟବସ୍ଥା କରୁଥିଲେ ସେଥିରେ କୌଣସି କାରଣରୁ ବିଫଳ ହୋଇଥିଲେ । ଯାହାଫଳରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ପ୍ରବେଶ ପତ୍ର(ଏଡମିଟ୍ କାର୍ଡ) ଆସିନଥିଲା ।ଏବିଷୟରେ ଛାତ୍ରଛାତ୍ରୀ ଓ ସେମାନଙ୍କ ପରିବାରବର୍ଗକୁ ବିଦ୍ୟାଳୟ କର୍ତ୍ତୃପ କ୍ଷ ଅନ୍ଧାରରେ ରଖିଥିଲେ ।ଏହା ସ୍ୱତ୍ତ୍ୱେବି ବିଦ୍ୟାଳୟ କର୍ତ୍ତୃପକ୍ଷ ଆସିବ ବୋଲି କହି ଭୂଆଁ ବୁଲାଇ ଚାଲିଥିଲେ ।

ଛାତ୍ରଛାତ୍ରୀଙ୍କ ପରୀକ୍ଷା ପ୍ରବେଶ ପତ୍ର(ଏଡମିଟ୍ କାର୍ଡ) ବିଷୟରେ ପରୀକ୍ଷା ପୂର୍ବଦିନ ମଧ୍ୟ ପରିବାର ବର୍ଗ ପଚାରିଥିଲେ ସେତେବେଳେ ସେମାନେ ପଞ୍ଜିକୃତ ହୋଇନଥିବା ଜାଣିବାକୁ ପାଇଥିଲେ । ଏହାପରେ ଏ.ଜୟକୁମାର ଓ ତାଙ୍କ ପରିବାରବର୍ଗ ପାରଳାଖେମୁଣ୍ଡି ଆସି ଜିଲ୍ଲାପାଳଙ୍କ ଭେଟି ଲିଖିତ ଭାବେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଡକାଇ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏ ବିଷୟରେ ତଦନ୍ତ ହେବ ଓ ତାହାର ରିପୋର୍ଟ ଆସିବ । ରିପୋର୍ଟକୁ ଆଧାର କରି ଜିଲ୍ଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । କିନ୍ତୁ ୫ଜଣ ଛାତ୍ରଛାତ୍ରୀଙ୍କ ଏକ ବର୍ଷ ନଷ୍ଟ ହେବା ନିଶ୍ଚିତ ଏଥି ପାଇଁ ଦାୟୀ କିଏ ? ଗଜପତି ଜିଲ୍ଲାରେ ସରକାରୀ ବିଦ୍ୟାଳୟ ଗୁଡିକ ଛାତ୍ରଛାତ୍ରୀଙ୍କ ଅଭାବରୁ ଗୋଟିଏ ପରେ ଗୋଟିଏ ବିଦ୍ୟାଳୟ ବନ୍ଦ ହେଉଥିବା ବେଳେ ଅନ୍ୟପକ୍ଷରେ ଛତୁ ଫୁଟିଲା ଭଳି ଖୋଲୁଛି । ସେଗୁଡିକର ସବିଶେଷ ତଥ୍ୟ ବିଷୟରେ ଜିଲ୍ଲା ଶିକ୍ଷା ବିଭାଗ ନିୟମିତ ଯାଞ୍ଚ କରିବା କଥା, ବିଭାଗୀୟ କର୍ତ୍ତୃପକ୍ଷ ମାନେ ଶିକ୍ଷକ ବଦଳି ଓ ଡେପୁଟେସନ କରିବା ଓ ସଭାସମିତିରେ ଭାଷଣ ଦେବା କାର୍ଯ୍ୟରେ ଅଯଥାରେ ବ୍ୟସ୍ତ ରହି ମୁଖ୍ୟ କାର୍ଯ୍ୟଗୁଡିକ କରିବାରେ ଅବହେଳା ପ୍ରଦର୍ଶନ କରୁଛନ୍ତି । ସେହି କାରଣରୁ ଏଭଳି ପରିସ୍ଥିତି ଉପୁଜିଛି ବୋଲି ସମଗ୍ର ଜିଲ୍ଲାରେ ଆଲୋଚନା ହେଉଛି । ରାଜ୍ୟ ସରକାର ବିଦ୍ୟାଳୟରେ ଛାତ୍ରଛାତ୍ରୀ ଅଧାରୁ ପାଠପଢା ଛାଡୁଥିବା ବିଷୟକୁ ଗମ୍ଭୀରତାର ସହ ନେଉଛନ୍ତି । ତେବେ ଏଭଳି ଘଟଣା ଗୁଡିକୁ ମଧ୍ୟ ସମାନ ଦୃଷ୍ଟିରେ ଦେଖିବାକୁ ବୁଦ୍ଧିଜୀବି ମହଲରେ ଦାବୀ ହେଉଛି । ବେଳେ ଥାଉଥାଉ ରାଜ୍ୟ ସରକାରଙ୍କ ଏଭଳି ସମସ୍ୟ ।ଗୁଡିକ ପ୍ରତି ଉପଯୁକ୍ତ ଧ୍ୟାନ ନଦିଅନ୍ତି ତେବେ ୨୦୩୬ସୁଦ୍ଧା ବିକଶିତ ଓଡ଼ିଶା ଓ ୨୦୪୭ସୁଦ୍ଧା ବିକଶିତ ଭାରତ ଗଠନ କରିବାର ସ୍ୱପ୍ନ ଦେଖୁଛନ୍ତି ସେଥିରେ ବାଧକ ସାଜିବାର ଯଥେଷ୍ଟ ସମ୍ଭାବନା ରହିଛି ।
ଗଜପତି ଜିଲ୍ଲା ଇପିଏ ରୁ ଦିଲ୍ଲୀପ କୁମାର ଶତପଥିଙ୍କ ରିପୋର୍ଟ
