ସ୍ଵର୍ଗତ ଶ୍ରୀ ଦେବେନ୍ଦ୍ର ପ୍ରସାଦ ଦାସଙ୍କ ବିୟୋଗରେ ରାଜ୍ୟ ଆଇ.ପି.ଏସ୍ ସଂଘର ଶୋକ ପ୍ରକାଶ
ପୂର୍ବତନ ଆଇ.ପି.ଏସ୍ ଅଧିକାରୀ ସ୍ଵର୍ଗତ ଶ୍ରୀ ଦେବେନ୍ଦ୍ର ପ୍ରସାଦ ଦାସଙ୍କ ବିୟୋଗରେ ରାଜ୍ୟ ଆଇ.ପି.ଏସ୍ ସଂଘର ସଦସ୍ୟମାନେ ଶୋକ ପ୍ରକାଶ କରିଛନ୍ତି। ଏହି ଉପଲକ୍ଷେ ଭୁବନେଶ୍ୱରସ୍ଥିତ ଡିଜିପିଙ୍କ କ୍ୟାମ୍ପ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ସ୍ଵର୍ଗତ ଦାସଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ କରାଯାଇ ତାଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା। ରାଜ୍ୟ ଆଇ.ପି.ଏସ୍ ସଂଘ ପକ୍ଷରୁ ସ୍ଵର୍ଗତ ଦାସଙ୍କ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରାଯାଇଥିଲା।

ଶୋକ ସଭାକୁ ସମ୍ବୋଧନ କରି ଡିଜିପି ଶ୍ରୀ ଖୁରାନିଆ କହିଥିଲେ ଯେ, ସ୍ଵର୍ଗତ ଦାଶ ଜଣେ ଦକ୍ଷ, କର୍ମଠ ଏବଂ ସମର୍ପିତ ଆଇ.ପି.ଏସ୍ ଅଧିକାରୀ ଭାବେ ସୁନାମ ଅର୍ଜନ କରିଥିଲେ। ନିଜ ଦୀର୍ଘ ଚାକିରି ଜୀବନରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହି ସେ ଦକ୍ଷତାର ସହିତ କାର୍ଯ୍ୟ ନିର୍ବାହ କରି ଓଡିଶା ପୋଲିସର ମର୍ଯ୍ୟାଦା ତଥା ସୁନାମ ବଢ଼ାଇଥିଲେ। ତାଙ୍କ ବିୟୋଗ ସମାଜ ଏବଂ ପୋଲିସ ବିଭାଗ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ସେ କହିଥିଲେ। ଏତଦବ୍ୟତୀତ ଓଡ଼ିଆ ଚଳଚ୍ଚିତ୍ର ନିମନ୍ତେ ସ୍ଵର୍ଗତ ଦାସ ଅନେକ ସୁମଧୁର ସଂଗୀତ ରଚନା କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ବୋଲି ଡିଜିପି ମତବ୍ୟକ୍ତ କରିଥିଲେ। ସ୍ଵର୍ଗତ ଦାଶଙ୍କ ସହ ଜଡିତ କିଛି ଅଭୁଲା ସ୍ମୃତିକୁ ମଧ୍ୟ ସେ ସ୍ମରଣ କରିବା ସହ ତାଙ୍କର ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଥିଲେ ।ପ୍ରାରମ୍ଭରେ ରାଜ୍ୟ ଆଇ.ପି.ଏସ୍ ସଂଘର ସମ୍ପାଦକ ତଥା ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଧୁନିକୀକରଣ) ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ସ୍ଵର୍ଗତ ଦାଶଙ୍କ ଚାକିରି ଜୀବନ ଉପରେ ଆଲୋକପାତ କରିଥିଲେ। ଏହା ସହ ସଙ୍ଗୀତ ଓ ଚଳଚ୍ଚିତ୍ର ଜଗତ ନିମନ୍ତେ ତାଙ୍କର ଅବଦାନ ସମ୍ପର୍କରେ ମଧ୍ୟ ସେ ଉଲ୍ଲେଖ କରିଥିଲେ । ଏହି ଶୋକ ସଭାରେ ଆଇ.ଜି.ପି. (କାର୍ମିକ) ଶ୍ରୀ ଏସ୍. ପ୍ରବୀଣ କୁମାର, ଅତିରିକ୍ତ ପୋଲିସ କମିଶନର ଶ୍ରୀ ନରସିଂହ ଭୋଳ, ବିପିଏସପିଏ (ଟ୍ରେନିଂ) ଶ୍ରୀ ଅନୁପ କୁମାର ସାହୁ, ଆଇ.ଜି.ପି. (କ୍ରାଇମବ୍ରାଞ୍ଚ) ଡ଼. ସାର୍ଥକ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।ଏହି ଶୋକ ସଭାରେ ଆଭାସୀ ମାଧ୍ୟମରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ଶ୍ରୀ ସଞ୍ଜୟ କୁମାର,ଡିଆଇଜି (ପ୍ରୋଭିଜନିଂ) ଶ୍ରୀ ଚରଣ ସିଂ ମୀନା, ଡିଆଇଜି (କାର୍ମିକ) ଶ୍ରୀ ବି. ଯୁଗୋଳ କିଶୋର ପ୍ରମୁଖ ଉପସ୍ଥିତ ଥିଲେ।
ଶୋକ ସଭାକୁ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଧୁନିକୀକରଣ) ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ପରିଚାଳନା କରିଥିଲେ।
