February 23, 2026
Home » ଦୁଇବର୍ଷ ପୁରିବ, ଉତ୍ସବ ପାଳନରେ ମାତିଛନ୍ତି ନେତା ଅଫିସର : ଭକ୍ତ

ଦୁଇବର୍ଷ ପୁରିବ, ଉତ୍ସବ ପାଳନରେ ମାତିଛନ୍ତି ନେତା ଅଫିସର : ଭକ୍ତ

0
WhatsApp Image 2026-02-22 at 9.35.28 PM

 

42 ଗୋଟି ବିଭାଗରୁ 22 ଗୋଟି ବିଭାଗ ଖର୍ଚ୍ଚ କରିବାକୁ ଅସମର୍ଥ

ଚଳିତ ଆର୍ଥିକ ବଜେଟ ଉପରେ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଏକ ପ୍ରେସ ବିବୃତିରେ ନିଜର ଅସନ୍ତୋଷ ଜାହିର କରି କହିଛନ୍ତି ଯେ, ଏହି ବଜେଟ ଅତ୍ୟନ୍ତ ନିରାଶାଜନକ l ସମାଜର କୌଣସି ବର୍ଗ ଏଥିରୁ ସୁଫଳ ପାଇବେ ନାହିଁ l ଗତ ବର୍ଷ 2 ଲକ୍ଷ 90 ହଜାର ଥିଲା ବେଳକୁ ଏ ବର୍ଷ 3 ଲକ୍ଷ 10 ହଜାର କୋଟି ବ୍ୟବସ୍ଥା ହୋଇଛି l ଶୁଣିବାକୁ ବହୁତ ଭଲ ଲାଗୁଛି କିନ୍ତୁ ଗତ ବର୍ଷ ଖର୍ଚ୍ଚର ହିସାବ କଲେ ବଜେଟର ମାତ୍ର 57% ସରକାର ଖର୍ଚ୍ଚ କରିଛନ୍ତି l ବର୍ତମାନ ହାତରେ ମାତ୍ର 5 ମାସ ଅଛି, ବଡ ପ୍ରଶ୍ନ ହେଲା ସରକାର 70 ହଜାର କୋଟି ଟଙ୍କା ଖର୍ଚ୍ଚକରି ପାରିବେ ତ ? ବଜେଟ ଦେଖିବାକୁ ହାତୀ ଭଳି କିନ୍ତୁ ଖର୍ଚ୍ଚ ପିଂପୁଡି ଭଳି l ଏହି ପାଞ୍ଚ ମାସରେ ସରକାର 70 ହଜାର ଟଙ୍କା ଖର୍ଚ କରିବେ ତେବେ ଆପଣ ଚିନ୍ତା କରନ୍ତୁ କେତେ ଦୁର୍ନୀତି ହେବ, ଯାହା ଲୋକଙ୍କ ମଙ୍ଗଳ ପାଇଁ ଖର୍ଚ୍ଚ ହେବା କଥା ତାହା ଦୁର୍ନୀତି ମୁହଁକୁ ଯିବ l ଶିକ୍ଷା, ସ୍ୱାସ୍ଥ୍ୟ, ଜଳ ଯୋଗାଣ, ନିଯୁକ୍ତି ଆଦି ଅବ୍ୟବସ୍ଥାରେ ରାଜ୍ୟ ଉବୁଟୁବୁ l ସରକାର ଚାଷୀଙ୍କ ଧାନ କିଣି ପାରୁନାହାନ୍ତି ମଣ୍ଡିରେ ଧାନ ରଖାଯାଇ ପାରୁନାହିଁ କାରଣ ଗଛିତ ରଖିବା ବ୍ୟବସ୍ଥା ନାହିଁ l ଏହା ଏକ ସାଧାରଣ ସମସ୍ୟା ହୋଇଥିଲେ ମଧ୍ୟ ସରକାର ଗୋଦାମ ଗୃହ ନିର୍ମାଣ କରିବାରେ ଅସମର୍ଥ ହୋଇଛି l
ଏ ସରକାର କୃଷକ ମlରଣନୀତି ଅବଲମ୍ବନ କରୁଛନ୍ତି l ସରକାର କେବଳ ବାହାବା ନେବା ପାଇଁ ବିଶ୍ୱବିଦ୍ୟାଳୟ ଗୁଡିକ ଖୋଲୁଛନ୍ତି l
ମନଇଚ୍ଛା ଘୋଷଣା ହେଉଛି କିନ୍ତୁ ପୂର୍ବରୁ ଯେଉଁ ବିଶ୍ୱବିଦ୍ୟାଳୟ ଗୁଡିକ ଅଛି ଅନ୍ୟୁନ 50% ବିଶ୍ୱବିଦ୍ୟାଳୟରେ ଶିକ୍ଷକ ନାହାନ୍ତି, ଟେକନିସିଆନ ନାହାନ୍ତି, ଅନୁସାଙ୍ଗିକ ଉପକରଣ ନାହିଁ ତେଣୁ ନୂତନ ବିଶ୍ୱବିଦ୍ୟାଳୟ ଖୋଲିବା ଏକ ହାସ୍ୟାସ୍ପଦ କଥା l କେବଳ ପେଣ୍ଟିଙ୍ଗ କରା ଚକଚକିଆ ବିଲଡିଂ ଦୃଶ୍ୟମାନ ହେଉଛି l ସରକାର ଖୋଲିଥିବା ନୂତନ ମେଡିକାଲ କଲେଜର ଅବସ୍ଥା ଆପଣ ଦେଖନ୍ତୁ କେତେ ଦୟନୀୟ ଅବସ୍ଥାରେ ଚାଲିଛି l ହଜାର ହଜାର କୋଟି ଟଙ୍କାର ପାଇପ ପଡିଛି କିନ୍ତୁ ଜଳ ଯୋଗାଣ ହୋଇ ପାରୁନାହିଁ l ଏହି ବଜେଟ ମାନବତା ବିରୋଧୀ ବଜେଟ l
ପଛୁଆ ଏବଂ ଆଦିବାସୀ ମାନଙ୍କ ପାଇଁ ମଧ୍ୟ ବଜେଟରେ ବିଶେଷ କିଛି ନାହିଁ l କେନ୍ଦ୍ର ସରକାର ଆଜି ପର୍ଯ୍ୟନ୍ତ ରାଜ୍ୟକୁ 8 ହଜାର କୋଟି ଟଙ୍କା ଦେଇ ନାହାନ୍ତି l ଏହାକୁ ଡବଳ ଇଂଜିନ ସରକାର କହିବେ ନା ଡବଲ ଦୁଃଖ ସରକାର କହିବେ ? ଦୁଇଗୁଣ ପଦ୍ମ ଦୁଇଗୁଣ ବିନାଶ l ରାଜ୍ୟର ପୁରପଲ୍ଲୀରେ ଏହା ପରିଲକ୍ଷିତ ହେଊଛି l ସରକାରଙ୍କ ଲୋକପ୍ରିୟତା ଦ୍ରୁତଗତିରେ ନିମ୍ନଗାମୀ ହେଉଛି l କଂଗ୍ରେସ ଏହାକୁ ସମ୍ପୂର୍ଣ ରୂପେ ଜନ ଓ ବିକାଶ ବିରୋଧୀ ବଜେଟ ବୋଲି କହୁଛି l ଯେଉଁ ସରକାରର 42 ଗୋଟି ବିଭାଗରୁ 22 ଗୋଟି ବିଭାଗ ଟଙ୍କା ଖର୍ଚ୍ଚ କରି ପାରୁନାହିଁ, ତାହାକୁ କିଭଳି ସରକାର କହିବା? ଏଥିରୁ ବିକାଶର ଆଶା କଣ କରାଯିବ? ପୂର୍ବରୁ ପ୍ରଶ୍ନ କରିଥିଲି ଏବେ ମଧ୍ୟ ପ୍ରଶ୍ନ କରୁଛି ସରକାର ଅଛି ତ? ଟଙ୍କା କାହିଁକି ଖର୍ଚ୍ଚ ହୋଇ ପାରୁନାହିଁ ବୋଲି ଗଣମାଧ୍ୟମଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ଦାସ କହିଲେ, ଯେଉଁ ସରକାରର ମନ୍ତ୍ରୀ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀରୁ ତଳିଆ କର୍ମଚାରୀ ପର୍ଯ୍ୟନ୍ତ ମେଳା ମହୋତ୍ସବରେ ମସଗୁଲ ଅଛନ୍ତି ସେମାନେ କେତେବେଳେ ଯୋଜନା କାର୍ଯ୍ୟକାରୀ କରିବାକୁ ସମୟ ପାଇବେ ? ବିକାଶ, ସୁଶାସନ, ବର୍ଷପୂର୍ତ୍ତି ଆଦି ଆୟୋଜିତ ଉତ୍ସବରେ ମନ୍ତ୍ରୀ ଯନ୍ତ୍ରୀଙ୍କ ଜିଲ୍ଲାରେ ଫୁରସତ ନାହିଁ, ସେମାନେ ଜନକଲ୍ୟାଣ ପାଇଁ କଣ କାମ କରିବେ ? ରାଜ୍ୟସଭା ନିର୍ବାଚନକୁ ନେଇ ଗଣମାଧ୍ୟମର ଅନ୍ୟ ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଦାସ କହିଲେ, ରାଜ୍ୟର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ପ୍ରାର୍ଥୀ ପାଇଁ ଆମେ ବିଜେଡିକୁ ଅନୁରୋଧ କରିଥିଲୁ ଯଦି ସହମତି ପ୍ରକାଶ ପାଏ ତେବେ ଯେକୌଣସି କ୍ଷେତ୍ରରୁ ପ୍ରତିନିଧିତ୍ୱ କରୁଥିବା ଯୋଗ୍ୟ ନିରପେକ୍ଷ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରାଯିବ ନଚେତ କଂଗ୍ରେସର ସଂଖ୍ୟା ନଥିଲେ ସୁଦ୍ଧା ପ୍ରାର୍ଥୀ ଦେବ ଏବଂ ଦଳରୁ ପ୍ରାର୍ଥୀ ଦେବ ବୋଲି ପ୍ରକାଶ କରିଛନ୍ତି l ପୌର ଏବଂ ପଂଚାୟତ ନିର୍ବାଚନର ଘୋଷଣା କରି ସାରିଲେଣି ଏପଟେ 300 ୟୁନିଟ ବିଜୁଳି ଛାଡ଼ ପ୍ରତିଶୃତି ପାଳନ କରିନାହାନ୍ତି l କିଭଳି ଏମାନେ ଲୋକଙ୍କର ସମ୍ମୁଖୀନ ହେବେ l 90 ହଜାର କୋଟି ସରକାର ଋଣ କରି ସାରିଲେଣି, ମୁଣ୍ଡପିଛା 27 ହଜାର ଟଙ୍କା ହେଲାଣି l ଏହି ସରକାର ରାଜ୍ୟକୁ ଫମ୍ପା କରିସାରିଲେଣି ବୋଲି ଶ୍ରୀ ଦାସ କହିବା ସହ ମାନବ ଓ ବିକାଶ ବିରୋଧୀ ବଜେକୁ କଂଗ୍ରେସ ଦଳ ପ୍ରତ୍ୟାଖ୍ୟାନ କରୁଛି ବୋଲି ପ୍ରକାଶ କରିଥିଲେ l

Leave a Reply

Your email address will not be published. Required fields are marked *