ବୃହତ୍ ବୃକ୍ଷରୋପଣ ଅଭିଯାନ କାର୍ଯ୍ଯକ୍ରମ
ବୁନ୍ଦା ଜଳସେଚନ ଯୋଗେ ବୃକ୍ଷର ଯତ୍ନ….
ଗୋଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଗୋଲାମୁଣ୍ଡା ସ୍ଥିତ ସର୍ବମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡକ୍ରସ୍ ବିଭାଗ ଆନୁକୂଲ୍ୟରେ ଅଧ୍ୟକ୍ଷ ସରୋଜକାନ୍ତ ରଥଙ୍କ ଉପସ୍ଥିତି ଓ ଯୁବ ରେଡକ୍ରସ୍ ପରାମର୍ଶଦାତା ଅଧ୍ୟାପକ ଶାନ୍ତନୁ କୁମାର ପରିଡ଼ାଙ୍କ ଉଦ୍ଯମ ରେ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପରିସରରେ ମେଗା ବୃକ୍ଷରୋପଣ ଅଭିଯାନ ଅନୁଷ୍ଠିତ ହୋଇଯାଇଛି।

ଏହି ଉତ୍ସବରେ ଶିକ୍ଷାନୁଷ୍ଠାନର ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀମାନେ ଉପସ୍ଥିତ ଥିଲେ। ଯୁବ ରେଡ଼କ୍ରସ ,ଓଡ଼ିଶା ରାଜ୍ଯ ଶାଖାର ସହାୟତାରେ ଏହି ବୃହତ୍ ବୃକ୍ଷରୋପଣ ଅଭିଯାନ ଆୟୋଜିତ ହୋଇଥିଲା। ଉଲ୍ଲେଖଯୋଗ୍ୟ ଯେ ,ସୁସ୍ଥ ପରିବେଶ ସହିତ ସ୍ବପ୍ନ ସଜଡ଼ା ଜୀବନକୁ ସବୁଜ-ସୁନ୍ଦର କରୁଥିବା ଅନ୍ଯୁନ ଏକଶତ ଉପାଦେୟ ବୃକ୍ଷ ଯୁବ ରେଡକ୍ରସ୍ ସ୍ଵେଚ୍ଛାସେବୀ ଛାତ୍ର-ଛାତ୍ରୀ ମାନେ ଚଳିତ ୨୦୨୫-୨୬ ବର୍ଷର ବର୍ଷା ଋତୁରେ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ରୋପଣ କରିଥିଲେ। ସେଗୁଡ଼ିକର ଉପଯୁକ୍ତ ଯତ୍ନ ଓ ସୁରକ୍ଷା ପାଇଁ ପଦକ୍ଷେପ ସ୍ୱରୂପ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡକ୍ରସ୍ ବିଭାଗ ତରଫରୁ ଲୁହା ତାରଜାଲି ବାଡ଼ ଦିଆଯିବା ସହିତ ନବନିର୍ମିତ ପାଣିଟାଙ୍କିରୁ ପାଇପ୍ ମାଧ୍ୟମରେ ସବୁ ବୃକ୍ଷମୂଳକୁ ବୁନ୍ଦା ଜଳସେଚନର ବ୍ଯବସ୍ଥା କରାଯାଇଛି ଓ ପ୍ରତ୍ୟେକ ବୃକ୍ଷରେ ବୃକ୍ଷରୋପଣ ସମ୍ପର୍କିତ ବିଭିନ୍ନ ଜନସଚେତନ ମୂଳକ ସ୍ଳୋଗାନ ଓ ବାର୍ତ୍ତା ଦିଆଯାଇଛି। ଏଥି ସହିତ ପ୍ରଚଣ୍ଡ ଗ୍ରୀଷ୍ମ ତାପରେ ପାଣି ପାଇଁ ଡହଳବିକଳ ହୋଇ କଥା କହିପାରୁ ନଥିବା ନିରୀହ ପଶୁ-ପକ୍ଷୀଙ୍କ ଲାଗି ସିମେଣ୍ଟରେ ପ୍ରସ୍ତୁତ ପାଣିଭର୍ତ୍ତି ପାତ୍ରମାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ସୁବ୍ୟବସ୍ଥିତ କରା ଯାଇଛି। ଶତାଧିକ ବୃକ୍ଷ ରୋପଣ ସହିତ ଉପଯୁକ୍ତ ଯତ୍ନ ଓ ସୁରକ୍ଷା ଦେଇ ସେଗୁଡିକୁ ବଞ୍ଚାଇ ସବୁଜ ସୁନ୍ଦର ସୁସ୍ଥ ପରିବେଶ ସୃଷ୍ଟି କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ।
ଗୋଲାମୁଣ୍ଡା ରୁ ବାଜି ପ୍ରଧାନଙ୍କ ରିପୋର୍ଟ….
