March 13, 2026
Home » ନୂତନ ଭାବେ ନିର୍ମାଣ ହେବ ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର

ନୂତନ ଭାବେ ନିର୍ମାଣ ହେବ ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର

0
WhatsApp Image 2026-03-13 at 9.47.29 AM

ଏହାର ଶିଳାନ୍ୟାସ କଲେ ମାନ୍ୟବର ବିଧାୟକ ସନତ କୁମାର ଗଡତିୟା

ବରଗଡ଼/ବିଜେପୁର :  ଗୁରୁବାର ସକାଳ ପ୍ରାୟଃ ୧୧ଟା ସମୟରେ ବରଗଡ଼ ଜିଲ୍ଲାର ବିଜେପୁର ଅଞ୍ଚଳରେ ସ୍ୱାସ୍ଥ୍ୟ ସେବାକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ନୂତନ ଭବନ ନିର୍ମାଣ ପାଇଁ ମାନ୍ୟବର ବିଧାୟକ ସନତ କୁମାର ଗଡତିୟାଙ୍କ କରକମଳରେ ଶିଳାନ୍ୟାସ ହୋଇଯାଇଛି ।

ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମର ସଭାରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଜେପୁର ବିଧାୟକ ସନତ କୁମାର ଗଡତିୟାଙ୍କ ଉପସ୍ଥିତ ଥିବା ବେଳେ ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ ଡା. କୁବେର ମହନ୍ତ, ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ଅରୁଣ ପାଣ୍ଡେ, ଏସଡିଓ ସଞ୍ଜୟ କୁମାର ପାତ୍ର, ସ୍ଥାନୀୟ ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡା. ସୁଶାନ୍ତ କୁମାର ମେହେର, ଜିଲ୍ଲା ପରିଷଦ ସଭ୍ୟ ସୁଶାନ୍ତ ଗଡତିଆ, ସମାଜସେବୀ ଜନାର୍ଦ୍ଦନ ପାଣିଗ୍ରାହୀ ମଞ୍ଚାସୀନ ଥିଲେ । ପ୍ରାୟ ୧୬ କୋଟି ୭୫ ଲକ୍ଷ ଟଙ୍କା ବ୍ୟୟରେ ଏହି ନୂତନ ଭବନ ନିର୍ମାଣ କରାଯିବ ବୋଲି ସୂଚନା ମିଳିଛି ।

ଗ୍ରାମାଞ୍ଚଳର ଲୋକମାନଙ୍କୁ ଗୁଣାତ୍ମକ ଓ ସହଜଲଭ୍ୟ ସ୍ୱାସ୍ଥ୍ୟ ସେବା ଦେବା ସରକାରଙ୍କ ପ୍ରାଥମିକତା ମଧ୍ୟରେ ରହିଛି ଏବଂ ନୂତନ ଭବନ ନିର୍ମାଣ ହେଲେ ରୋଗୀମାନେ ଅଧିକ ସୁବିଧା ସହ ଚିକିତ୍ସା ସୁବିଧା ପାଇପାରିବେ ବୋଲି ଉଦବୋଧନ ଦେବା ସହିତ ଅଞ୍ଚଳର ସମଗ୍ରିକ ଉନ୍ନତି ପାଇଁ ସେ ସର୍ବଦା ପ୍ରୟାସରତ ବୋଲି ବିଧାୟକ ଶ୍ରୀଯୁକ୍ତ ଗଡତିୟା କହିଥିଲେ । ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ଢାଞ୍ଚାକୁ ଆହୁରି ସୁଦୃଢ଼ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ନିରନ୍ତର ପଦକ୍ଷେପ ନେଉଛି ଏବଂ ନୂତନ ଭବନ ନିର୍ମାଣ ହେଲେ ରୋଗୀମାନଙ୍କ ସହ ସ୍ୱାସ୍ଥ୍ୟକର୍ମୀ ଓ ଡାକ୍ତରମାନଙ୍କ ପାଇଁ କାର୍ଯ୍ୟ ପରିବେଶ ଆହୁରି ସୁଦୃଢ଼ ହେବ ବୋଲି ସିଡିଏମଓ ଶ୍ରୀଯୁକ୍ତ ମହନ୍ତ ପ୍ରକାଶ କରିଥିଲେ । ଏହି ଅବସରରେ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀ, ଅଞ୍ଚଳର ଜନ ପ୍ରତିନିଧି, ବୁଦ୍ଧିଜୀବୀ ତଥା ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଏହି ପ୍ରକଳ୍ପ ଆରମ୍ଭକୁ ସ୍ୱାଗତ କରିଥିବା ସହିତ ଏହା ଅଞ୍ଚଳର ଲୋକମାନଙ୍କ ପାଇଁ ଲାଭଦାୟକ ହେବ ବୋଲି ମତ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସ୍ଥାନୀୟ ଲୋକ ଉପସ୍ଥିତ ରହି ସ୍ୱାସ୍ଥ୍ୟକେନ୍ଦ୍ରର ଉନ୍ନତି ନିମିତ୍ତ ସରକାର ନେଇଥିବା ପଦକ୍ଷେପକୁ ସ୍ୱାଗତ କରିଥିଲେ । ଦୀର୍ଘଦିନ ଧରି ସ୍ୱାସ୍ଥ୍ୟ ସୁବିଧା ବୃଦ୍ଧି ପାଇଁ ଦାବୀ କରୁଥିବା ଅଞ୍ଚଳବାସୀ ଏହି ନୂତନ ଭବନ ନିର୍ମାଣ ଆରମ୍ଭ ହେବାକୁ ନେଇ ଖୁସି ବ୍ୟକ୍ତ କରିଥିବା ସହିତ ନିର୍ମାଣ କାର୍ଯ୍ୟ ସମୟସୀମା ମଧ୍ୟରେ ସମାପ୍ତ ହୋଇ ଉନ୍ନତ ସ୍ୱାସ୍ଥ୍ୟ ସେବା ପାଇବାର ଆଶା ପୋଷଣ କରିଛନ୍ତି ।

 

ଇପିଏର ଜିଲ୍ଳା ପ୍ରତିନିଧି କ୍ଷମା ନିଧି ବଣ୍ଡୁକିଙ୍କ(ଇଷ୍ଟର୍ଣ୍ଣ ପ୍ରେସ୍‌ ଏଜେନ୍‌ସୀ) ରିପୋର୍ଟ,

Leave a Reply

Your email address will not be published. Required fields are marked *