March 16, 2026
Home » ବନ ବିଭାଗର ଚଢ଼ାଉ। ଚିତାବାଘ ର ନଖ ଜବତ, ତିନି ଯୁବକ ଗିରଫ ଓ କୋର୍ଟ ଚାଲାଣ

ବନ ବିଭାଗର ଚଢ଼ାଉ। ଚିତାବାଘ ର ନଖ ଜବତ, ତିନି ଯୁବକ ଗିରଫ ଓ କୋର୍ଟ ଚାଲାଣ

0
WhatsApp Image 2026-03-14 at 10.40.28 AM

 

ଧର୍ମଗଡ଼ : ବେଆଇନ ଭାବେ ବନ୍ୟଜନ୍ତୁ ଙ୍କ ର ଶିକାର କରି ବ୍ୟବସାୟ ଚାଲୁଥିବା ସମ୍ପର୍କରେ କୌଣସି ସୂତ୍ରରୁ ସୂଚନା ପାଇ କଳାହାଣ୍ଡି ଉତ୍ତର ବନଖଣ୍ଡ ଅଧୀନ କେଗାଁ ରେଞ୍ଜର ବନକର୍ମଚାରୀମାନେ ଗରଗାବ ସେକ୍ସନ ଅଧୀନ କାନ୍ଦୁଲଝର ଗାଁ ନିକଟରେ ଏକ ସ୍ୱତନ୍ତ୍ର ଅପରେସନ କରିଥିଲେ। ଏହି ଅଭିଯାନ ସମୟରେ କାନ୍ଦୁଲଝର ଗାଁର ଭୋଗରାଜ ମଲ୍ଲିକ ଏବଂ ଫଗ୍ନୁ ଜୁଆଡ଼ଙ୍କୁ କାନ୍ଦୁଲଝର ଓ କନ୍ଦଖାଲ ଗାଁ ମଧ୍ୟରେ ଅବସ୍ଥିତ ଏକ ମଦ ଭାଟି ନିକଟରୁ ଧରାଯାଇଥିଲା।

ତାଙ୍କ ନିକଟରୁ ଚିତାବାଘର ନଖ ଜବତ କରାଯାଇଥିଲା। ପୁଣି ଅଭିଯୁକ୍ତ ମାନଙ୍କ ଦେଇଥିବା ସୂଚନା ଆଧାରରେ ପୁରୁଣାପାଣି ଗାଁରେ ତଲାଶି କରା ଯାଇଥିଲା। ସେଠାରେ ପୁରୁଣାପାଣି ଗାଁର ଅନ୍ୟ ଜଣେ ଅଭିଯୁକ୍ତ ତ୍ରିଭୁବନ ଜାନିଙ୍କ ଘରରୁ ଚିତାବାଘର ନଖ ସହିତ ପଞ୍ଜା ଏବଂ ଗୋଟିଏ ଚିତାବାଘର ଗୋଫ ଜବତ କରାଯାଇଥିଲା। ପରବର୍ତ୍ତୀ ତଦନ୍ତ ଓ ସ୍ଥଳ ପରୀକ୍ଷଣ ସମୟରେ ବନଅଞ୍ଚଳ ନିକଟସ୍ଥ ଗୋଟିଏ କୁଅ ରୁ ଚିତାବାଘର ଅସ୍ଥିପଞ୍ଜର ଅବଶେଷ ଯଥା ମୁଣ୍ଡ ଖୋଲ, ଜହ୍ନା ଏବଂ ଅନ୍ୟାନ୍ୟ ହାଡ଼ ଉଦ୍ଧାର କରାଯାଇଥିଲା।

ତଦନ୍ତ ସମୟରେ ଦେଖାଯାଇଥିବା ଅନ୍ୟାନ୍ୟ ସ୍ଥାନରୁ ଅବୈଧ ଶିକାର ପାଇଁ ବ୍ୟବହୃତ ହୋଇଥିବା ସନ୍ଦେହ ଥିବା ସାମଗ୍ରୀ ଯଥା ବିଦ୍ୟୁତ ତାର, ଜିଆଇ ତାର, ପ୍ଲାଷ୍ଟିକ ଦୋରି ଓ କାଟିବା ଅସ୍ତ୍ର ମଧ୍ୟ ଜବତ କରାଯାଇଥିଲା। ଏହି ଅଭିଯାନ ରେ କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ର ଏସିଏଫ ଲିଲି ଅମନତାୟା, ଏସିଏଫ ପ୍ରଭୁଦତ୍ତ ମିଶ୍ର, କେଗାଁ ରେଞ୍ଜ ଅଫିସର ଯୁଧିଷ୍ଠିର ଜାଲ, ଅସିତ ଦାସ ଏବଂ କେଗାଁ ରେଞ୍ଜ ର କର୍ମଚାରୀ ଓ ଏମ୍‌. ରାମପୁର ରେଞ୍ଜର ବନକର୍ମଚାରୀ ସାମିଲ ହୋଇଥିଲେ ।ବନ୍ୟଜନ୍ତୁ (ସୁରକ୍ଷା) ଅଧିନିୟମ, ୧୯୭୨ ର ସମ୍ବନ୍ଧିତ ଧାରା ଅନୁସାରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ତ୍ରିଭୁବନ ଜାନି, ଭୋଗରାଜ ମଲ୍ଲିକ ଓ ଫଗ୍ନୁ ଜୁଆଡ଼ଙ୍କୁ ଗିରଫ କରି  କୋର୍ଟ ଚାଲାଣ କରାଯାଇଛି ।

ବାଜି ପ୍ରଧାନ ଙ୍କ ରିପୋର୍ଟ….

Leave a Reply

Your email address will not be published. Required fields are marked *