ଖଣି ବିଭାଗର ଚଢ଼ାଉରେ ଟ୍ରକ ସହ ୮୨ ଟନ ଲୁହାପଥର ଜବତ
ନକଲି ଟିପିରେ ଚାଲାଣ ଚେଷ୍ଟା ବେଳେ କାର୍ଯ୍ୟାନୁଷ୍ଠାନ, ଡ୍ରାଇଭର ସହ ଅଭିଯୁକ୍ତ ଫେରାର
ଯୋଡ଼ା: କେନ୍ଦୁଝର ଜିଲ୍ଲାର ଖଣି ଅଞ୍ଚଳରେ ବେଆଇନ ଲୁହାପଥର ଚାଲାଣକୁ ରୋକିବା ପାଇଁ ଖଣି ବିଭାଗ ପକ୍ଷରୁ କଡ଼ା ଚଢ଼ାଉ ଜାରି ରହିଛି। ଏହି ପରିପ୍ରେକ୍ଷିତରେ ଯୋଡ଼ା ଖଣି ଅଧିକାରୀ ବିଶ୍ୱରଞ୍ଜନ ସେଠୀଙ୍କ ତତ୍ୱାବଧାନରେ ଗଠିତ ଏକ ସ୍ୱତନ୍ତ୍ର ଟିମ ଗୁରୁବାର ଦିନ ଭଦ୍ରାସାହି ଅଞ୍ଚଳରେ ଚଢ଼ାଉ କରି ଏକ ବେଆଇନ ଲୁହାପଥର ବୋଝେଇ ଟ୍ରକକୁ ଜବତ କରିଛି।ସୂଚନାଯୋଗ୍ୟ ଯେ, ଉକ୍ତ ଟ୍ରକଟି ନକଲି ଟିପି ବ୍ୟବହାର କରି ଚୋରା ଭାବେ ଲୁହାପଥର ଚାଲାଣ କରୁଥିବା ବେଳେ ଖଣି ବିଭାଗ କୌଣସି ସୂତ୍ରରୁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା। ଚଢ଼ାଉ ସମୟରେ ଟ୍ରକରେ ଲୋଡ଼ ହୋଇଥିବା ପ୍ରାୟ ୩୨ ଟନ ଲୁହାପଥର ଜବତ କରାଯାଇଥିଲା। କିନ୍ତୁ ବିଭାଗୀୟ ଟିମ ପହଞ୍ଚିବା ପୂର୍ବରୁ ଡ୍ରାଇଭର ସହ ଅନ୍ୟ ଅଭିଯୁକ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ।ପରବର୍ତ୍ତୀ ସମୟରେ ଟିମ ଘଟଣାସ୍ଥଳରେ ଅଧିକ ଯାଞ୍ଚ କରିବା ସମୟରେ ନିକଟସ୍ଥ ଅଞ୍ଚଳର ଅନ୍ୟ ଏକ ସ୍ଥାନରେ ୫୦ ଟନ ବେଆଇନ ଲୁହାପଥର ଗଛିତ ରହିଥିବା ଠାବ କରି ସେଗୁଡ଼ିକୁ ମଧ୍ୟ ଜବତ କରିଥିଲେ। ଏହିପରି ଭାବେ ମୋଟ ୮୨ ଟନ ଲୁହାପଥର ସହ ଏକ ଟ୍ରକ ଖଣି ବିଭାଗ ଜବତ କରିଛି। ଏହି ଘଟଣା ସମ୍ପର୍କରେ ଖଣି ବିଭାଗ ପକ୍ଷରୁ ମାମଲା ରୁଜୁ କରାଯାଇଥିବା ବେଳେ ଘଟଣା ପଛରେ କିଏ ମାଷ୍ଟରମାଇଣ୍ଡ ଓ ଏହି ଚୋରା ଚାଲାଣ ରାକେଟରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ସେନେଇ ତଦନ୍ତ ଜାରି ରହିଛି ବୋଲି ଜଣାପଡ଼ିଛି।
କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ଡିମ୍ପଲ ସାଣ୍ଡିଲ ଙ୍କ ରିପୋର୍ଟ ଇପିଏ ନିଉଜ ।
