ବିଏମ୍ ସିର ‘ବର୍ଜ୍ୟରୁ ସଂପଦ’ ପ୍ରଦର୍ଶନୀ
ଭୁବନେଶ୍ୱର; ନାରୀ ଲିଡ୍ସ ସ୍ବଚ୍ଛତା ଅଭିଯାନ ପରିପ୍ରେକ୍ଷୀରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି) ପକ୍ଷରୁ ଆଜି ‘ବର୍ଜ୍ୟରୁ ସଂପଦ’ (Waste to Wealth) ଶୀର୍ଷକ ଏକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ବିଏମ୍ ସି ମୁଖ୍ୟାଳୟରେ ଅନୁଷ୍ଠିତ ଏହି ପ୍ରଦର୍ଶନୀରେ ଅଦରକାରୀ ତଥା ବର୍ଜ୍ୟରୁ ଘର ସଜାଇବା ପାଇଁ କିପରି ସୁନ୍ଦର ସୁନ୍ଦର କଳାକୃତୀ କରାଯାଇ ପାରେ, ତାହାକୁ ସ୍ୱଚ୍ଛକର୍ମୀ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଓ ଛାତ୍ରଛାତ୍ରୀ ପ୍ରଦର୍ଶିତ କରିଥିଲେ । ସ୍ୱଚ୍ଛ ସର୍ବେକ୍ଷଣ ଅନ୍ତର୍ଗତ ଶିକ୍ଷା, ସୂଚନା ଓ ଯୋଗାଯୋଗ କାର୍ଯ୍ୟକ୍ରମ ମାଧ୍ୟମରେ ଏହି ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟତଃ ବିଏମ୍ ସିର ସ୍ୱଚ୍ଛକର୍ମୀ, ସ୍ୱଚ୍ଛସାଥୀ, ବିଭିନ୍ନ ଏଜେନ୍ସି ଓ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାମାନେ ଅଂଶଗ୍ରହଣ କରିଥିଲେ । ସମୁଦାୟ 11ଟି ଷ୍ଟଲ ଖୋଲାଯାଇଥିଲା । ଏହି ପ୍ରଦର୍ଶନୀରେ ବିଭିନ୍ନ ବର୍ଜ୍ୟରୁ ସୁନ୍ଦର ସୁନ୍ଦର ପଶୁପକ୍ଷୀ, ପାପୋଛ, ମନ୍ଦିର, ଭଳିକ ଭଳି ଫୁଲଦାନୀ, ଗଛ, ଲତା, ଜଗନ୍ନାଥଙ୍କର ବିଭିନ୍ନ ପ୍ରକାର ବେଶ, ଗଣେଶଙ୍କ ମୂର୍ତ୍ତି, ପୋଷାକ ଇତ୍ୟାଦି ପ୍ରସ୍ତୁତ କରିଥିଲେ । ଏଥିରେ ଅଦରକାରୀ ପ୍ଲାଷ୍ଟିକ ଚାମଚ, କତା, କାଚ ବୋତଲ, ବଟଲ ଠିପି, ଦିଆସିଲ କାଠି, ବିଭିନ୍ନ ପ୍ରକାର ଅଦରକାରୀ ବିଦ୍ୟୁତ୍ ସାମଗ୍ରୀକୁ ନେଇ ଚାରୁକାର୍ଯ୍ୟ ଖଚିତ କଳାକୃତୀ ପ୍ରଦର୍ଶନ କରିଥିଲେ । ଏପରକି ବିଏମ୍ ସି ପକ୍ଷରୁ ଛଡା ଫୁଲରୁ ପ୍ରସ୍ତୁତ ସୁଗନ୍ଧିତ ଧୁପକାଠି ଓ ଅବିର ପ୍ରଦର୍ଶନୀ ସହ ବିକ୍ରି ମଧ୍ୟ ହୋଇଥିଲା ।

ଏହି ‘ବର୍ଜ୍ୟରୁ ସଂପଦ’ ପ୍ରଦର୍ଶନୀକୁ ମାନନୀୟା ମେୟର ଶ୍ରୀମତୀ ସୁଲୋନଚା ଦାସ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାନନୀୟା ଡେପୁଟି ମେୟର ଶ୍ରୀମତୀ ମଂଜୁଲତା କହଁର, କମିଶନର ଶ୍ରୀ ଚଞ୍ଚଳ ରାଣା, ଅତିରିକ୍ତ କମିଶନର ଶ୍ରୀ ରତ୍ନାକର ସାହୁ, ଶ୍ରୀ କୈଳାସ ଚନ୍ଦ୍ର ଦାସଙ୍କ ସହ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷା, ଅଧ୍ୟକ୍ଷ, ବହୁ କର୍ପୋରେଟର, ବିଏମ୍ ସିର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ମାନନୀୟା ମେୟର, ଡେପୁଟି ମେୟର, କମିଶନର, କର୍ପୋରେଟର ଓ ଅଧିକାରୀମାନେ ବିଭିନ୍ନ ଷ୍ଟଲ ବୁଲି ଦେଖିବା ସହ ପ୍ରଦର୍ଶନକାରୀଙ୍କୁ ନିର୍ମାଣ ଶୈଳି ସଂପର୍କରେ ପଚାରି ବୁଝିବାଥିଲେ । ବର୍ଜ୍ୟରୁ ପ୍ରସ୍ତୁତ କଳାକୃତୀ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ଯେ କୌଣସି ଜିନିଷ ଅଦରକାରୀ ନୁହେଁ । ଅଦରକାରୀ ଜିନିଷକୁ ବ୍ୟବହାର କରିଜାଣିଲେ, ଏପରି ସୁନ୍ଦର ସୁନ୍ଦର ଘର ସଜାଇବା କଳାକୃତୀ ହୋଇପାରିବ ବୋଲି କହିଛନ୍ତି ମାନନୀୟା ମେୟର ଓ କମିଶନର । ଏହି ଅବସରରେ ମାନନୀୟା ମେୟର, ଡେପୁଟି ମେୟର, କମିଶନର ଓ ସାଧାରଣ ଲୋକେ ଛଡାଫୁଲରୁ ପ୍ରସ୍ତୁତ ଧୂପକାଠି ଓ ଅବିର କିଣି ନେଇଥିଲେ । ବହୁ ଲୋକ ଏହି ପ୍ରଦର୍ଶନୀ ବୁଲି ଦେଖିବା ସହ ବର୍ଜ୍ୟରୁ ସଂପଦ ପ୍ରସ୍ତୁତ କରିଥିବା କର୍ମୀଙ୍କର ଉଚ୍ଚ ପ୍ରସଂଶା କରିଛନ୍ତି । ଏହି ସମସ୍ତ କାର୍ଯ୍ୟର ସଂଯୋଜନା କରିଥିଲେ ପରିମଳ ଉପାୟୁକ୍ତ ଶ୍ରୀ ଏନ୍. ଗଣେଶ ବାବୁ । ସ୍ୱଚ୍ଛ ସର୍ବେକ୍ଷଣ କାର୍ଯ୍ୟକ୍ରମ ଅଧିନରେ ଆସନ୍ତା କାଲି ପୋଖରିପୁଟସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱଚ୍ଛକର୍ମୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ବା “ସଫେଇ ମିତ୍ର ସୁରକ୍ଷା ଶିବିର” ଅନୁଷ୍ଠିତ ହେବ ।
