March 18, 2026
Home » ରାଜ୍ୟସଭା ନିର୍ବାଚନରେ ବିଧାୟକ ମାନେ ବାପାଙ୍କୁ ଦିଆଯାଇଥିବା ଅପମାନର ଜବାବ୍ ଦେଲେ

ରାଜ୍ୟସଭା ନିର୍ବାଚନରେ ବିଧାୟକ ମାନେ ବାପାଙ୍କୁ ଦିଆଯାଇଥିବା ଅପମାନର ଜବାବ୍ ଦେଲେ

0
WhatsApp Image 2026-03-16 at 8.01.37 PM

 

ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନରେ ଏଥର ରୋଚକ ଘଟଣା ଦେଖିବାକୁ ମିଳିଛି। ଦୀର୍ଘ ବର୍ଷର ବ୍ୟବଧାନ ପରେ ଏକାଥରକେ ୪ଟି ଆସନ ପାଇଁ ମତଦାନ ହୋଇଥିବାରୁ ଓଡ଼ିଶାର ରାଜନୈତିକ ଦଳଗୁଡ଼ିକ ବେଶ୍‌ ସକ୍ରିୟ ଥିଲେ। ରାଜ୍ୟସଭାରେ ନିଜର ସଦସ୍ୟ ସଂଖ୍ୟା ବଢ଼ାଇବା ପାଇଁ ଉଦ୍ୟମ କରିଥିଲେ। ସେଥି ପାଇଁ ସ୍ବତନ୍ତ୍ର ରଣନୀତି ମଧ୍ୟ କରିଥିଲେ। କିନ୍ତୁ କିଛି ରାଜନୈତିକ ଦଳର ବିଧାୟକମାନେ କ୍ରସ ଭୋଟିଂ କରିବାକୁ ପଡ଼ିଥିଲା। ବିଶେଷ ଭାବରେ କିଛି ବିଧାୟକମାନେ ତାଙ୍କର ବାପାଙ୍କୁ ଅତୀତରେ ଦିଆଯାଇଥିବା ଅପମାନକୁ ଭୁଲି ପାରି ନାହାନ୍ତି। ଏହି ତାଲିକାରେ ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ପୁଅ ଦେବୀ ରଂଜନ ତ୍ରିପାଠୀ, ପ୍ରଭାତ ବିଶ୍ବାଳଙ୍କ ପୁଅ ସୌଭିକ ବିଶ୍ବାଳ, ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ଓ ‌ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିର୍ଦୋସ ଅଛନ୍ତି।

ବିଧାନସଭା ନିର୍ବାଚନ-୨୦୨୪ ତୁଳନାରେ ରାଜ୍ୟସଭା ନିର୍ବାଚନରେ ବିଜେଡିକୁ ଅଧିକ କ୍ଷତି ହୋଇଛି। ବିଜେଡି ବିଧାୟକ ଦଳୀୟ ହ୍ୱିପକୁ ଅବମାନନା କରି କ୍ରସ୍ ଭୋଟିଂ କରିଛନ୍ତି। ପାଖାପାଖି ୮ ଜଣ ବିଜେଡି ବିଧାୟକ କ୍ରସ୍ ଭୋଟିଂ କରିଥିବା ଅନୁମାନ କରାଯାଉଥିବା ବେଳେ ବାରବାଟୀ ବିଧାୟକ ସୌଭିକ ବିଶ୍ୱାଳ ଓ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ବିଜେପି ସମର୍ଥିତ ଦିଲ୍ଲୀପ ରାୟଙ୍କୁ ଭୋଟ ଦେଇଥିବା କଥା ଖୋଲାଖୋଲି କହିଛନ୍ତି। ସେହିପରି ବିଜେଡିକୁ କଂଗ୍ରେସର ସମର୍ଥନ ପାଇଁ ବିଧାୟିକା ସୋଫିଆ ଫିର୍ଦ୍ଦୋସ ମଧ୍ୟ କ୍ରସ ଭୋଟିଂ କରିଥିବା କଥା ପିସିସି ସଭାପତି ଭକ୍ତ ଚରଣ ଦାସ ଗଣମାଧ୍ୟମକୁ କହିଛନ୍ତି।

ଦେବୀ ତ୍ରିପାଠୀଙ୍କ ବାପା ତଥା ବିଜେଡିର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ କହିଛନ୍ତି କି, ନବୀନ ବାବୁ ଆଉ ଦଳ ସମ୍ଭାଳିବାକୁ ଯୋଗ୍ୟ ନାହାନ୍ତି। ତେଣୁ ଜଣେ ଅଯୋଗ୍ୟ ନେତୃତ୍ୱଙ୍କ ଅଧିନରେ କାମ କରିବା ବଦଳରେ ଦେବୀ ଯଦି ବିଜେପିକୁ ଯାଆନ୍ତି ତେବେ ତାଙ୍କର କୌଣସି ଅସୁବିଧା ନାହିଁ। ସେପଟେ ଦିଲ୍ଲୀପଙ୍କୁ ଭୋଟ ଦେଇ ଦେବୀ ପ୍ରମାଣ କରିଦେଇଛନ୍ତି ଯେ, ବିଜେପି ଠାରୁ ସେ ଆଉ ଅଧିକ ଦୂରତାରେ ନାହାଁନ୍ତି।
ବିଜୟ ମହାପାତ୍ର କହିଛନ୍ତି ଯେ, ରାଜ୍ୟସଭା ନିର୍ବାଚନରେ ମତଦାନ ନେଇ ଲୋକେ କ’ଣ କହିବେ ତାହା ଅଲଗା କଥା। କିନ୍ତୁ ଘୋଡ଼ା ବେପାର ହୋଇନାହିଁ। ତିନି ମାସ ହେଲା ଯୋଜନା କରାଯାଇଥିଲା। ବିଜେଡି ପ୍ରତି ଲୋକେ ଅସନ୍ତୋଷକୁ ପ୍ରକାଶ କରିଛନ୍ତି। ନବୀନ ବାବୁଙ୍କ ପ୍ରତି‌ ଅସନ୍ତୋଷ ବଢୁଛି। ସେ କିନ୍ତୁ ଏହା ଜାଣି ପାରୁ ନାହାନ୍ତି।

ସୂଚନାଯୋଗ୍ୟ, ଅତୀତରେ ପ୍ରଭାତ ତ୍ରିପାଠୀ ଓ ବିଜୟ ମହାପାତ୍ରଙ୍କୁ ବିଜୁ ଜନତା ଦଳ (ବିଜେଡି) ନିଲମ୍ବନ କରିଥିଲା। ପ୍ରଭାତ ବିଶ୍ବାଳଙ୍କୁ ବିଜେଡି ବହିଷ୍କାର କରିଥିଲା ବେଳେ ମହମ୍ମଦ ମୋକିମଙ୍କୁ କଂଗ୍ରେସ ନିଲମ୍ବନ କରିଛି।
ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର

Leave a Reply

Your email address will not be published. Required fields are marked *