ପ୍ରବନ୍ଧ ସକଂଳନ ‘ଓଡ଼ିଆ ସାହିତ୍ୟର ସ୍ୱରୋଦୟ’ ଉନ୍ମୋଚିତ
ଗଜପତି ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜର ସଭାଗୃହରେ ପ୍ରବନ୍ଧ ସକଂଳନ ‘ଓଡ଼ିଆ ସାହିତ୍ୟର ସ୍ୱରୋଦୟ’ ଉନ୍ମୋଚିତ ହୋଇଯାଇଛି । ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ‘ସିଦ୍ଧାନ୍ତ’ ତରଫରୁ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଙ୍କୀର କବିକେଶରୀ ନବକିଶୋର ମହାରଣା ଯୋଗଦେଇ ଅବସର ଗ୍ରହଣ କରିଥିବା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷୟିତ୍ରୀଙ୍କ ଦ୍ୱାରା ଲିଖିତ ପ୍ରବନ୍ଧ ସକଂଳନ ‘ଓଡ଼ିଆ ସାହିତ୍ୟର ସ୍ୱରୋଦୟ’ ଉନ୍ମୋଚନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଗଞ୍ଜାମ ଜିଲ୍ଲା ନରେନ୍ଦ୍ରପୁର ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ.ହୃଷିକେଶ ପଣ୍ଡା ଏବଂ ପାରଳାଖେମୁଣ୍ଡି ସ୍ଥିତ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ଓଡି଼ଆ ଭାଷା ସାହିତ୍ୟ ବିଭାଗର ମୁଖ୍ୟ ଡଃ. ବିପ୍ଲବ ରଞ୍ଜନ ପ୍ରଧାନ ଓ ସ୍ନାତକ ମହିଳା ବିଦ୍ୟାଳୟର ଅଧ୍ୟାପିକା ଡଃ କଲ୍ୟାଣୀ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଆଶାଲତା ପାଣିଗ୍ରାହୀଙ୍କ ଦ୍ୱାରା ଲିଖିତ ଏକ ପ୍ରବନ୍ଧ ସକଂଳନରେ ରାଜ୍ୟର ବିଭିନ୍ନ ପ୍ରସିଦ୍ଧ କବି,ଲେଖକ ଓ ସାହିତ୍ୟିକଙ୍କ ବିଷୟରେ ଉଲ୍ଲେଖ ରହିଛି ।

ଏହି ଅବସରରେ ବିଶିଷ୍ଠ ସାହିତ୍ୟିକ କବିକେଶରୀ ନବକିଶୋର ମହାରଣାଙ୍କୁ ‘ସିଦ୍ଧାନ୍ତ ସମ୍ମାନ-୨୦୨୬’ ପ୍ରଦାନ କରାଯାଇଥିଲା । ସିଦ୍ଧାନ୍ତ ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଉପାନ୍ତପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷା ଡଃ. ଅନ୍ନପୂର୍ଣ୍ଣା ଦେବୀ ସଭାପତିତ୍ୱ କରିଥିବା ବେଳେ ଅନ୍ୟ କର୍ମକର୍ତ୍ତା ମାନେ ପରିଚାଳନାରେ ସହଯୋଗ କରିଥିଲେ ।
ଗଜପତି ଜିଲ୍ଲା ଇପିଏ ରୁ ଦିଲ୍ଲୀପ କୁମାର ଶତପଥିଙ୍କ ରିପୋର୍ଟ
