ଶିଶୁମାନଙ୍କ ପାଇଁ ଅନଲାଇନ ସୁରକ୍ଷା ସମ୍ପର୍କିତ କର୍ମଶାଳା ଆୟୋଜିତ
ଭୁବନେଶ୍ୱର : “ଶିଶୁମାନଙ୍କ ପାଇଁ ଅନଲାଇନ ସୁରକ୍ଷା” ବିଷୟରେ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମାନଙ୍କ ପାଇଁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (OSCPCR) ଏବଂ ଚାଇଲ୍ଡଫଣ୍ଡ ଇଣ୍ଡିଆଙ୍କ ସହଯୋଗରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ OSCPCR, ଓସେପା, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଚାଇଲ୍ଡଫଣ୍ଡ ଇଣ୍ଡିଆର କର୍ମକର୍ତ୍ତାମାନଙ୍କ ସମେତ ମୋଟ ୮୦ ଜଣ ଅଂଶଗ୍ରହଣ କରିଥିଲେ ।
ଉଦଘାଟନୀ ଉତ୍ସବରେ OSCPCR ର ଅଧ୍ୟକ୍ଷା ଶ୍ରୀମତୀ ବବିତା ପାତ୍ର , ଅତିଥି ଓ ଅଂଶଗ୍ରହଣକାରୀମାନଙ୍କୁ ସ୍ୱାଗତ କରି ଅନଲାଇନ ସୁରକ୍ଷା ପଦକ୍ଷେପର ଗୁରୁତ୍ୱ ଉପରେ ଉଲ୍ଲେଖ କରିଥିଲେ । ସେ ଶିଶୁମାନଙ୍କୁ ଅନଲାଇନ ବିପଦରୁ ସୁରକ୍ଷା ଦେବାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଆୟୁକ୍ତ-ତଥା-ଶାସନ ସଚିବ ଡ଼ା. ଏନ. ତିରୁମାଲା ନାୟକ ଅନଲାଇନ ସୁରକ୍ଷା ସମ୍ବନ୍ଧରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଥିବାରୁ OSCPCR ଓ ଚାଇଲ୍ଡଫଣ୍ଡ ଇଣ୍ଡିଆଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ । ସେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଶିଶୁ ଓ ଅଭିଭାବକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ଅନଲାଇନ ଶୋଷଣରୁ ସେମାନଙ୍କୁ ସୁରକ୍ଷିତ ରଖିବାକୁ ଆହ୍ୱାନ ଦେଇଥିଲେ ।

ଓସେପାର ପ୍ରକଳ୍ପ ନିର୍ଦ୍ଦେଶିକ ଶ୍ରୀମତୀ ଅନନ୍ୟା ଦାସ ବିଦ୍ୟାଳୟ ପାଠ୍ୟକ୍ରମରେ ଅନଲାଇନ ସୁରକ୍ଷା ଶିକ୍ଷାକୁ ସମନ୍ୱିତ କରିବା ଉପରେ ପ୍ରାଧାନ୍ୟ ଦେଇଥିଲେ । ଶିଶୁମାନେ ସହଜରେ ବୁଝିବା ଓ ଆନନ୍ଦର ସହିତ ଶିଖିବା ପାଇଁ ଏହି ବିଷୟକୁ ଆକର୍ଷଣୀୟ ଓ କ୍ରୀଡ଼ାଧାରିତ ପଦ୍ଧତିରେ ଶିକ୍ଷା ପ୍ରଦାନ କରାଯିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓସେପାର ଅତିରିକ୍ତ ନିର୍ଦ୍ଦେଶିକ ଶ୍ରୀମତୀ ସଙ୍ଗୀତା ବେହେରା ଅନଲାଇନ ବିପଦରୁ ଉତ୍ପନ୍ନ ହେଉଥିବା ଅପବ୍ୟବହାରକୁ ପ୍ରତିରୋଧ କରିବା ଏବଂ ଶିଶୁମାନଙ୍କ ଅନଲାଇନ ସୁରକ୍ଷା ନିଶ୍ଚିତ କରିବା ପାଇଁ ଓସେପା ଓ OSCPCR ପରି ପ୍ରତିଷ୍ଠାନଗତ ସଂଗଠନମାନଙ୍କ ଭୂମିକା ବିଷୟରେ ମତ ପ୍ରକାଶ କରିଥିଲେ ।ଚାଇଲ୍ଡଫଣ୍ଡ ଇଣ୍ଡିଆର ପ୍ରୋଗ୍ରାମ ନିର୍ଦ୍ଦେଶିକା ଡ଼ା. ଶ୍ରବନ୍ତୀ ସେନ “ଶିଶୁମାନଙ୍କ ଅନଲାଇନ ସୁରକ୍ଷା” ବିଷୟରେ କେନ୍ଦ୍ରାପଡାରେ କରାଯାଇଥିବା ପାଇଲଟ ପ୍ରକଳ୍ପର ଫଳାଫଳ ପ୍ରସ୍ତୁତ କରିଥିଲେ । ସେ ପ୍ରକଳ୍ପର ମୁଖ୍ୟ ଅବଲୋକନଗୁଡ଼ିକୁ ଉଲ୍ଲେଖ କରି ଓଡ଼ିଶାରେ ଶିଶୁମାନଙ୍କ ଅନଲାଇନ ସୁରକ୍ଷା ବୃଦ୍ଧି ପାଇଁ ସ୍ବରାଷ୍ଟ୍ର ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ ସହିତ ବିଭିନ୍ନ ହିତାଧିକାରୀ ଓ ବିଭାଗମାନଙ୍କ ଭୂମିକା ଉପରେ ପ୍ରାଧାନ୍ୟ ଦେଇଥିଲେ । ଉଦଘାଟନୀ ଉତ୍ସବରେ ଅନ୍ୟାନ୍ୟ ଅତିଥିମାନଙ୍କ ମଧ୍ୟରେ OSCPCR ର ସଦସ୍ୟା ମନସ୍ମିତା ଖୁଣ୍ଟିଆ, ସଦସ୍ୟା କସ୍ତୁରୀ ମିଶ୍ର, ସଦସ୍ୟା ଚନ୍ଦନା ଦାସ, ଓସେପାର ଯୁଗ୍ମ ନିର୍ଦ୍ଦେଶକ ଡ଼ା. ସନ୍ତୋଷ କୁମାର ରାଉତ, ଓସେପାର ଯୁଗ୍ମ ନିର୍ଦ୍ଦେଶିକ ଶ୍ରୀମତୀ ପ୍ରାଚୀ ତନୟା ଗିରି ଏବଂ OSCPCR ର ସଚିବ ଶ୍ରୀମତୀ ସ୍ମୃତି ପ୍ରଜ୍ଞା ପ୍ରିୟଦର୍ଶିନୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ । ପରିଶେଷରେ ଚାଇଲ୍ଡଫଣ୍ଡ ଇଣ୍ଡିଆର ଉପନିର୍ଦ୍ଦେଶକ ଶ୍ରୀ ନବୀନ ଧନ୍ୟବାଦ ଜ୍ଞାପନ କରିଥିଲେ ।
