ଆସନ୍ତା ୧୭ ତାରିଖରୁ ବନ୍ଦ ହେବ ଇନ୍ଦ୍ରାବତୀ ରବି ଜଳସେଚନ।
କଳାହାଣ୍ଡି :ଚଳିତବର୍ଷ ଇନ୍ଦ୍ରାବତୀ ବହୁମୁଖୀ ଯୋଜନା ର ଜଳସେଚନ ବ୍ୟବସ୍ଥାରେ ସର୍ବାଧିକ ୭୬, ୪୩୦ହେକ୍ଟର ଜମିରେ ଜଳସେଚନର ସୁଯୋଗ ଦେଇ ଏକ ରେକର୍ଡ ସୃଷ୍ଟି କରିଥିବା ବେଳେ ଆସନ୍ତା ୧୭ ତାରିଖରୁ ରବି ଜଳସେଚନକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବ ବୋଲି ଜଣାଯାଇଛି। କେତେକ ଅଞ୍ଚଳରେ ଧାନର ସ୍ଥିତାବସ୍ଥାକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ଓ ଇନ୍ଦ୍ରାବତୀ ଜଳସଂପଦ ବିଭାଗ ମେ ୭ତାରିଖ ପରିବର୍ତ୍ତେ ୧୭ତାରିଖ ପର୍ଯ୍ୟନ୍ତ ଜଳସେଚନ ଜାରି ରହିବ ବୋଲି ସୂଚନା ମିଳିଛି । ଏହି ନିଷ୍ପତ୍ତିକୁ ତଳିଆ ଅଞ୍ଚଳର ଚାଷୀମାନେ ସ୍ଵାଗତ କରିଛନ୍ତି। ଚଳିତ ରବି ଋତୁରେ ଜଳସେଚନର ଶୁଭାରମ୍ଭ ଦିନ ଜଳଭଣ୍ଡାରର ଜଳସ୍ତର ୬୪୦.୭୧ମିଟର ଅର୍ଥାତ୍ ୮୮.୩୪ପ୍ରତିଶତ ରହିଥିଲା। ଗତବର୍ଷ ସେହି ଦିନରେ ୬୩୨.୧୬ ଅର୍ଥାତ୍ ୩୩.୮୫ପ୍ରତିଶତ ରହିଥିଲା। ଆଜିର ଦିନରେ ଗତବର୍ଷ ୬୨୭.୩୭ମିଟର ଅର୍ଥାତ୍ ୧୦.୦୩ ପ୍ରତିଶତରେ ରହି ସର୍ବନିମ୍ନ ସ୍ତରକୁ ଖସି ସାରିଥିଲା। ଚଳିତ ରବିରେ ବାମମୁଖ୍ୟ କେନାଲରେ ୩୭, ୫୦୦ହେକ୍ଟର, ଦକ୍ଷିଣ ମୁଖ୍ୟ କେନାଲରେ ୨୦,୦୭୩ ଓ ମେଗା ଉଠାଜଳସେଚନ କେନାଲରେ ୧୮,୮୫୫ହେକ୍ଟର ଜମିରେ ଜଳସେଚନ ଦିଅଯାଇଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ। ଚାଷଜମିର ଆବଶ୍ୟକତାକୁ ନଜରରେ ରଖ୍ ବାମମୁଖ୍ୟ କେନାଲରେ ଏବେ ୪୯.୭୫କ୍ୟୁମେକ୍ସ, ଦକ୍ଷିଣ ମୁଖ୍ୟ କେନାଲରେ ୧୧.୧୫ ଓ ମେଗାଲିଫ୍ଟ କେନାଲରେ ୧୫କ୍ୟୁମେକ୍ସ ଜଳସେଚନ ଉପଲବ୍ଧ କରାଯାଉଛି । ପରବର୍ତ୍ତୀ ଖରିଫ ପ୍ରସ୍ତୁତି ଓ ଚାଷୀଙ୍କ ପାଣିର ଆବଶ୍ୟକତାକୁ ଦୃଷ୍ଟିରେ ରଖୁ ଆସନ୍ତା ୧୭ତାରିଖ ରବି ଜଳସେଚନକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବ ବୋଲି ବିଭାଗ କହିଛି।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….
