କାଲଵେଲିଆ,ପୁରଲିଆ ଛଉ ଓ ମଣିପୁରୀ ନୃତ୍ୟ ରେ ହସିଲା ମହୋଦଧି
ଜାତୀୟ ଲୋକମେଳା ଓ କୃଷି ମେଳା ର ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ
ପୁରୀ: ଆମ ଦେଶର ବିବିଧ ଲୋକକଳା, ଆଦିବାସୀ ପରମ୍ପରା ଏବଂ ଗ୍ରାମୀଣ ଭାରତର ସାଂସ୍କୃତିକ ଶକ୍ତିକୁ ସୁରକ୍ଷିତ ରଖିବା ନିମନ୍ତେ ଜାତୀୟ ଉତ୍ସବର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଛନ୍ତି ସମବାୟ, ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ।
ଶ୍ରୀକ୍ଷେତ୍ର ସୂଚନା, ପୁରୀ ପକ୍ଷରୁ ଆୟୋଜିତ ୨୪ତମ ଜାତୀୟ ଲୋକମେଳା ଏବଂ ୧୭ତମ ଜାତୀୟ କୃଷିମେଳାର ଦ୍ୱିତୀୟ ସନ୍ଧ୍ୟା ଆଜି ଗୋଲ୍ଡେନ ସି ବିଚ୍ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ବଳସାମନ୍ତ ଆୟୋଜକ ଙ୍କ ର ଏହି ପ୍ରୟାସ ଏକ ପ୍ରଶଂସନୀୟ ପଦକ୍ଷେପ ଯାହା ଆମ ଦେଶର ମହାନ ଲୋକ କଳା,ଲୋକ ସଂସ୍କୃତି ଓ କୃଷକ ମାନଙ୍କୁ ଅଧିକ କ୍ରିୟାଶୀଳ କରିବ ବୋଲି କହିଥିଲେ।

ସନ୍ଧ୍ୟାର ଔପଚାରିକ ଅଧିବେଶନ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ ଓ ପ୍ରଦୀପ ପ୍ରଜ୍ୱଳନ ମାଧ୍ୟମରେ ଆରମ୍ଭ ହୋଇଥିଲା। ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରାଯାଇଥିଲା। ସ୍ୱାଗତ ଅଭିଭାଷଣ ଓ ଅତିଥି ପରିଚୟ ପ୍ରଦାନ ପରେ ଶ୍ରୀକ୍ଷେତ୍ର ସୂଚନାର ସାଧାରଣ ସମ୍ପାଦକ ଶ୍ରୀ ରାଜେଶ କୁମାର ମହାନ୍ତି ସଂସ୍ଥାର ଦୀର୍ଘଦିନର ସାଂସ୍କୃତିକ ଓ ସାମାଜିକ ଅବଦାନ ସମ୍ପର୍କରେ ମତ ରଖିଥିଲେ।
ଆଗାମୀ ରୌପ୍ୟ ଜୟନ୍ତୀ ଲୋକମେଳା ଉପଲକ୍ଷେ ଅତିଥି ମାନଙ୍କୁ ଗୁଆ ଓ ମହାପ୍ରସାଦ ନିମନ୍ତ୍ରଣ ପ୍ରଦାନ କରିଥିଲେ ମଧୁସୂଦନ ସିଂହାରୀ। ଜୟନ୍ତ କୁମାର ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଓୟୁଏଟି ର ଡିନ୍ ନିରଞ୍ଜନ ପଣ୍ଡା, ଇଂଜିନିୟର ସୌମ୍ୟରଞ୍ଜନ ଦ୍ବିବେଦୀ ଓ ମଧୁସୂଦନ ସିଂହାରୀ ଅତିଥିମାନେ ଲୋକମେଳା ଓ କୃଷିମେଳାର ଜାତୀୟ ଗୁରୁତ୍ୱ, ଆଦିବାସୀ ସଂସ୍କୃତିର ସଂରକ୍ଷଣ ଏବଂ କୃଷି ଜ୍ଞାନର ପ୍ରସାର କ୍ଷେତ୍ରରେ ଏହାର ଭୂମିକା ଉପରେ ମତବ୍ୟକ୍ତ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ପ୍ରଶାସନିକ କମିଟି ଅଧ୍ୟକ୍ଷ ଡକ୍ଟର ବଦ୍ରି ମିଶ୍ର ଅତିଥିମାନଙ୍କୁ ସ୍ବାଗତ କରିବା ସହ ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ବିଭିନ୍ନ ରାଜ୍ୟରୁ ଆସିଥିବା କଳାକାର ଦଳମାନଙ୍କୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଉପ ନିର୍ଦେଶକ ସନ୍ତୋଷ କୁମାର ସେଠୀ, ପ୍ରାକ୍ତନ ପୌରପାଳ ଗୌରହରି ପ୍ରଧାନ,ସନ୍ତୋଷ କୁମାର ମହାନ୍ତି, ଶ୍ୟାମପ୍ରକାଶ ସେନାପତି, ନାରାୟଣ ପାତ୍ର ପ୍ରମୁଖ ସମ୍ବର୍ଦ୍ଧିତ କରିଥିଲେ। ଆୟୋଜକ କମିଟିର ସଭାପତି ଜୟନ୍ତ କୁମାର ଷଡଙ୍ଗୀ ତାଙ୍କ ଅଧ୍ୟକ୍ଷୀୟ ଭାଷଣରେ ଦେଶର ବିଭିନ୍ନ ସଂସ୍କୃତିକୁ ଏକ ମଞ୍ଚରେ ଆଣିବାରେ ଲୋକମେଳାର ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ।

ପରବର୍ତ୍ତୀ ସାଂସ୍କୃତିକ କାର୍ଯ୍ୟକ୍ରମରେ ପଶ୍ଚିମବଙ୍ଗର ଛାଉ ନୃତ୍ୟ, ଝାଡ଼ଖଣ୍ଡର ଝୁମୁର ଓ ସାନ୍ଥାଳୀ ନୃତ୍ୟ, ଛତିଶଗଡ଼ର ଧୁମୁସା ନୃତ୍ୟ, ମଣିପୁରର ମଣିପୁରୀ ନୃତ୍ୟ, ଗୁଜୁରାଟର ଡାଣ୍ଡିଆ ଓ ଲୋକନୃତ୍ୟ, ଜମ୍ମୁ-କାଶ୍ମୀରର ଲୋକନୃତ୍ୟ, ହରିୟାଣାର ଲୋକନୃତ୍ୟ, ଆସାମର ଲୋକନୃତ୍ୟ, ରାଜସ୍ଥାନର କାଳବେଲିଆ ଓ ଘୁମର ନୃତ୍ୟ, ଗୋଆର ଫୁଗଡ଼ି ନୃତ୍ୟ, ପଞ୍ଜାବର ଭାଙ୍ଗଡ଼ା ଏବଂ ଓଡ଼ିଶାର ଓଡ଼ିଶୀ ଓ ଲୋକନୃତ୍ୟ ବିଶେଷ ଆକର୍ଷଣ ସାଜିଥିଲା। ବିଭିନ୍ନ ରାଜ୍ୟର ରଙ୍ଗବେରଙ୍ଗ ପୋଷାକ, ଲୋକବାଦ୍ୟ ଓ ପାରମ୍ପରିକ ନୃତ୍ୟଶୈଳୀ ଦର୍ଶକମାନଙ୍କୁ ଭାରତର ବିବିଧ ସାଂସ୍କୃତିକ ଐତିହ୍ୟର ପରିଚୟ ଦେଇଥିଲା। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ବିଦ୍ରୋହ କୁମାର ସିଂହ , ଭବାନୀ ସାହୁ ଓ ରୀତେଶ ମହାନ୍ତି।
ସ୍ୱତନ୍ତ୍ର ଶିଶୁ ସାଂସ୍କୃତିକ ପର୍ବରେ ଗଣେଶ ବନ୍ଦନା, ଶିଶୁ ନୃତ୍ୟ ଓ ସଙ୍ଗୀତ ପରିବେଷଣ ଉପସ୍ଥିତ ଦର୍ଶକଙ୍କ ମନ ଜିଣିଥିଲା।
ଲୋକମେଳା ଓ କୃଷିମେଳାର ଏହି ଦ୍ୱିତୀୟ ସନ୍ଧ୍ୟା ଭାରତର ଏକତା, ବିବିଧତା ଏବଂ ଜନଜାତି ଓ ଲୋକ ସଂସ୍କୃତିର ସମୃଦ୍ଧ ପରମ୍ପରାର ଏକ ଜୀବନ୍ତ ଚିତ୍ର ପ୍ରଦର୍ଶନ କରିଥିଲା। ଆଗାମୀ ଦିନଗୁଡ଼ିକରେ ମଧ୍ୟ ବିଭିନ୍ନ ରାଜ୍ୟର କଳାକାର, ହସ୍ତଶିଳ୍ପୀ ଓ କୃଷି ଅନୁଷ୍ଠାନମାନଙ୍କ ଅଂଶଗ୍ରହଣରେ ମେଳା ଅଧିକ ଆକର୍ଷଣୀୟ ହେବ ବୋଲି ଆୟୋଜକମାନେ ପ୍ରକାଶ କରିଛନ୍ତି।
