ଗଣିଆ ରଥଯାତ୍ରା ପାଇଁ ନୂତନ ରଥ ନିର୍ମିତ
ଗଣିଆ: (ଇପିଏ) ଜୁଲାଇ ୧୬ ତାରିଖରେ ରଥଯାତ୍ରା ଅନୁଷ୍ଠିତ ହେବ । ଏଥିପାଇଁ ଚଳଚଞ୍ଚଳ ହୋଇପଡିଛି ଗଣିଆରେ ଥିବା ରଥଖଳା । କାହିଁ କେଉଁ କାଳରୁ ଏଠାରେ ରଥଯାତ୍ରା ଅନୁଷ୍ଠିତ ହେଉଛି । ଗ୍ରାମବାସୀ ଏବଂ ସ୍ଥାନୀୟ ନେତାମାନଙ୍କ ସହଯୋଗରେ ଗଣିଆରେ ଥିବା ଜଗନ୍ନାଥ ମନ୍ଦିରର କାରୁକାର୍ଯ୍ୟ ଅତ୍ୟନ୍ତ ମନୋମୁଗ୍ଧକର ହୋଇଛି । ଦୀର୍ଘ ବର୍ଷ ପରେ ଚଳିତ ବର୍ଷ ଗଣିଆରେ ଏକ ନୂତନ ରଥ ନିର୍ମାଣ କରାଯାଇଛି । ପୂର୍ବ ରଥ ଅପେକ୍ଷା ଏହି ରଥଟିର ସାଜସଜ୍ଜା ଅତ୍ୟନ୍ତ ଆକର୍ଷଣୀୟ ହୋଇଛି । ମନ୍ଦିର ପରିଚାଳନା କମିଟି ତରଫରୁ ଅଞ୍ଚଳର ବିଭିନ୍ନ ସ୍ଥାନରୁ ଦାତା ମାନଙ୍କ ଠାରୁ ରଥକାଠ ସଂଗ୍ରହ କରାଯାଇ ଏହି ନୂତନ ରଥ ନିର୍ମାଣ କରାଯାଇଥିବା ଜଗନ୍ନାଥ ମନ୍ଦିରର ଟ୍ରଷ୍ଟି ଅକ୍ଷୟ କୁମାର ସାହୁ ପ୍ରକାଶ କରିଛନ୍ତି । ପିପିଲିରୁ ଚାନ୍ଦୁଆ କାରିଗର ମାନେ ଆସି ରଥ ପାଇଁ ଚାନ୍ଦୁଆ ପ୍ରସ୍ତୁତ କରୁଛନ୍ତି । ରଥ ନିର୍ମାଣ କରୁଥିବା ମହାରଣା ମାନେ ଅକ୍ଷୟ ତୃତୀୟା ଠାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ଗ୍ରାମବାସୀ ମାନେ ଖୋଳ କୀର୍ତ୍ତନ କରି ରଥକାଠ ପୂଜାର୍ଚ୍ଚନା କରି ମନ୍ଦିର ପରିସରକୁ ଆଣିବା ପରେ ରଥ ନିର୍ମାଣ ଆରମ୍ଭ ହୋଇଥିବା ଜଣାପଡିଛି ।
ବ୍ରଜକିଶୋର ସାହୁ, ଗଣିଆ ନୟାଗଡ
