July 9, 2026
Home » ହୋମିଓପାଥିକ ମେଡିକାଲ କଲେଜରେ ଅବସରପ୍ରାପ୍ତଙ୍କୁ ନିଯୁକ୍ତି ମସୁଧା, ହାଇକୋର୍ଟଙ୍କ ଜବାବ ତଲବ

ହୋମିଓପାଥିକ ମେଡିକାଲ କଲେଜରେ ଅବସରପ୍ରାପ୍ତଙ୍କୁ ନିଯୁକ୍ତି ମସୁଧା, ହାଇକୋର୍ଟଙ୍କ ଜବାବ ତଲବ

0
WhatsApp Image 2026-07-09 at 9.22.23 AM

 

କଟକ:ରାଜ୍ୟର ସରକାରୀ ହୋମିଓପାଥିକ ମେଡିକାଲ କଲେଜରେ ପ୍ରଫେସର, ପ୍ରାଧ୍ୟାପକ, ଅଧ୍ୟାପକ ପଦ ପୂରଣ ପାଇଁ ଅବସରପ୍ରାପ୍ତ ବ୍ୟକ୍ତିଙ୍କୁ ସୁଯୋଗ ଦିଆଯିବା ଓ ଯୁବ ବର୍ଗଙ୍କୁ ଏପରି ନିଯୁକ୍ତି ପ୍ରକ୍ରିୟାରୁ ବଞ୍ଚିତ କରାଯିବା ଘଟଣାକୁ ନେଇ ଦାୟର ମାମଲାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି।

ମାମଲାରେ ରାଜ୍ୟ ସରକାରଙ୍କ ନିକଟରୁ ହାଇକୋର୍ଟ ଜବାବ ତଲବ କରିଛନ୍ତି। ୨୦୨୬, ଜୁନ ୧୮ର ବିଜ୍ଞପ୍ତି ଆଧାରରେ ଯଦି କୌଣସି ନିଯୁକ୍ତି ପ୍ରଦାନ କରାଯାଏ ତେବେ ତାହା ମାମଲାର ଚୂଡାନ୍ତ ଫଳାଫଳ ଉପରେ ନିର୍ଭର କରିବ ବୋଲି ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଡାକ୍ତର ଭାରତୀ ତ୍ରିପାଠୀ ଓ ଅନ୍ୟ ୭ଜଣଙ୍କ ତରଫରୁ ଦାୟର ଆବେଦନର ଶୁଣାଣି କରି ଏପରି ନି‌ର୍ଦ୍ଦେଶ ପ୍ରଦାନ କରିଛନ୍ତି। ଜୁଲାଇ ଶେଷ ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ମାମଲାର ବିବରଣୀରୁ ପ୍ରକାଶ ଯେ ଆୟୁଷ ନିର୍ଦ୍ଦେଶାଳୟ ପକ୍ଷରୁ ରାଜ୍ୟର ସରକାରୀ ହୋମିଓପାଥିକ ମେଡିକାଲ କଲେଜ ଗୁଡ଼ିକରେ ପ୍ରଫେସର, ପ୍ରାଧ୍ୟାପକ ଓ ଅଧ୍ୟାପକ ପଦ ଚୁକ୍ତିଭିତ୍ତିକ ନିଯୁକ୍ତି ମାଧ୍ୟମରେ ପୂରଣ ପାଇଁ ଜୁନ ୧୮ରେ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ବିଭିନ୍ନ ବିଭାଗରେ ୧୯ଟି ପ୍ରଫେସର, ୪୫ଟି ପ୍ରାଧ୍ୟାପକ ଓ ୧୬ଟି ଅଧ୍ୟାପକ ପଦ ପୂରଣ ହେବ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଥିଲା। ଏହି ସବୁ ପଦରେ ଅବସରପ୍ରାପ୍ତ ବ୍ୟକ୍ତିବିଶେଷଙ୍କୁ ନିଯୁକ୍ତି ପାଇଁ ସୁଯୋଗ ଦିଆଯାଇଥିଲା। ପ୍ରାର୍ଥୀଙ୍କ ସର୍ବାଧିକ ବୟସ ସୀମା ୬୪ ବର୍ଷ ଧାର୍ଯ୍ୟ କରାଯାଇଥିଲା। ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା ହାସଲ କରିଥିବା ଯୁବ ବର୍ଗଙ୍କୁ ସୁଯୋଗ ନ ଦେଇ ଅବସରପ୍ରାପ୍ତଙ୍କ ମାଧ୍ୟମରେ ଏହି ସବୁ ପଦ ପୂରଣ ପାଇଁ ପଦକ୍ଷେପ ନିଆଯିବା ଗ୍ରହଣୀୟ ନୁହେଁ ଦର୍ଶାଇ ହାଇକୋର୍ଟରେ ଏହି ମାମଲା ଦାୟର ହୋଇଥିଲା।

ମାମଲାର ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ ତରଫରୁ ଦର୍ଶାଯାଇଥିଲା ଯେ ସରକାରୀ ହୋମିଓପାଥିକ ମେଡିକାଲ କଲେଜରେ ଶିକ୍ଷକ ନିଯୁକ୍ତି ସଂପର୍କିତ ନିୟମାବଳୀ ଏ ପର୍ଯ୍ୟନ୍ତ ଚୂଡାନ୍ତ ହୋଇ ନାହିଁ। ତେଣୁ ସରକାର ଏହି ସବୁ ପଦରେ ନିୟମିତ ନିଯୁକ୍ତି ପ୍ରଦାନ ପାଇଁ ନିଷ୍ପତ୍ତି ନେଇ ନାହାନ୍ତି। ନିୟମାବଳୀ ଚୂଡାନ୍ତ ପାଇଁ ତ୍ବରିତ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ସରକାରଙ୍କ ତରଫରୁ ଅବଗତ କରାଯାଇଥିଲା। ନିୟମାବଳୀ ଚୂଡାନ୍ତ କରିବା ସହିତ ଏହି ସବୁ ପଦରେ ନିୟମିତ ନିଯୁକ୍ତି ପ୍ରଦାନ ପାଇଁ କେତେ ସମୟ ଆବଶ୍ୟକ ସେ ନେଇ ସ୍ପଷ୍ଟ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ କହିଥିଲେ। ଏହି ପ୍ରସଂଗରେ ପକ୍ଷ ରଖିବାକୁ ରାଜ୍ୟ ସରକାର ଅଧିକ ସମୟ ଲୋଡ଼ିଥିବା ବେଳେ ହାଇକୋର୍ଟ ଦୁଇ ସପ୍ତାହ ମହଲତ ପ୍ରଦାନ କରିଛନ୍ତି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ତ୍ରିଲୋଚନ ଦାଶ ମାମଲା ପରିଚାଳନା କରୁଛନ୍ତି।
ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର

Leave a Reply

Your email address will not be published. Required fields are marked *