ଗଛ ମୂଳେ ପଡିଛନ୍ତି ଉତ୍କଳମଣି
ଦୁଇ ବର୍ଷ ହେଲା ଅବହେଳିତ ଅବସ୍ଥାରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ତୁରନ୍ତ ପୁନଃ ପ୍ରତିଷ୍ଠା ଦାବି
ବ୍ରହ୍ମପୁର: ବ୍ରହ୍ମପୁର ପ୍ରେମ ନଗର ରାସ୍ତା ସମ୍ପ୍ରସାରଣ ସମୟରେ ଉଠାଯାଇଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ଦୀର୍ଘ ଦୁଇ ବର୍ଷ ହେଲା ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟ ପରିସରରେ ଏକ ଗଛ ମୂଳେ ଅବହେଳିତ ଓ ଅରକ୍ଷିତ ଅବସ୍ଥାରେ ପଡି ରହିଛି l ଏନେଇ ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ରାସ୍ତା କାମ ସରିବାର ଦୀର୍ଘ ମାସ ବିତିଯାଇଥିଲେ ମଧ୍ୟ ପ୍ରଶାସନ ଏହି ମହାନ ସମାଜ ସେବୀ ଓ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତିକୁ ପୁନଃ ସ୍ଥାପନ କରିବା ଦିଗରେ କୌଣସି ପଦକ୍ଷେପ ନେଇନାହିଁ। ବର୍ଷା, ଖରା ଓ ଧୂଳିରେ ପ୍ରତିମୂର୍ତ୍ତିର କ୍ଷୟକ୍ଷତି ହେବାର ଆଶଙ୍କା ରହିଛି। ଓଡ଼ିଶାର ଆଦର୍ଶ ବ୍ୟକ୍ତିତ୍ୱ ତଥା ମହାମନିଷୀଙ୍କ ପ୍ରତି ପ୍ରଶାସନର ଏପରି ଅବହେଳାକୁ ନେଇ ସହରବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ଆଜି ମଞ୍ଚର ଏକ ପ୍ରତିନିଧି ଦଳ ବ୍ରହ୍ମପୁର ମହାନଗର ନିଗମ କମିଶନରଙ୍କୁ ସାକ୍ଷାତ କରି ଏ ସମ୍ପର୍କରେ ଏକ ଦାବିପତ୍ର ପ୍ରଦାନ କରିଛି l ତୁରନ୍ତ ପ୍ରତିମୂର୍ତ୍ତିକୁ ପୁନରୁଦ୍ଧାର କରି ପ୍ରେମ ନଗର ଛକରେ କିମ୍ବା ସହରର ଅନ୍ୟ କୌଣସି ସମ୍ମାନଜନକ ସ୍ଥାନରେ ପୁନଃ ପ୍ରତିଷ୍ଠା କରାଯାଉ, ପ୍ରତିମୂର୍ତ୍ତି ଚାରିପାଖରେ ସୁନ୍ଦରୀକରଣ ସହ ଆଲୋକୀକରଣ ଓ ଛୋଟିଆ ପାର୍କ ନିର୍ମାଣ କରାଯାଉ ଆଦି ଦୁଇଗୋଟି ଦାବି ନେଇ ସ୍ମାରକ ପତ୍ର ପ୍ରଦାନ କରାଯାଇଛି l ପ୍ରତିନିଧି ଦଳରେ ଆଇନଜୀବି ଅବନୀ ଗୟା, ମଞ୍ଚ ସମ୍ପାଦକ ଆର୍. ସତ୍ୟ ନାରାୟଣ ରାଓ, ଆପ୍ ର ଆଦିତ୍ୟ ନାରାୟଣ ରଥ, ସମାଜସେବୀ ମନୋଜ କୁମାର ତରାଇ, ଶିକ୍ଷକ ସଙ୍ଗଠନ ନେତା ଅଶୋକ କୁମାର ଦଳାଇ ଦାବିପତ୍ର ପ୍ରଦାନ କରିଥିବାବେଳେ କମିଶନର ଆକାଭରମ୍ ଶସ୍ୟl ରେଡ୍ଡୀ ଶୀଘ୍ର ଏ ବିଷୟରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଆଶ୍ୱାସନା ଦେଇଛନ୍ତି।
