July 15, 2026
Home » ହେଉନି ମରାମତି, କାଦୁଅ ରାସ୍ତାରେ ବଡ଼ ବଡ଼ ଖାତ

ହେଉନି ମରାମତି, କାଦୁଅ ରାସ୍ତାରେ ବଡ଼ ବଡ଼ ଖାତ

0
WhatsApp Image 2026-07-15 at 3.36.47 PM

ମରଣଯନ୍ତା ପାଲଟିଛି ଲଇଡାପଦା ସର୍ଭିସ୍ ରୋଡ଼; ଡିଏମଏଫ୍ ପାଣ୍ଠି ଥିଲେ ବି ଖଣି ଅଞ୍ଚଳ ଉପେକ୍ଷିତ
ବଡ଼ବିଲ : କେନ୍ଦୁଝର ଜିଲ୍ଲାର ଭଦ୍ରାସାହି–ଗୁଆଲି ଦେଇ ଯାଇଥିବା ଜାତୀୟ ରାଜପଥ-୨୦ର ଲଇଡାପଦା ଛକ ନିକଟସ୍ଥ ସର୍ଭିସ୍ ରୋଡ଼ର ଅବସ୍ଥା ଏବେ ଅତ୍ୟନ୍ତ ଶୋଚନୀୟ। ଦୀର୍ଘଦିନ ଧରି ମରାମତି ଅଭାବରୁ ରାସ୍ତାଟି କାଦୁଅ ଓ ବଡ଼ ବଡ଼ ଗର୍ତ୍ତରେ ପରିଣତ ହୋଇଥିବା ବେଳେ ଏହା ସାଧାରଣ ଲୋକଙ୍କ ପାଇଁ ଏକ ମରଣଯନ୍ତା ସାଜିଛି।ବର୍ଷା ଦିନରେ ରାସ୍ତାର ଅବସ୍ଥା ଆହୁରି ଭୟାବହ ହୋଇପଡ଼ିଛି। ବିରାଟ ବିରାଟ ଖାତରେ ପାଣି ଓ ପଙ୍କ ଭରି ରହୁଥିବାରୁ ଦୁଇଚକିଆ ଠାରୁ ଆରମ୍ଭ କରି ଚାରିଚକିଆ ଯାନବାହନ ଚଳାଚଳ କରିବା ଅତ୍ୟନ୍ତ ବିପଦପୂର୍ଣ୍ଣ ହୋଇପଡ଼ିଛି। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ପ୍ରତିଦିନ ଏହି ରାସ୍ତାରେ ଛୋଟବଡ଼ ଦୁର୍ଘଟଣା ଘଟୁଛି।ନିକଟରେ ଏକ ମାହିନ୍ଦ୍ରା ବୋଲେରୋ ଗାଡ଼ି ରାସ୍ତାର ଗଭୀର ଗର୍ତ୍ତରେ ଫସି ଦୀର୍ଘ ସମୟ ଧରି ଅଟକି ରହିଥିଲା।

ଏହି ଘଟଣା ରାସ୍ତାର ଦୟନୀୟ ଚିତ୍ରକୁ ସ୍ପଷ୍ଟ କରୁଛି। ପଦଯାତ୍ରୀଙ୍କ ପାଇଁ ମଧ୍ୟ ଏହି ରାସ୍ତା ଦେଇ ଚାଲିବା ଏବେ ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି।ଆଶ୍ଚର୍ଯ୍ୟର ବିଷୟ ହେଉଛି, ଖଣି ସମୃଦ୍ଧ କେନ୍ଦୁଝର ଜିଲ୍ଲାରେ ଜିଲ୍ଲା ମିନେରାଲ୍ ଫାଉଣ୍ଡେସନ୍ (ଡିଏମଏଫ୍) ପାଣ୍ଠିରେ କୋଟି କୋଟି ଟଙ୍କା ଉପଲବ୍ଧ ଥିବା ସତ୍ତ୍ୱେ ମଧ୍ୟ ଏହି ଗୁରୁତ୍ୱପୂର୍ଣ୍ଣ ସର୍ଭିସ୍ ରୋଡ଼ର ମରାମତି ପ୍ରତି ପ୍ରଶାସନର ଦୃଷ୍ଟି ପଡ଼ୁନାହିଁ। ସରକାରଙ୍କ ବିଭିନ୍ନ ଉନ୍ନୟନ ଯୋଜନା ଥିଲେ ମଧ୍ୟ ସ୍ଥାନୀୟ ଲୋକଙ୍କ ମୌଳିକ ସମସ୍ୟାର ସମାଧାନ ହୋଇପାରୁ ନାହିଁ।ଅନ୍ୟପଟେ, ଏହି ସର୍ଭିସ୍ ରୋଡ଼ ଉପରେ ପ୍ରତିଦିନ ଶହ ଶହ ଖଣିଜ ସାମଗ୍ରୀ ପରିବହନକାରୀ ଭାରୀ ଯାନ ଚଳାଚଳ କରୁଥିବା ବେଳେ ଅଞ୍ଚଳର ବିଭିନ୍ନ ଖଣି କମ୍ପାନୀ ମଧ୍ୟ ଏହି ରାସ୍ତା ଉପରେ ନିର୍ଭରଶୀଳ। କୋଟି କୋଟି ଟଙ୍କାର ବ୍ୟବସାୟ କରୁଥିବା ସତ୍ତ୍ୱେ ରାସ୍ତାର ଉନ୍ନତି ପାଇଁ ସେମାନଙ୍କର କୌଣସି ସହଯୋଗ କିମ୍ବା ଆଗ୍ରହ ଦେଖିବାକୁ ମିଳୁନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଚାଲିଛି।ପ୍ରଶାସନ ଓ ଖଣି କମ୍ପାନୀଗୁଡ଼ିକର ଏଭଳି ଉଦାସୀନ ମନୋଭାବକୁ ସ୍ଥାନୀୟ ବାସିନ୍ଦା ତୀବ୍ର ନିନ୍ଦା କରିଛନ୍ତି। ସେମାନଙ୍କ ଦାବି, ଯଦି ଅତିଶୀଘ୍ର ଲଇଡାପଦା ସର୍ଭିସ୍ ରୋଡ଼ର ସ୍ଥାୟୀ ମରାମତି କାର୍ଯ୍ୟ ଆରମ୍ଭ ନ କରାଯାଏ, ତେବେ ସେମାନେ ରାଜରାସ୍ତାକୁ ଓହ୍ଲାଇ ବ୍ୟାପକ ଗଣଆନ୍ଦୋଳନ କରିବାକୁ ବାଧ୍ୟ ହେବେ।

କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ଡିମ୍ପଲ ସାଣ୍ଡିଲ ଙ୍କ ରିପୋର୍ଟ ଇପିଏ ନିଉଜ ।

Leave a Reply

Your email address will not be published. Required fields are marked *