ନଗରପାଳଙ୍କ ୩ ମହଲା କୋଠା ନିର୍ମାଣକୁ ନେଇ ନିର୍ବାହୀ ଅଧିକାରୀ ଚୁପ୍ କାହିଁକି ?
ନୟାଗଡ ( ଇପିଏ ) ନୟାଗଡ ମୁନିସିପାଲିଟିର ନଗରପାଳ ନିରୂପମା ଖଟେଇ ନିଜ କ୍ଷମତାର ଅପବ୍ୟବହାର କରି ସରକାରୀ ଜାଗାରେ ୩ ମହଲା କୋଠା ନିର୍ମାଣ କରିବା ଘଟଣା ଯେତିକି ସମ୍ବେଦନଶୀଳ ସେତିକି ନୟାଗଡ ମୁନିସିପାଲିଟିର କାର୍ଯ୍ୟ ଆହୁରି ସନ୍ଦେହଜନକ । ନଗରପାଳ ୪ ବର୍ଷର କ୍ଷମତା ଭିତରେ ନିଜର କ୍ଷମତାକୁ ଅପବ୍ୟବହାର କରିବା ଏବଂ ତତ୍କାଳୀନ ଓ ବର୍ତ୍ତମାନର ନିର୍ବାହୀ ଅଧିକାରୀ ଚୂପ ରହିବା ଘଟଣା ନୟାଗଡବାସୀଙ୍କୁ ସ୍ତବ୍ଧ କରିଛି । ୫ ଡେସିମିଲି ପରିିମିତ ଜାଗାରେ ନଗରପାଳଙ୍କ ସ୍ୱାମୀ ଶ୍ରୀକାନ୍ତ ଖଟେଇ କୋଠା ନିର୍ମାଣ କରିଥିବାବେଳେ ତାହା ପାଶ୍ୱର୍ରେ ନଗର ଉନ୍ନୟନ ବିଭାଗ ଅଧିନରେ ଥିବା ନବୀନ କଲ୍ୟାଣ ମଣ୍ଡପର ୬୩ ଡେସିମିଲିରୁ ୩ ଡେସିମିଲି ଜବରଦଖଲ କରି କୋଠା ନିର୍ମାଣ କରି କୋଠାରେ ନଗରପାଳ ରହୁଥିବାବେଳେ ମୁନିସିପାଲିଟି କେମିତି ଦେଖାଗଲା ନାହିଁ ସେହି କାର୍ଯ୍ୟକୁ ସମସ୍ତେ ଏବେ ନିନ୍ଦା କରିଛନ୍ତି । ଯେଉଁଠି ନୟାଗଡ ମୁନିସିପାଲିଟି ସାଧାରଣ ଗରିବ ଲୋକର ଏବଂ ବୁଲା ବିକାଳିଙ୍କର ଦୋକାନ ଘର ଭାଙ୍ଗୁଛି, ବିନା ହୋଲଡିଂରେ ଯଦି କେହି ଘର କରିଛି ତାକୁ ନୋଟିସ ଦେଇ ଜୋରିମାନା କରୁଛନ୍ତି । ବିନା ଆପ୍ରୁଭାଲରେ ଯେ ଘର ନିର୍ମାଣ କରିଛନ୍ତି ମୁନିସିପାଲିଟି କେମିତି ଚୁପ ରହିଲା ତାକୁ ନେଇ ଏବେ ପ୍ରଶ୍ନ ଉଠିଛି । ବର୍ତ୍ତମାନ ସେହି ଜାଗାକୁ ନେଇ ମଧ୍ୟ ଆହୁରି ଅନେକ ସନ୍ଦେହ ସୃଷ୍ଟି ହୋଇଛି । ଶ୍ରୀକାନ୍ତ କୁମାର ଖଟେଇ ତହସିଲଦାର କୋର୍ଟରେ ହାଜର ହୋଇ ପକ୍ଷ ରଖିଛନ୍ତି ଯେ, ସେହି ଜାଗା ଦେବୋତ୍ତର ଜାଗା । କିନ୍ତୁ ଏହା ଦେବୋତ୍ତର ଜାଗାର କୌଣସି ଅଂଶ ବିଶେଷ ନାହିଁ । ଦେବୋତ୍ତର ବିଭାଗ ପ୍ରତ୍ୟେକ ମାସରେ ୧୩୪ ନଂ. ପ୍ଲଟରେ ୧ ଡେସିମିଲି ଜାଗା ଗୋପୀନାଥଜୀଉଙ୍କ ବୋଲି ଦର୍ଶାଇଥିବାବେଳେ ୧୩୪ ନଂ. ପ୍ଲଟ ଜଗନ୍ନାଥ ମହାପ୍ରଭୁଙ୍କ ଜମି ରହିଛି ବୋଲି ରେକର୍ଡ ଅଛି । କିନ୍ତୁ ଗୋପୀନାଥଜୀଉଙ୍କ ଜମି କେଉଁଠୁ ଆସିଲା ତାକୁ ନେଇ ସନ୍ଦେହ ଦେଖାଦେଇଛି । ଦେବୋତ୍ତର ବିଭାଗ ଗୋପୀନାଥ ଜୀଉଙ୍କ ନାମରେ ଟିକସ କାଟୁଛି । ଏପଟେ ନଗର ଉନ୍ନୟନ ବିଭାଗ ଅଧୀନରେ ଏହି ଜମି ଥିବାବେଳେ ଏହା ମୁନିସିପାଲିଟିର । ନଗରପାଳ ଦଖଲ କରି ଏଠାରେ କୋଠା କରିଛନ୍ତି । ନିଜ ବିଭାଗକୁ ସୁରକ୍ଷା ଦେବା ବେଳେ ସେହି ବିଭାଗର ସମ୍ପତ୍ତିକୁ ଜବରଦଖଲ କରି କୋଠା ନିର୍ମାଣ କରିବା କେତେଦୂର ଯୁକ୍ତିଯୁକ୍ତ ତାକୁ ନେଇ ପ୍ରଶ୍ନ ହୋଇଛି । ଏଭଳି ସ୍ଥଳରେ ମୁନିସିପାଲିଟି ଆକ୍ଟ ଅନୁସାରେ ମୁନିସିପାଲିଟି କର୍ତ୍ତୃପକ୍ଷ ଯେକୌଣସି ଜବରଦଖଲକାରୀଙ୍କୁ ନୋଟିସ ଦେବା କଥା । ୨୪ ଘଣ୍ଟା ଭିତରେ ଜବରଦଖଲକାରୀଙ୍କ ଠାରୁ ଜମି ଉଚ୍ଛେଦ କରିବା କଥା । କିନ୍ତୁ ଗୋଟିଏ ବର୍ଷ ବିତିଲାଣି ନଗରପାଳ ଦଖଲ କରିଥିଲେ ବି ମୁନିସିପାଲିଟି ନିର୍ବାହୀ ଅଧିକାରୀ କିମ୍ବା ତାଙ୍କ ୱାର୍ଡ ଅଫିସର ନିଜ ବିଭାଗର ଜମିକୁ ଦଖଲମୁକ୍ତ କରିନାହାନ୍ତି । ଏଭଳି ଅବ୍ୟବସ୍ଥା ଭିତରେ ମୁନିସିପାଲିଟି ତହସିଲଦାରଙ୍କ ଉପରେ ଦୋଷ ଲଦିଦେଇ ଖସିଯିବାକୁ ଉଦ୍ୟମ କରୁଥିବା ପଦାକୁ ଆସିଛି । ଏନେଇ ବରିଷ୍ଠ ନାଗରିକ ପ୍ରମୋଦ ପଟ୍ଟନାୟକ ଆଜି ଏହି ମର୍ମରେ ନୟାଗଡ ମୁନିସିପାଲିଟି ନିର୍ବାହୀ ଅଧିକାରୀଙ୍କୁ ଏକ ଚରମ ପତ୍ର ଦେଇଛନ୍ତି । ଏହି ଚରମ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ଆରଡିସି, ନଗର ଉନ୍ନୟନ ବିଭାଗ ସଚିବ, ନୟାଗଡ ଜିଲ୍ଲାପାଳ ଏବଂ ସମସ୍ତ ଗଣମାଧ୍ୟମକୁ ପ୍ରଦାନ କରିଛନ୍ତି । ମୁନିସିପାଲିଟିର ଜମି, ମୁନିସିପାଲିଟିର ନଗରପାଳଙ୍କ ଭିତରେ ଏଭଳି ମଧୁଚନ୍ଦ୍ରିକାକୁ ନେଇ ବରିଷ୍ଠ ନାଗରିକ ଶ୍ରୀ ପଟ୍ଟନାୟକ ଉଦବେଗ ପ୍ରକାଶ କରିବା ସହିତ ନିର୍ବାହୀ ଅଧିକାରୀ ଯଦି କାର୍ଯ୍ୟାନୁଷ୍ଠାନ ନକରନ୍ତି ତାହାହେଲେ ଅନଶନ କରିବେ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି । ତେଣୁ ମୁନିସିପାଲିଟି ନିର୍ବାହୀ ଅଧିକାରୀ କେମିତି କାଲ ଜଡା ହୋଇ କାର୍ଯ୍ୟ କରୁଛନ୍ତି, ମୁନିସିପାଲିଟ ଅଧୀନରେ ଥିବା ଗରିବ ନିରୀହଙ୍କୁ ହିନସ୍ତା କରୁଥିବାବେଳେ, ନଗରପାଳଙ୍କୁ କିପରି ସୁରକ୍ଷା ଦେଉଛନ୍ତି ଓ ଚୁପ୍ କାହିଁକି ବସିଛନ୍ତି ସବୁଆଡେ ଚର୍ଚ୍ଚା ଚାଲିଛି ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
