କଳାହାଣ୍ଡି ଜିଲ୍ଲାରେ ଲଗାଣ ବର୍ଷା ୬୩୧.୮୨ ମିଟରରେ ପହଞ୍ଚିଲା ଇନ୍ଦ୍ରାବତୀ ଜଳସ୍ତର। ୧.୨ ମିଟର ଜଳସ୍ତର ବୃଦ୍ଧି….
ଇନ୍ଦ୍ରାବତୀ ଜଳସେଚିତ ଅଞ୍ଚଳ ଚାଷୀଙ୍କ ଆଶ୍ବସ୍ତି।
ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ବିପର୍ଯ୍ୟସ୍ତ ହେବାରେ ଲାଗିଛି। ଗାଁରୁ ସହର ପର୍ଯ୍ୟନ୍ତ ବର୍ଷା ଯୋଗୁଁ ଲୋକେ ଦହଗଞ୍ଜ ହେବାରେ ଲାଗିଛନ୍ତି। ସୂଚନାଯୋଗ୍ୟ,ଜିଲ୍ଲାରେ ଗତ କାଲି ଭବାନୀପାଟଣା ସଦରବ୍ଲକରେ ୬୦ ମିମି, କେସିଙ୍ଗା ବ୍ଲକରେ ୫୨.୪ ମିମି, କର୍ଲାମୁଣ୍ଡା ବ୍ଲକରେ ୨୯ ମିମି,ମଦନପୁର ରାମପୁର ବ୍ଲକରେ ୯୬ ମିମି,ନର୍ଲା ବ୍ଲକରେ ୩୪ ମିମି, ଲାଞ୍ଜିଗଡ଼ ବ୍ଲକରେ ୨୩ ମିମି, ଥୁଆମୂଳ ରାମପୁର ବ୍ଲକରେ ୭୫ ମିମି, ଧର୍ମଗଡ଼ ବ୍ଲକରେ ୩୩.୩ ମିମି, ଜୁନାଗଡ଼ ବ୍ଲକରେ ୩୯.୬ ମିମି, କଲମପୁର ବ୍ଲକରେ ୪୯ ମିମି, ଜୟପାଟଣା ବ୍ଲକରେ ୨ ମିମି, କୋକସରା ବ୍ଳକରେ ୨୩ ମିମି, ଗୋଲାମୁଣ୍ଡା ବ୍ଲକରେ ୧୨ ମିମି ବର୍ଷା ରେକର୍ଡ କରାଯାଇଛି। ଜିଲ୍ଲାରେ ୪୦.୬୪ ମିମି ହାରାହାରି ବୃଷ୍ଟିପାତ ରେକର୍ଡ କରାଯାଇଛି। ଆଜି ସାରା ଜିଲ୍ଲାରେ ଅନବରତ ବର୍ଷା ଲାଗି ରହିଥିବାରୁ ଜନ ଜୀବନ ବ୍ୟାହତ ହୋଇଛି।ପ୍ରମୁଖ ନଦୀ ନାଳ ର ଜଳ ସ୍ତର ଆଶାତୀତ ଭାବେ ବୃଦ୍ଧି ପାଉଛି। ଲଗାତାର ବର୍ଷା ଯୋଗୁଁ ବିଭିନ୍ନ ଅଞ୍ଚଳର ତଳିଆ ଅଞ୍ଚଳରେ ପାଣି ଜମିଥିବାରୁ ଲୋକେ ହନ୍ତସନ୍ତ ହେଉଛନ୍ତି। ଜିଲ୍ଲାର ନାଗାବଳି, ବଂଶଧାରା, ଇନ୍ଦ୍ରାବତୀ, ହାତୀନଦୀ, ତେଲନଦୀ, ସଗଡା, ସାନ୍ଦୁଲ, ରେତ, ଉତ୍ତେଇ, ଉଦନ୍ତ ସମେତ ବିଭିନ୍ନ ନଦୀ ଓ ଝରଣାମାନଙ୍କର ଜଳସ୍ତର ବୃଦ୍ଧି ପାଇଛି। ଇନ୍ଦ୍ରାବତୀ ଜଳଭଣ୍ଡାରରେ ଜଳସ୍ତର ୬୩୧.୮୨ ମିଟରରେ ପହଞ୍ଚିଛି। ଜୁଲାଇ ୧୦ ରେ ୬୨୯.୫୬ ମିଟର ଜଳସ୍ତର ଥିବାବେଳେ ଜୁଲାଇ ୨୨ରେ ୬୩୦.୬୯ ମିଟର ଜଳସ୍ତର ରହିଥିଲା। ଏଥିଯୋଗୁଁ ଗତ ଜୁଲାଇ ୨୨ରୁ ବିଦ୍ୟୁତ ଉତ୍ପାଦନ ବନ୍ଦ ଥିବାବେଳେ କେନାଲରେ ଜଳସେଚନ ବନ୍ଦ ରହିଛି। ବର୍ଷା ଯୋଗୁଁ ଇନ୍ଦ୍ରାବତୀ ଜଳଭଣ୍ଡାରରେ ୧.୨ ମିଟର ଜଳସ୍ତର ବୃଦ୍ଧି ପାଇଛି। ଥୁଆମୂଳ ରାମପୁର, କାଶିପୁର ଓ ନବରଙ୍ଗପୁର ଅଞ୍ଚଳରେ ଅଧିକ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି।
ଜଳସ୍ତର ୬୩୨ ମିଟରରେ ପହଞ୍ଚିଲେ ପୁଣି ବିଦ୍ୟୁତ ଉତ୍ପାଦନ ଓ ଜଳସେଚନ ଆରମ୍ଭ କରାଯିବ | ଜୁଲାଇ ୩୦ ରୁ ବିଦ୍ୟୁତ ଉତ୍ପାଦନ
କରାଯିବ ବୋଲି ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି । ମଙ୍ଗଳପୁର ବ୍ୟାରେଜକୁ ୪୯୪.୯୯ କ୍ୟୁମେକ୍ସ ପାଣି ଛଡା ଯାଉଛି। ବର୍ଷା ଯୋଗୁଁ
ଇନ୍ଦ୍ରାବତୀରେ ଜଳାଭାବ ଦୂର ହେଉଥିବାରୁ ଚାଷୀଙ୍କ ମଧ୍ୟରେ ଆଶ୍ବସ୍ତି ପ୍ରକାଶ ପାଇଛି। ଇନ୍ଦ୍ରାବତୀ ସିସିଇ ଇଞ୍ଜିନିୟର ଗୋବର୍ଦ୍ଧନ ନାଏକଙ୍କୁ ପଚାରିବାରୁ ବର୍ତ୍ତମାନ ଇନ୍ଦ୍ରାବତୀ ଜଳଭଣ୍ଡାରରେ ୧.୨ ମିଟର ଜଳସ୍ତର ବୃଦ୍ଧି ପାଇଁ ୬୩୧.୮୨ ମିଟରରେ ପହଞ୍ଚିଛି। ଆସନ୍ତା ୨ଦିନ ଯଦି ବର୍ଷା ବନ୍ଦ ରହିବ ତେବେ ଜୁଲାଇ ୩୦ରୁ ଜଳସେଚନ ଆରମ୍ଭ ହେବ ବୋଲି କହିଥିଲେ।
ବିଦ୍ୟାଧର ସାହୁଙ୍କ ରିପୋର୍ଟ…
