ଓଡ଼ିଶା ମାନବାଧିକାର ଆୟୋଗର ସଦସ୍ୟ ଭାବେ ଦାୟିତ୍ୱ ଗ୍ରହଣ କଲେ ଶ୍ରୀ ବିରଜା ଶଙ୍କର ମିଶ୍ର
ଭୁବନେଶ୍ୱର: ଶ୍ରୀ ବିରଜା ଶଙ୍କର ମିଶ୍ର ଆଜି ଓଡ଼ିଶା ମାନବାଧିକାର ଆୟୋଗର ସଦସ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଜି ତୋଷାଳି ଭବନସ୍ଥିତ ମାନବାଧିକାର ଆୟୋଗଙ୍କ କାର୍ଯ୍ୟାଳୟରେ ମାନ୍ୟବର ଅଧ୍ୟକ୍ଷ ଜଷ୍ଟିସ୍ ଶ୍ରୀ ଶତ୍ରୁଘ୍ନ ପୂଜାହାରୀ ଏବଂ ମାନ୍ୟବର ସଦସ୍ୟ ଶ୍ରୀ ଚିତ୍ତରଞ୍ଜନ ମହାପାତ୍ର ଶ୍ରୀ ମିଶ୍ରଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଆୟୋଗଙ୍କ କାର୍ଯ୍ୟାଳୟର ଅନ୍ୟ ଅଧିକାରୀମାନେ ମଧ୍ୟ ମାନ୍ୟବର ସଦସ୍ୟ ଶ୍ରୀ ମିଶ୍ରଙ୍କୁ ସ୍ୱାଗତ ଜଣାଇଥିଲେ । ସୂଚନାଯୋଗ୍ୟ ଯେ କେନ୍ଦୁଝର ଜିଲ୍ଲାର ଜଣାଶୁଣା ଅଧିବକ୍ତା ଶ୍ରୀ ମିଶ୍ର ୧୯୯୩ ମସିହାରେ ଓଡ଼ିଶା ବାର୍ କାଉନ୍ସିଲ୍ର ସଦସ୍ୟ ହେବା ପରେ ଦୀର୍ଘ ଚାରି ଦଶନ୍ଧି ଧରି ଆଇନଜୀବୀ ଭାବରେ ସକି୍ରୟ ଅଛନ୍ତି । ପୂର୍ବରୁ ଓଡ଼ିଶା ମାନବାଧିକାର ଆୟୋଗରେ ଅଧ୍ୟକ୍ଷ ଏବଂ ଜଣେ ସଦସ୍ୟ ଥିବାବେଳେ ଶ୍ରୀ ମିଶ୍ର ସଦସ୍ୟ ଭାବେ ଯୋଗଦାନ ଦେବା ଦ୍ୱାରା କମିଶନର ସମସ୍ତ ପଦବୀ ପୂରଣ ହୋଇଛି ।
